ସରକାରଙ୍କୁ କ୍ଲିନଚିଟ୍

କରୋନା ସଂକ୍ରମଣ ବେଳେ ବହୁଚର୍ଚ୍ଚିତ ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ମାମଲାରେ ଲୋକାୟୁକ୍ତ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ସରକାରଙ୍କୁ କ୍ଲିନ ଚିଟ ସହ ମାମଲାକୁ ବନ୍ଦ କରିଛନ୍ତି ଲୋକାୟୁକ୍ତ । ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା ଲୋକାୟୁକ୍ତ କହିଛନ୍ତି। ମାସ୍କ ଓ ପିପିଇ କିଣିବାରେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ହୋଇନାହିଁ ବୋଲି ଲୋକାୟୁକ୍ତ ସ୍ପଷ୍ଟ କରିଛନ୍ତି।

ଏହି ମାମଲାରେ ମାର୍ଚ୍ଚ ୧୬ରେ ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲା ଭିଜିଲାନ୍ସ । ଆଉ ରିପୋର୍ଟ ଆଧାରରେ ପିଟିସନରଙ୍କ ଉପସ୍ଥିତିରେ ମାମଲାର ଶୁଣାଣି ହୋଇଛି । ଶୁଣାଣି ପାଇଁ ଆଜି ଲୋକାୟୁକ୍ତଙ୍କ ପାଖରେ ଉପସ୍ଥିତ ଥିଲେ ଅଭିଯୋଗକାରୀ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁଶାନ୍ତ ପାଢୀ ଓ କଂଗ୍ରେସ ନେତା ସୁଦର୍ଶନ ଦାସ। ପ୍ରାଥମିକ ତଦନ୍ତ ପାଇଁ ଭିଜିଲାନ୍ସକୁ ଗତବର୍ଷ ଡିସେମ୍ବର ସାତ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସୁଦର୍ଶନ ଦାସ। ସେ କହିଛନ୍ତି ଯେ, ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ସମ୍ପର୍କରେ ଆମେ କୋର୍ଟରେ ମାମଲା ଦାୟର କରିଥିଲୁ। କିନ୍ତୁ ଯେଉଁ ପ୍ରିଲିମିନାରୀ ରିପୋର୍ଟ ଭିଜିଲାନ୍ସ ଦେଲେ ତାହା ଆମକୁ ଦେଖିବାର ସୁଯୋଗ ବି ଦିଆଗଲା ନାହିଁ। ଆଉ ଦାଖଲ ହୋଇଥିବା ରିପୋର୍ଟରେ ଅଭିଯୋଗର କୌଣସି ଭିତ୍ତି ନଥିବା ଲୋକାୟୁକ୍ତ କହିଲେ। ଏହସହ ମାମଲାକୁ ପୂରା ବନ୍ଦ କରିଦେଲେ। ଆମେ ଅପିଲ ମଧ୍ୟ କରିଥିଲୁ ଯେ, ଏହି ମାମଲାରେ ଦାୟର ହୋଇଥିବା ରିପୋର୍ଟକୁ ଆମକୁ ଦେଖିବାକୁ ସୁଯୋଗ ଦିଅନ୍ତୁ ଓ ଆମକୁ ପକ୍ଷ ରଖିବାକୁ ମଧ୍ୟ ସୁଯୋଗ ଦିଅନ୍ତୁ। କିନ୍ତୁ କୌଣସି ସୁଯୋଗ ଆମକୁ ଲୋକାୟୁକ୍ତ ଦେଲେ ନାହିଁ ବୋଲି ସୁଦର୍ଶନ ଦାସ କହିଛନ୍ତି।

Comments (0)
Add Comment