ଆଶ୍ରିତଙ୍କ କଥା ଆମେ ବୁଝିବୁ, ତମର ଆବଶ୍ୟକତା ନାହିଁ । ପିପିଲିର ପଦ୍ମ କ୍ୟାମ୍ପରୁ ଏବେ କିଛି ଏଭଳି ଶୁଣିବାକୁ ମିଳୁଛି । ଯେଉଁଠି ପ୍ରଚାର ମୈଦାନରୁ ରାଜ୍ୟସ୍ତରୀୟ ନେତାଙ୍କୁ ସାଇଡଲାଇନ ହେବାକୁ ସଫା ସଫା କୁହାଯାଉଛି । ପିପିଲିକୁ ଆସ, କିନ୍ତୁ ପ୍ରଚାର ମୈଦାନକୁ ନୁହେଁ । ଦଳର ରାଜ୍ୟସ୍ତରୀୟ ଚେହେରାଙ୍କୁ ଏମିତି କହି ବାଟ କାଟି ଚାଲି ଯାଉଛନ୍ତି ବିଜେପିର ସ୍ଥାନୀୟ ନେତା । ଆଶ୍ରିତଙ୍କ ପାଇଁ ପ୍ରଚାର କେମିତି ହେବ, ବିଜେପି ସପକ୍ଷରେ କିଭଳି ହାୱା ସୃଷ୍ଟି କରାଯିବ, ଭୋଟରଙ୍କୁ କିଭଳି ନିଜ ସପକ୍ଷକୁ ଅଣାଯିବ ସେ ବାବଦରେ ନିର୍ବାଚନମଣ୍ଡଳୀ ବାହାର ନେତାଙ୍କୁ ମୁଣ୍ଡ ନ ଖେଳାଇବାକୁ ସ୍ଥାନୀୟ ନେତା କହୁଥିବା ଶୁଣିବାକୁ ମିଳୁଛି ।
ପିପିଲି ଲଢେଇ ପାଇଁ ତିନି ଦଳର ପ୍ରାର୍ଥୀ ଏବେ ପ୍ରଚାର ମୈଦାନରେ । ତେବେ ବିଜେଡି ଗଡକୁ ଅକ୍ତିଆର କରିବାକୁ ଏବେ ପ୍ରଚାର ଉପରେ ଫୋକସ କରୁଛି ପଦ୍ମ କ୍ୟାମ୍ପ । ଯେଉଁଥିପାଇଁ ପୂର୍ବରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ଦଳ । ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ନିର୍ବାଚନମଣ୍ଡଳୀ ବାହାର ନେତା ରହିଛନ୍ତି । ଏପରିକି ଦଳରେ ନିଜର ପତିଆରା ବଢାଇବାକୁ ପଦ୍ମ ଦଳର କିଛି ନେତା ନିଜ ତରଫରୁ ପିପିଲିରେ ଡେରା ପକାଇଛନ୍ତି । କେବଳ ଯେ ଡେରା ପକାଇଛନ୍ତି ତାହା ନୁହେଁ ସ୍ଥାନୀୟ ଓ ତୃଣମୂଳସ୍ତରର କର୍ମୀଙ୍କ ବିନା କିଛି ଆମଦାନୀ ନେତାଙ୍କୁ ଧରି ନିଜ ଅନ୍ଦାଜରେ ପ୍ରଚାର ଚଲାଇଛନ୍ତି । ଆଉ ଜିଲ୍ଲା ବାହାର ନେତାଙ୍କ ଏଭଳି ଆଭିମୁଖ୍ୟ ସ୍ଥାନୀୟ ନେତାଙ୍କ ପାଇଁ ଏବେ ଅସହ୍ୟ ହୋଇଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ପିପିଲିର ପଦ୍ମ କ୍ୟାମ୍ପରେ ଦିନକୁ ଦିନ ଅସନ୍ତୋଷ ବଢୁଥିବା ନେଇ ଚର୍ଚ୍ଚା ବଢୁଛି ।
