ରୋଷେଇ ଘରେ ମହଙ୍ଗା ମାଡ଼ । ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ପୁଣିଥରେ ବୃଦ୍ଧି ପାଇଛି। ୪ ଦିନ ମଧ୍ୟରେ ଦ୍ୱିତୀୟଥର ପାଇଁ ବୃଦ୍ଧି ପାଇଲା ରୋଷେଇ ଗ୍ୟାସର ଦର । ମାର୍ଚ୍ଚ ପହିଲାରୁ ଏଲପିଜି ପୁଣି ୨୫ ଟଙ୍କା ବୃଦ୍ଧି ପାଇଛି ।
ମାର୍ଚ୍ଚ ମାସ ଆରମ୍ଭରୁ ସାଧାରଣ ଲୋକଙ୍କ ଉପରେ ପୁଣି ଏକ ମହଙ୍ଗାମାଡ ପଡିଛି । ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ଏଲପିଜି ରୋଷେଇ ଗ୍ୟାସ ଦର ବୃଦ୍ଧି ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇଦେଇଛି । ସପ୍ତାହେ ମଧ୍ୟରେ ଦୁଇଥର ସିଲିଣ୍ଡର ଦାମ ବୃଦ୍ଧି ପାଇଛି। ଫେବୃଆରୀ ୨୫ ତାରିଖରେ ରୋଷେଇ ଗ୍ୟାସର ଦର ୨୫ ଟଙ୍କା ବି ବୃଦ୍ଧି ପାଇଥିଲା ।
ତୈଳ କମ୍ପାନୀ ମାନଙ୍କର ସୂଚନା ମୁତାବକ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କା ରହିଛି । ଗତକାଲି ଯାଏ ଏହି ଦାମ ୭୯୪ ଟଙ୍କା ଥିଲା । ନୂଆ ଦାମ ଆଜିଠାରୁ ଲାଗୁ ହେବ। ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ୭୯୪ ଟଙ୍କାରୁ ବଢି ୮୧୯ ଟଙ୍କା ହୋଇଛି। ମୁମ୍ବାଇରେ ମଧ୍ୟ ଘରୋଇ ସିଲିଣ୍ଡର ଦାମ ୮୧୯ ଟଙ୍କା ହୋଇଛି। କୋଲକାତାରେ ୮୪୫.୫୦ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୮୩୫ ଟଙ୍କା ହୋଇଛି।
ଏହା ପୂର୍ବରୁ ୨୫ ଫେବୃଆରୀରେ ୨୫ ଟଙ୍କା, ୧୫ ଫେବୃଆରୀରେ ୫୦ ଟଙ୍କା ଓ ୪ ଫେବୃଆରୀରେ ୨୫ ଟଙ୍କା, ଫେବୃଆରୀ ୨୫ ତାରିଖରେ ରୋଷେଇ ଗ୍ୟାସର ଦର ୨୫ ଟଙ୍କା ବୃଦ୍ଧି ପାଇଥିଲା । ଦେଶ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ଏବେ ଦେଶରେ ଅନେକ ଅତ୍ୟାବଶକୀୟ ସାମଗ୍ରୀର ଦର ହୁ ହୁ ହୋଇ ବଢିବାରେ ଲାଗିଛି ।