ଜ୍ବରରେ ଶ୍ରୀଜୀଉ..ଆଜିଠୁ ଅଲାରନାଥଙ୍କ ଅନବସର ଯାତ୍ରା

ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ ହେବା ପରେ ହାତୀ ବେଶରେ ଦର୍ଶନ ଦେଇ ଅଣସରପିଣ୍ଡିକୁ ଯାଇଛନ୍ତି ଶ୍ରୀଜୀଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଠାକୁରଙ୍କୁ ଜ୍ବର ହୋଇଛି । ଏହା ସହ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ମାନବୀୟ ଲୀଳା । ଶ୍ରୀଜୀଉମାନେ ୧୫ ଦିନ ଅଣସରପିଣ୍ଡିରେ ରହିବେ । ଆଉ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଆରମ୍ଭ ହୋଇଛି ଉପଚାର । ଅଣସର ପିଣ୍ଡିରେ ଚଦୁର୍ଦ୍ଧାମୂର୍ତ୍ତିଙ୍କ ଚାଲିଛି ଗୁପ୍ତ ସେବା।

ଆଜିଠୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଯାତ୍ରା । ୧୪ ଦିନ ପାଇଁ ବ୍ରହ୍ମଗିରିର ଅଲାରନାଥ ପୀଠ ପାଲଟିଯାଏ ଦ୍ବିତୀୟ ଶ୍ରୀକ୍ଷେତ୍ର। ଏଠାରେ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରିବା ପାଇଁ ଦେଶର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। ହେଲେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ପାଇଁ ଅଲାରନାଥ ପୀଠରେ ଲାଗିଛି ୧୪୪ ଧାରା। ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ (ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ) ନିଅନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ । ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ୟ୍ୟ କରନ୍ତି । ବର୍ଷକ ବାର ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା ୧୧ମାସ ଏବଂ ଦଇତାମାନଙ୍କ ସେବା ଏକ ମାସ । ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରୀ ବିଜେ ଯାଏଁ ଚଉଦଦିନ ଧରି କରାଯାଇଥାଏ । ଏହା ପରେ ସୁସ୍ଥ ହେବେ କାଳିଆ ଠାକୁର । ଏପଟେ ଅଣସର ପିଣ୍ଡି ସାମନାରେ ପଟିଦିଅଁଙ୍କ ପୂଜାର୍ଚ୍ଚନା କରାଯାଉଛି ।ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ । ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇବେ ।

Comments (0)
Add Comment