ଉପ-ନିର୍ବାଚନରେ ଆଶ୍ରିତଙ୍କୁ ନେଇ ପିପିଲି ପଦ୍ମ କ୍ୟାମ୍ପ ବେଶ ଆଶାବାଦୀ । ଦୀର୍ଘ ଦଶନ୍ଧି ପରେ ପିପିଲି ଗଡରେ ପଦ୍ମ ଫୁଟିବ ଏହି ଆଶାରେ ଜୋରଦାର କ୍ୟାମ୍ପେନି କରୁଛନ୍ତି ବିଜେପିର ସ୍ଥାନୀୟ ନେତା । କିନ୍ତୁ ପ୍ରଚାର ମୈଦାନରେ ଦଳର ରାଜ୍ୟସ୍ତରୀୟ ନେତାଙ୍କ ମନମାନି ଏବେ ସ୍ଥାନୀୟ ନେତାଙ୍କ ଚିନ୍ତା ବଢାଇଛି । ପ୍ରଚାର ମୈଦାନରେ ରାଜଧାନୀ ନେତାଙ୍କ ଏଣ୍ଟ୍ରି ସହ ପ୍ରତିଦିନ ବଦଳୁଛି ଷ୍ଟ୍ରାଟେଜି । ଦଳର ଛାମୁଆ ନେତା ତଥା ଚିହ୍ନା ଚେହେରା କୁହାଯାଉଥିବା ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ପ୍ରଭାରୀ, ଓ କିଛି ସାଂସଦ ଏଯାଏଁ ପିପିଲି ମୁହାଁ ହୋଇନାହାନ୍ତି । ଆଉ ଏମାନଙ୍କ ଅନୁପସ୍ଥିତିରେ ପିପିଲିରେ ଯେଉଁ ନେତା ଡେରା ପକାଇଛନ୍ତି ସେମାନଙ୍କୁ ସାଙ୍ଗରେ ଧରି ପ୍ରଚାର ମୈଦାନକୁ ଓହ୍ଲାଇବାକୁ ସ୍ଥାନୀୟ ନେତା ଚାହୁଁନଥିବା ଚର୍ଚ୍ଚା ହେଉଛି ।
ଏହାପଛର ଦୁଇଟି କାରଣ ଥାଇପାରେ । ପ୍ରଥମଟି ହେଲା ରାଜ୍ୟସ୍ତରୀୟ ନେତାଙ୍କ ଉପରେ ବୋଧହୁଏ ସ୍ଥାନୀୟ ନେତାଙ୍କର ଭରସା ନାହିଁ । ଏକଥା ଏଥିପାଇଁ କହାଯାଉଛି, କାରଣ ମେଣ୍ଟ ଭାଙ୍ଗିବା ପରେ ଅନେକ ଉପ-ନିର୍ବାଚନ ହୋଇଛି । କିନ୍ତୁ ଉପ-ନିର୍ବାଚନ ବିଜୟର ସ୍ୱାଦ ଏଯାଏଁ ବିଜେପି ଚାଖିପାରିନି । ଗତ ଉପ-ନିର୍ବାଚନ ଗୁଡିକରେ ରାଜ୍ୟର ଶୀର୍ଷ ନେତୃତ୍ୱଙ୍କ ରଣନୀତି ଅନୁଯାୟୀ ନିର୍ବାଚନ ଲଢାଯାଉଥିଲା । ଯାହାର ପରିଣାମ ଦଳକୁ ଭୋଗିବାକୁ ପଡିଛି । ଆଉ ଏହାର ସଦ୍ୟ ଉଦାହରଣ ହେଉଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ । ତେଣୁ ପୁଣିଥରେ ରାଜ୍ୟସ୍ତରୀୟ ନେତୃତ୍ୱଙ୍କ ଷ୍ଟ୍ରାଟେଜି ଉପରେ ଭରସା କରି ବାଲେଶ୍ୱର-ତିର୍ତ୍ତୋଲର ପୁନରାବୃତ୍ତି କରିବାକୁ ବୋଧହୁଏ ଚାହୁଁନାହାନ୍ତି ସ୍ଥାନୀୟ ନେତା । ପିପିଲିରେ ଆଶ୍ରିତଙ୍କର ଭୋଟବ୍ୟାଙ୍କ ଓ ଲୋକପ୍ରିୟତାକୁ ଆଧାର କରି ବିଜୟର ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି ସ୍ଥାନୀୟ ନେତା । ଜିଲ୍ଲା ବାହାର ନେତାଙ୍କ ଭଳି ଗାଡି ଉପରେ ଛିଡା ହୋଇ ପ୍ରଚାର କରିବା ଅପେକ୍ଷା ଲୋକଙ୍କ ପାଖରେ ସିଧାସଳଖ ପହଞ୍ଚିବାକୁ ପ୍ରସ୍ତୁତ ହେଉଛନ୍ତି ଆଶ୍ରିତଙ୍କ ନିକଟତମ ସହଯୋଗୀ ।
ସ୍ଥାନୀୟ ନେତାଙ୍କ ଏଭଳି ଆଭିମୁଖ୍ୟ ପଛର ଦ୍ୱିତୀୟ କାରଣଟି ବୋଧହୁଏ ପଦ୍ମ ଦଳରେ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ପତିଆରାର ଲଢେଇ । ଏବେ ରାଜ୍ୟ ବିଜେପିରେ ଏକାଧିକ ଗୋଷ୍ଠୀ ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଯାହା ପିପିଲିରେ ଆଶ୍ରିତଙ୍କ ପାଇଁ ଅଡୁଆ ବଢାଇପାରେ । ପ୍ରଭାବଶାଳୀ ନେତାଙ୍କ ପତିଆରା ଲଢେଇରେ ଯେପରି ପରାଜୟ ବରଣ କରିବାକୁ ନ ପଡେ ସେଥିପାଇଁ ଦେଖିଚାହିଁ ଗୋଟି ଚାଳନା କରୁଛି ଆଶ୍ରିତଙ୍କ କ୍ୟାମ୍ପ । ପ୍ରଚାର ମୈଦାନରେ ଗୋଟିଏ ଗୋଷ୍ଠୀକୁ ସାମିଲ କରି ଅନ୍ୟ ଗୋଷ୍ଠୀଙ୍କୁ ଅସନ୍ତୁଷ୍ଟ କରିବାକୁ ବୋଧହୁଏ ଚାହୁଁନାହାନ୍ତି ଆଶ୍ରିତଙ୍କ କ୍ୟାମ୍ପ । କାରଣ ଯଦି ଏଭଳି ହୁଏ ତେବେ ଏହାର ସିଧାସଳଖ ପ୍ରଭାବ ଭୋଟବ୍ୟାଙ୍କ ଉପରେ ପଡିବ । ତେଣୁ ପିପିଲି ପ୍ରଚାର ମୈଦାନରୁ ଜିଲ୍ଲା ବାହାରୁ ଆସିଥିବା ଦଳୀୟ ନେତାଙ୍କୁ ଦୂରେଇ ରଖିବାକୁ ଉଚିତ ମନେ କରୁଛନ୍ତି ସ୍ଥାନୀୟ ନେତା ।
ଏସବୁ ଭିତରେ ଜିଲ୍ଲା ବାହାର ନେତାଙ୍କୁ ପିପିଲି ଫାଇଟରୁ ଦୂରେଇ ରଖିବାକୁ ସ୍ଥାନୀୟ ନେତା ମନସ୍ଥିର କରୁଥିବା ଚର୍ଚ୍ଚା ହେଉଛି । ଏପରିକି କିଛି ସ୍ଥାନୀୟ ନେତାଙ୍କ ମୁହଁରୁ ଏଭଳି ମଧ୍ୟ ଶୁଣିବାକୁ ମିଳୁଛି ଯେ, ପିପିଲି ଆସ, ଖାଇପିଇ ବୁଲିକି ଯାଅ । ଆତିଥେୟତା ନିଅ କିନ୍ତୁ ପ୍ରଚାର ମୈଦାନରୁ ଦୂରେଇ ରୁହ ।