ଅମ୍ରିତଙ୍କ ହେଲା ଫୁସଫୁସ୍ ପ୍ରତିରୋପଣ । ୧୯ ଘଂଟାର ଅପରେସନ୍ ପରେ ଏକମୋରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନଙ୍କ ହେଲା ଫୁସଫୁସ୍ ପ୍ରତିରୋପଣ । ୧୪୧ ଦିନ ଧରି ଏକମୋ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁନଥିବାରୁ ଫୁସଫୁସ୍ ପତିରୋପଣ ପାଇଁ ଡାକ୍ତର ଦେଇଥିଲେ ନିର୍ଦ୍ଦେଶ ।
ସ୍ଥାନୀୟ ଅଂଚଳର ଜଣେ ଯୁବକ ଛାତରୁ ଖସି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚକିିତ୍ସିତ ହେଉଥିଲେ । ଦୀର୍ଘ ସମୟ ଧରି ଭେଂଟିଲେଟରରେ ରହିବା ପରେ ଜୀବନ ହାରିଥିଲେ । ସେହି ଯୁବକଙ୍କ ଫୁସଫୁସ୍ ପ୍ରତିରୋପଣ କରାଯାଇଛି । କରୋନାରେ ପୀଡ଼ିତ ହୋଇ ଅମ୍ରିତଙ୍କ ଫୁସଫୁସ୍ ସଂକ୍ରମିତ ହୋଇଥିଲା । ଏକମୋରେ ଚିକିତ୍ସା କରାଇବା ଜରୁରୀ ହୋଇପଡ଼ିବାରୁ ପରିବାରଲୋକ ଜୁନ୍ ୩ ତାରିଖ ଦିନ ଅମ୍ରିତଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଭୁବନେଶ୍ବର ଏମସରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ଚେନ୍ନାଇ ନିଆଯାଇଥିଲା । ସେଠାରେ ଦୀର୍ଘ ଦିନ ଧରି ତାଙ୍କର ଏକମୋ ଚିକିତ୍ସା ଚାଲିଥିଲା ।
ଏହା ପରେ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା । ଫଳରେ ସେ ଠାର ମାଧ୍ୟମରେ କଥାବାର୍ତ୍ତା କରିପାରୁଥିଲେ । କିନ୍ତୁ ଫୁସଫୁସ୍ରେ କୌଣସି ପ୍ରକାର ଉନ୍ନତି ଦେଖା ନଦେବାରୁ ହସ୍ପିଟାଲ ପକ୍ଷରୁ ଫୁସଫୁସ୍ ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।