ବିଜେଡିର ବଳ ବାପିଙ୍କ କୈାଶଳ!

ନିଜ ପାରିବାରିକ ଝଡଝଞ୍ଜାକୁ ପଛରେ ପକାଇ, ବ୍ୟକ୍ତିଗତ କ୍ଷତିକୁ ଭୁଲାଇବା ସମ୍ଭବ ନଥିଲେ ମଧ୍ୟ ଦଳ ପାଇଁ ତାକୁ ପଛରେ ରଖି ସାଂଗଠନିକ ଶକ୍ତିର ବିସ୍ତାର ଆଉ ଯୁବକଙ୍କ ମନରେ ବିଜେଡି ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ମିଶନରେ ବାହାରିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ପୁର୍ବରୁ ବିଜୁ ଛାତ୍ର ଜନତା ଦଳର ଦାୟିତ୍ୱରେ ଥିବା ଏହି ନେତା ଏବେ ଯୁବକ ବିଜେଡି ଦାୟିତ୍ୱରେ ଅଛନ୍ତି । ଦଳକୁ କ୍ଷମତାରେ ବଜାୟ ରହିବାକୁ ହେଲେ ଯୁବକଙ୍କ ବିଶ୍ୱାସ ଜିତିବାକୁ ପଡିବ । ଯାହାର ଗୁରୁ ଦାୟିତ୍ୱ ବିଜେଡି ସୁପ୍ରିମୋ ଚାନ୍ଦବାଲିର ଏହି ଯୁବ ବିଧାୟକଙ୍କ ଉପରେ ନ୍ୟସ୍ତ କରିଛନ୍ତି । ପାଂଚ ପାଂଚ ଥର କ୍ଷମତାକୁ ଆସିଥିବା ଗୋଟିଏ ଦଳ ପାଇଁ ଅନେକ ଆହ୍ୱାନଭରା ଦିଗ ସାମ୍ନାକୁ ଆସିଥାଏ । ନିର୍ବାଚନ ବୈତରଣୀ ପାର୍ ହେବାକୁ ହେଲେ ମଜଭୁତ କାନ୍ଧର ଆବଶ୍ୟକତା ପଡେ । ନିର୍ବାଚନ ରଣନୀତିକାରଙ୍କ ମତରେ ଯାହାର ଯୁବଶକ୍ତି ଯେତେ ଶକ୍ତିଶାଳୀ, ସେହିଦଳକୁ ନିର୍ବାଚନରେ ହରାଇବା ଏତେ ସହଜ କଥା ନୁହେଁ । ଆଉ ବାପି ରାୟଙ୍କ ଉପରେ ଏହି ବିଶ୍ୱାସ କେବଳ ନବୀନ ପଟ୍ଟନାୟକ ରଖିନାହାନ୍ତି ବରଂ ସାଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କର ଏକାନ୍ତ ଅନୁଗତ ଆଉ ବିଶ୍ୱାସଭାଜନ ପାଲଟିଛନ୍ତି ଏହି ନେତା ଜଣଙ୍କ ।

ଜିଲ୍ଲାରୁ ଜିଲ୍ଲା ବୁଲି ଏବେ ଯୁବ ଆଉ ଛାତ୍ର ସମାବେଶ ଦଳ କରୁଛି । ପୂର୍ବରୁ ଏତେ ବିଶାଳ ଆକାରର କାର୍ଯ୍ୟକ୍ରମ କେବେ ଦେଖିବାକୁ ମିଳୁନଥିଲା । ଛାତ୍ର ଆଉ ଯୁବ ସଂଗଠନର ଦାୟିତ୍ୱ ବଂଟା ସରିବା ପରେ ଗୋଟିଏ ପରେ ଗୋଟିଏଜିଲ୍ଲାକୁ ନେତା ବୁଲୁଛନ୍ତି । ଆଉ ଲକ୍ଷ୍ୟ କରିବାର କଥା ହେଉଛି, ସବୁ ବୈଠକରେ ମୁଖିଆ ସାମିଲ ହେଉନାହାନ୍ତି, ବେଳେ ବେଳେ ମୁଖିଆଙ୍କର ଭିଡିଓ ବାର୍ତ୍ତା ଯଦିଓ ରହୁଛି ହେଲେ ସମାନ୍ତରାଳ ଭାବେ ପ୍ରତି କ୍ଷେତ୍ରରୁ ସାଂଗଠାନିକ ବିସ୍ତାର ପାଇଁ ରଣନୀତି ତିଆରି ହୋଇ କାର୍ଯ୍ୟକାରୀ ହେଉଛି । ଯାହାକୁ ପୁରା ୩୬୦ ଡିଗ୍ରୀର କାର୍ଯ୍ୟକ୍ରମ ବୋଲି କୁହାଯାଉଛି । ଏଭଳି କରିବା ପଛରେ ଏକ ସୁଚିନ୍ତିତ ରଣନୀତି ମଧ୍ୟ ରହୁଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନିର୍ଦ୍ଦିଷ୍ଟ କିଛି ଦିଗ ଆଉ ବିକାଶମୁଳକ କାର୍ଯ୍ୟ ଆଉ ସର୍ବୋପରି ଲୋକାଭିମୁଖୀ ସରକାର ଆଉ ପ୍ରଶାସନ ଦିଗରେ କାର୍ଯ୍ୟ କରୁଥିବା ବେଳେ ସାଂଗଠନିକ ବିସ୍ତାର ଆଉ ନୁଆ ଲୋକଙ୍କୁ ଦଳ ପ୍ରତି ଆଗ୍ରହ ସୃଷ୍ଟି କରିବା ଦାୟିତ୍ୱ ସଂପୁର୍ଣ୍ଣ ଭାବେ ଛାମୁଆ ସଂଗଠନ ଉପରେ ଡଛାଡିଛନ୍ତି । ଯାହାର ଏକ ସିଂହଭାଗ ବୋଝକୁ ସଫଳତାର ସହ ନିର୍ବାହ କରିଚାଲିଛନ୍ତି ବ୍ୟୋମକେଶ ରାୟ ।

