ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ । ଚାରା ଘୋଟଲା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ସ୍ପେଶାଲ ସିବିଆଇ କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି । କେବଳ ଜେଲଦଣ୍ଡ ନୁହେଁ ବରଂ ଜରିମାନା ବାବଦକୁ ୬୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗତ ମଙ୍ଗଳବାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଦୋରନ୍ଦା ଟ୍ରେଜେରିରୁ ବେଆଇନ ଭାବେ ୧୩୯ କୋଟି ଟଙ୍କା ଉଠାଣ ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଲାଲୁ ଯାଦବଙ୍କ ସହିତ ଅନ୍ୟ ୭୫ ଜଣ ଦୋଷୀ ପ୍ରମାଣିତ ହୋଇଛନ୍ତି । ୯୫୦ କୋଟି ଟଙ୍କାର ଚାରା ଦୁର୍ନୀତିର ଅନ୍ୟ ୪ଟି ମାମଲାରେ ମଧ୍ୟ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ଏହାପୂର୍ବରୁ ଚାରା ଘୋଟାଲା ମାମଲାରେ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ପୂର୍ବରୁ ୪ଟି ମାମଲାରେ ଲାଲୁଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ତେବେ ୩୬ ମାସ ଜେଲ ଦଣ୍ଡ ଭୋଗି ସାରିଥିବା ଲାଲୁ ଏବେ ଜାମିନରେ ଅଛନ୍ତି । ସ୍ୱାସ୍ଥ୍ୟବସ୍ଥା ଖରାପ ପାଇଁ ଲାଲୁଙ୍କୁ ଜାମିନ ମିଳିଛି । ପୂର୍ବରୁ ଗତ ଫେବ୍ରୁଆରୀ ୧୫ରେ ସିବିଆଇର ସ୍ପେଶାଲ କୋର୍ଟ ଚାରା ଦୁର୍ନୀତି ମାମଲାର ଶୁଣାଣି କରିଥିଲେ ମଧ୍ୟ କୌଣସି ରାୟ ଦେଇନଥିଲେ । ଆଉ ଆଜି ଅନଲାଇନରେ ହୋଇଥିବା ଶୁଣାଣିରେ ସାମିଲ ହୋଇଥିଲେ ଲାଲୁ ।