ଓଡିଶାରେ ଯେପରି ଭାବେ ସଂକ୍ରମଣ ବଢିଚାଲିଛି ତାହା ସମସ୍ତଙ୍କ ନିଦ ହଜାଇଦେଇଛି । ଆଗକୁ ଯଦି ଏମିତି ସଂକ୍ରମଣ ବଢି ଚାଲେ ତାହେଲେ ସ୍ଥିତି ଭୟଙ୍କର ହୋଇପାରେ । ତେବେ ଟ୍ୱିନସିଟିରେ ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି । ପ୍ରଥମ ଥର ପାଇଁ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି ।
ସୁନ୍ଦରଗଡ,ଖୋର୍ଦ୍ଧା ପରେ କଟକରେ ବି ହଜାରେ ଡେଇଁଛି ସଂକ୍ରମଣ ସଂଖ୍ୟା । ଯାହା ସିଏମସିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗତ ୨୪ ଘଂଟାରେ ରାଜ୍ୟରେ ସର୍ବାଧିକ ୫୦ ହଜାର ୮୬୪ ନମୂନା ପରୀକ୍ଷା କରାଯାଇଥିବା ବେଳେ ୧୧ ହଜାର ୮୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସୁନ୍ଦରଗଡ଼ରୁ ୧୯ଶହ ୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫ଶହ ୧୦, କଟକରୁ ହଜାରେ ୫୨ । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୨୪ ହଜାର ୨୦୭ରେ ପହଚିଂଛି ।
ତେବେ ସଂକ୍ରମିତଙ୍କ ସଂଖ୍ୟା ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁଣି ୨୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୧୬୧କୁ ବୃଦ୍ଧି ପାଇଛି ।
ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ଜଟିଳ ହେବାରେ ଲାଗିଛି । ଚଳିତ ମାସର ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ଆକଳନ ହେଉଛି ।ତେବେ ଲକଡାଉନ୍ ଲାଗିଲେ ସଂକ୍ରମଣ କମିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା, ତାହାପ କୌଣସି ସୁଫଳ ଏଯାଏଁ ଦେଖିବାକୁ ମିଳିନାହିଁ ।