କୈାଣସି ବି ରାଜନେତା ଯଦି ବ୍ୟୋମକେଶ ରାୟଙ୍କ ଯାଗାରେ ଥାନ୍ତେ, ତେବେ ତାଙ୍କ ପାଇଁ ଏହି କାର୍ଯ୍ୟ ସହଜ ହୋଇନଥାନ୍ତା । ନିଜ ପତ୍ନୀଙ୍କୁ ହରାଇବାର ଦୁଃଖକୁ ସେ ମନରୁ ଭୁଲାଇ ପାରୁନାହାନ୍ତି, ତଥାପି ସେ ଦଳ ପାଇଁ ନିଜ ସମୟକୁ ସମର୍ପି ଦେଇଛନ୍ତି । ନିଜ ଛୋଟ ଝିଅକୁ କଣ କହିବେ ଆଉ କିଭଳି ବୁଝାଇବେ ସେଥିପାଇଁ ଶଦ୍ଦ ପାଉନାହାନ୍ତି, ହେଲେ ତାଆଖିରେ କେବେ ଲୁହ ଆଣିବାକୁ ଦେଉନାହାନ୍ତି । ସେ ମ୍ରିୟମାଣ ହୋଇ ବସିବା ଲୋକଙ୍କ ଭିତରେ ନୁହଁନ୍ତି ଯାହାକୁ ସେ ପ୍ରମାଣିତ କରିଛନ୍ତି । ଦୁଃଖର ପାହାଡକୁ କିଭଳି ଅତିକ୍ରମ କରି ଆଗକୁ ବଢିବାକୁ ହୁଏ ତାକୁ ସେ ବେଶ ଭଲଭାବେ ହୃଦୟଙ୍ଗମ କରିଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ମଧ୍ୟ । ବ୍ୟୋମକେଶ ରାୟ ଦଳର ସେହି ଅନ୍ୟ ନେତାମାନଙ୍କ ପାଇଁ ଉଦାହରଣ, ଯେଉଁମାନେ ପଦପଦବୀ ପାଇବାକୁ ସବୁବେଳେ ଲାଳାୟିତ । ସୁବିଧାରେ ଆଉ ସହଜରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖୁଥିବା ନେତାଙ୍କ ପାଇଁ ସେ ପ୍ରେରଣା । କାରଣ, ଦଳ ପାଇଁ ସମର୍ପଣର ମନୋଭାବ ହିଁ ଜଣଙ୍କୁ ଆଗକୁ ବଢାଇବାର ସୁଯୋଗ ତିଆରି କରିଥାଏ ।

୨୦୩୬ର କଥାକୁ ମୁଖ୍ୟମନ୍ତ୍ରୀ ଭିଜନ ଆକାରରେ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି । ସ୍ୱତନ୍ତ୍ର ରାଜ୍ୟ ଗଠନର ୧୦୦ ବର୍ଷ ପୁର୍ତ୍ତି ଯେତେବେଳେ ରାଜ୍ୟ ପାଳନ କରିବ ସେତେବେଳ ସମୃଦ୍ଧ ଓଡିଶାର ଗଠନରେ ବିଜେଡିର ଏକ ଗୈାରବରମୟ ଅଧ୍ୟାୟ ଥିବ, ଆଉ ଯାହାର ନାୟକ ସାଜିଥିବେ ରାଜ୍ୟର ଯୁବସମାଜ, ଯେଉଁମାନଙ୍କର ନେତୃତ୍ୱ ନେଉଥିବେ ବାପି ରାୟଙ୍କ ଭଳି ନେତା । ୨୦୦୦ ମସିହାରେ କଂଗ୍ରେସର ଦୁର୍ନୀତି ଆଉ ଅରାଜକତାର କଥା କହି ବିଜେଡି କ୍ଷମତାକୁ ଆସିଥିଲା । ଆଉ ସେହି ସମୟରେ ରାଜ୍ୟରେ ଜନ୍ମ ହୋଇଥିବା ପୁଅ ଝିଅ ଆଜି ଭୋଟ ଦେବାର ଯୋଗ୍ୟତା ହାସଲ କରିସାରିଲେଣି । ସେମାନେ ବିଜେଡିର ଶାସନକୁ ଦେଖି ଆଗକୁ ବଢିଛନ୍ତି । ସେମାନଙ୍କୁ ଆଉ ଅତୀତର କଳାଶାସନର ଦ୍ୱାହି ଦିଆଯାଇ ପାରିବନି । ସେମାନଙ୍କୁ ଯଦି ଭୋଟ ମଗାଯିବ ତେବେ ନିଜ ଶାସନର ଉପଲବ୍ଧି ଏବଂ ବିକାଶର ନକ୍ସା ଦେଖାଇ ଭୋଟ ଭିକ୍ଷା କରାଯିବ । ଆଉ ଠିକ ସେହି ସମୟରେ ବିଜେପି ଏକ ବଡ ବିପଦ ହୋଇ ଉଭା ହୋଇଛି । ଯାହାର ନେତା ନରେନ୍ଦ୍ର ମୋଦିଙ୍କ ପ୍ରତି ଯୁବ ସମାଜର ଏକ ଅହେତୁକ ଦୁର୍ବଳତା ରହିଛି । ତେଣୂ ରାଜ୍ୟରେ ଯୁବ ସମାଜ ଭିତରେ ନବୀନଙ୍କ ଯେଉଁ ଗ୍ରହଣୀୟତା ରହିଛି ତାକୁ ଆକାଶଛୁଆଁ କରାଇବାକୁ ଏକ ମିଶନ ମୋଡରେ ବାହାରିଛନ୍ତି ବାପି ରାୟ ।

ରାଜନୈତିକ ମହଲର ଚର୍ଚ୍ଚା ଅନୁସାରେ ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କର ଏକାନ୍ତ ବିଶ୍ୱସ୍ତ ବ୍ୟୋମକେଶ ରାୟ । ନିଜ ସାଂଗଠନିକ ଦକ୍ଷତା ଜରିଆରେ ସେ ବବିଙ୍କ ନିକଟତର ହୋଇପାରିଛନ୍ତି । ପାଇବାର ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ବଦଳରେ ଦଳ ପାଇଁ ନିଜର ସବୁ ସମୟକୁ ଲେଖିଦେବା ହିଁ ଦଳ ଭିତରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ମୟୁରଭଂଜ ଭଳି ଜିଲ୍ଲାର କଥା ବୁଝିବା ମଧ୍ୟ ତାଙ୍କ ଉପରେ ନ୍ୟସ୍ତ । ବବି ଜିଲ୍ଲାର ପର୍ଯ୍ୟବେକ୍ଷକ ଆଉ ତାଙ୍କର ଦୁଇ ହାତ ଭଳି ଜିଲ୍ଲାରେ ସମସ୍ତ କାର୍ଯ୍ୟକୁ ଆଗକୁ ବଢାଉଛନ୍ତି ବାପି ରାୟ ଆଉ ପ୍ରଣବ ବଳବନ୍ତରାୟ । କହିବାକୁ ଗଲେ ଏହି ତ୍ରିମୁର୍ତ୍ତି ହିଁ ହେଉଛନ୍ତି ଦଳର ଭବିଷ୍ୟତ । ଦଳକୁ ଆହୁରି ଦଶନ୍ଧି ଦଶନ୍ଧି ଧରି କ୍ଷମତାରେ ରଖିବାକୁ ଏବଂ ରାଜ୍ୟକୁ ଶ୍ରେଷ୍ଠରେ ପରିଣତ କରିବାକୁ ଏମାନେ କରିଚାଲିଛନ୍ତି ଅହରହ ସଂଗ୍ରାମ । ରୋଡମ୍ୟାପ ତିଆରି କରି କାର୍ଯ୍ୟକାରୀ କରିଚାଲିଛନ୍ତି ।

ଦଳ ପ୍ରତି ଆଗ୍ରହ ଦେଖାଇ ଯେଉଁ ଛାତ୍ର ଆଉ ