ରାଜ୍ୟରେ କରୋନା ସଂକ୍ରମଣ ଗତ ଦୁଇ ଦିନ ଧରି ପୁଣି ବଢିବାରେ ଲାଗିଛି । ୩ ହଜାର ତଳକୁ ଖସିଥିବା ସଂକ୍ରମିତଙ୍କ ସଂଖ୍ୟା ଏବେ ପୁଣି ବଢୁଛି । ସଂକ୍ରମଣ ହାର ବି ୫ ପ୍ରତିଶତ ଉପରେ ରହୁଛି । ସେହିପରି ମୃତ୍ୟୁସଂଖ୍ୟା ଏଯାଏ କମିବାର ନାଁ ଧରୁନି । ଖୋର୍ଦ୍ଧାରେ ସଂକ୍ରମଣ ୫ ଶହ ତଳକୁ ଖସିଥିବା ବେଳେ ଗତ ୨୪ ଘଂଟାରେ ୬ ଶହ ଟପିଛି । ତେବେ ଲକଡାଉନ ଆଶିଂକ କୋହଳ ପରେ ଅମାନିଆଙ୍କ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁନି ତ?
ଗତ ୨୪ ଘଂଟାରେ ୬୯ ହଜାର ୪୮୦ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୩ ହଜାର ୬୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୮୫,ବାଲେଶ୍ୱରରୁ ୨୭୮, ଅନୁଗୁଳରୁ ୧୧୨, ଜଗତସିଂହପୁରରୁ ୧୩୮, ମୟୁରଭଂଜରୁ ୧୪୫, କୋରାପୁଟରୁ ୧୦୪, କେନ୍ଦ୍ରାପଡାରୁ ୧୦୬,ସୁନ୍ଦରଗଡରୁ ୧୦୬, ନୟାଗଡରୁ ୧୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦିନକରେ ୪୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୯ଜଣ ରହିଥିବା ବେଳେ ବରଗଡ଼, କଟକ ଜିଲ୍ଲାରୁ ୫ଜଣ ଲେଖାଏଁ ରହିଛନ୍ତି । ଅନୁଗୁଳ , ପୁରୀ ଜିଲ୍ଲାରୁ ୪ଜଣ ରହିଥିବା ବେଳେ ଜଗତସିଂହପୁର , କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ରହିଥିବା ବେଳେ ନୟାଗଡ଼, ସମ୍ବଲପୁର ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ଭଦ୍ରକ, ବୌଦ୍ଧ, ଢେଙ୍କନାଳ, ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୦୫୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୭୭୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୫୩୦୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।