ମାହାଙ୍ଗାରେ ଘଟଣା, ରାଜଧାନୀରେ ରାଜନୀତି

ମାହାଙ୍ଗାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ବିଜେପି ପୁଣି ଥରେ ଆଟାକିଙ୍ଗ ମୁଡରେ ନଜର ଆସିଛି । ଏହାକୁ ରାଜନୈତିକ ହତ୍ୟାକାଣ୍ଡର ଟ୍ୟାଗ୍ ଦେଇ ବିଜେପି ଶାସକ ବିଜେଡି ଖାସକରି ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢାଇଛି । ନୂଆ ବର୍ଷ ଆରମ୍ଭରୁ ଶାସକ ଦଳକୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଛି ପଦ୍ମ ଶିବିର । ପରୀ ପରେ ମାହାଙ୍ଗା ଘଟଣାକୁ ନେଇ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଏପରିକି ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ମନ୍ତ୍ରୀଙ୍କୁ ବହିଷ୍କାର ସହ ଗିରଫ କରିବା ଭଳି ବଡ ଦାବି ଉଠାଉଛି ବିଜେପି । ତେବେ ଡର୍ବଲ ମର୍ଡର ଘଟଣାକୁ ନେଇ ମାହାଙ୍ଗା ରାଜନୀତି ଯେତିକି ଗରମ ନୁହେଁ ତାହାଠାରୁ ଅଧିକ ଉଷ୍ମ ହୋଇଛି ରାଜଧାନୀର ମାହୋଲ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସେଭଳି  ଆଖିଦୃଶିଆ ଆନ୍ଦୋଳନ ଦେଖିବାକୁ ମିଳୁନଥିବା ବେଳେ ରାଜଧାନୀରେ କିନ୍ତୁ ରାଜନୀତିର ପାରା ଶୀର୍ଷରେ ପହଞ୍ଚିଛି ।

ମାହାଙ୍ଗା ହତ୍ୟାକାଣ୍ଡକୁ ରାଜ୍ୟସ୍ତରୀୟ ପ୍ରସଙ୍ଗ କରିବାକୁ ଜୋରଦାର ଉଦ୍ୟମ ଚଲାଇଛି ବିଜେପି । ଆଉ ଏହା ପଛର ମଧ୍ୟ ଏକ ବଡ କାରଣ ରହି ଥାଇପାରେ । ପରୀ ପ୍ରସଙ୍ଗ ପରେ ଶାସକ ବିଜେଡି ତଥା ରାଜ୍ୟ ସରକାରଙ୍କୁ ହରଡଘଣାରେ ପକାଇବା ଭଳି ସେଭଳି କୌଣସି ପ୍ରସଙ୍ଗ ବିଜେପି ପାଖରେ ନାହିଁ । ଏହାଛଡା ମାହାଙ୍ଗାରେ ଆନ୍ଦୋଳନକୁ ସୀମିତ ରଖିଲେ ମିଡ଼ିଆର ଫୋକସରେ ଆସିବ ନାହିଁ ଏକଥା ବେଶ ଭଲ ଭାବେ ଦଳର ଶୀର୍ଷ ନେତୃତ୍ୱ ବୁଝିଛନ୍ତି । ତେଣୁ ଆନ୍ଦୋଳନକୁ ଆୟୁଧ କରି ଗଣମାଧ୍ୟମ ଜରିଆରେ ନିଜର ପତିଆରା ଦେଖାଇବାକୁ ଚାହୁଁଥାଇପାରେ ପଦ୍ମ ଶିବିର ।

ଏହାଭିତରେ ଆଗକୁ ହେବ ପୌର ଓ ପଞ୍ଚାୟତ ନିର୍ବାଚନ । ତେଣୁ ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି ଏବେ ଯେକୌଣସି ପ୍ରସଙ୍ଗକୁ ରାଜ୍ୟସ୍ତରୀୟ ପ୍ରସଙ୍ଗ କରିବାକୁ ଉଦ୍ୟମ ଆରମ୍ଭ କରିଛି । ବିଜେଡି ସରକାରରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି, ଏଭଳି ବାର୍ତ୍ତା ଦେଇ ଭୋଟରଙ୍କ ନିକଟତର ହେବାକୁ ହୁଏତ ଚାହୁଁଥାଇପାରେ ବିଜେପି । ମାହାଙ୍ଗା ଘଟଣାକୁ ଫୋକସ କରିବା ପଛର ଆଉ ଏକ କାରଣ ହେଉଛି ଉପକୂଳବର୍ତ୍ତୀ ଭୋଟବ୍ୟାଙ୍କ । ଏହି ଘଟଣାକୁ ରାଜ୍ୟସ୍ତରୀୟ ପ୍ରସଙ୍ଗ କରିବାକୁ ରାଜଧାନୀରୁ ବିଜେପି ଯେଉଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ତାହାର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଦେଖିବାକୁ ମିଳିଲାଣି ।

ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବିଜେପି ଦଳ ପକ୍ଷରୁ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ବହିଷ୍କାର ଦାବି ଜୋର ଧରୁଛି । ଯେହେତୁ ପଶ୍ଚିମ ଓଡ଼ିଶା ଭଳି ଉପକୂଳ ଓଡ଼ିଶାରେ ବିଜେପି ସେତିକି ପ୍ରଭାବ ବିସ୍ତାର କରିପାରିନାହିଁ, ତେଣୁ ଲୋକଙ୍କ ମନରେ ବିଜେଡି କର୍ମୀଙ୍କ ଗୁଣ୍ଡାଗିରିର ଛବି ଆଙ୍କି ଏହାର ଫାଇଦା ନେବାକୁ ଚାହୁଁଥାଇପାରେ ଦଳ । କାରଣ ପୂର୍ବ ପଞ୍ଚାୟତ ନିର୍ବାଚନରେ ଦଳ ପଶ୍ଚିମ ଓଡ଼ିଶାରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଉପକୂଳ ଓଡ଼ିଶାରେ ମାଟି କାମୁଡିଥିଲା । ତେଣୁ ମାହାଙ୍ଗା ପ୍ରସଙ୍ଗକୁ ନେଇ ଏବେ ଉପକୂଳବର୍ତ୍ତୀ ଜିଲ୍ଲାରେ ମାଇଲେଜ ନେବାକୁ ଚାହୁଁଥାଇପାରେ ବିଜେପି । ଯେଉଁଥିପାଇଁ ରାଜ୍ୟ ବିଜେପିର ତୁଙ୍ଗ ନେତା ମାହାଙ୍ଗା ପ୍ରସଙ୍ଗରେ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡୁଥିବା ଦେଖିବାକୁ ମିଳୁଛି ।

Comments (0)
Add Comment