ନୀରବିଗଲେ ସ୍ୱର ସାମ୍ରାଜ୍ଞୀ ! ୨୯ଦିନ ହେଲା ଭେଣ୍ଟିଲେଟରରେ ଥିଲେ ଲତା ମଙ୍ଗେସକର । ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲ ସାମ୍ନାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କରୋନାରେ ସଂକ୍ରମିତ ହେବା ପରେ ଗତ ଜାନୁଆରୀ ୮ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା ।ସେ କୋଭିଡ୍ ୧୯ ଏବଂ ନିମୋନିଆ ରୋଗରୁ ସୁସ୍ଥ ହୋଇଥିଲେ । କିନ୍ତୁ ପରେ ପୁଣି ଥରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା ।
ଜାନୁଆରୀ ୨୮ ତାରିଖରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଡାକ୍ତର କହିଥିଲେ। ତେବେ ହଠାତ୍ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଯାଇଥିଲା। ତାଙ୍କୁ ପୁଣି ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ତାଙ୍କଠାରେ ଆଉ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ଆଉ ଆଜି ସକାଳେ ସେ ଆଖି ବୁଜି ଦେଇଥିଲେ।ଆଜି ସକାଳ ୮ଟା ୧୨ ମିନିଟ୍ରେ ସମସ୍ତଙ୍କ ପ୍ରିୟ ଲତାଙ୍କ ପରଲୋକ ହୋଇଥିଲା।
୧୯୨୯ ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଜନ୍ମ ହୋଇଥିଲେ ଲତା ମଙ୍ଗେଶକର। ତାଙ୍କ ବାପାଙ୍କ ନାଁ ଥିଲା ଦୀନାନାଥ ମଙ୍ଗେଶକର ଓ ମା’ଙ୍କ ନାଁ ଥିଲା ସେବନ୍ତୀ। ଦୀନାନାଥ ମଙ୍ଗେଶକର ଜଣେ ଗାୟକ ଓ ଥିଏଟର ଅଭିନେତା ଥିଲେ।ସଂଗୀତ ଶିକ୍ଷାରେ ଲତାଙ୍କ ପ୍ରଥମ ଗୁରୁ ଥିଲେ ତାଙ୍କ ବାପା। ସେ କଥା କହିବା ଶିଖିବା ପରେ ପରେ ତାଙ୍କ ବାପା ତାଙ୍କୁ ଗୀତ ଶିଖାଇଥିଲେ। ମାତ୍ର ୫ ବର୍ଷ ବୟସରେ ଲତା ମଙ୍ଗେଶକର ତାଙ୍କ ବାପାଙ୍କ ଏକ ମରାଠୀ ଗୀତିନାଟ୍ୟରେ ଅଭିନୟ କରିଥିଲେ।ଲତା ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦ୍ରେଗରେ ଦେହାନ୍ତ ହୋଇଥିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ । ଲତା ଆଜୀବନ ଅବିବାହିତ ରହିଛନ୍ତି । ସେ ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ମୁମ୍ବାଇରେ ଏକ ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ଆପ୍ କି ସେବା ମେଁରେ ପ୍ରଛଦପଟ ଗାୟିକା ହେବାର ସୁଯୋଗ ମିଳିଥିଲା ।
୧୯୮୯ରେ ଭାରତ ସରକାର ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରିଥିଲେ। ୨୦୦୧ରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା।ଲତା ମଙ୍ଗେଶକର ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହା ସହିତ ୪ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ୪ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଦୁଇ ଥର ତାଙ୍କୁ ଫିଲ୍ମ ଫେୟାର ସ୍ପେଶାଲ୍ ପୁରସ୍କାର ଦିଆଯାଇଥିଲା। ତାଙ୍କୁ ଫିଲ୍ମ ଫେୟାର ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା।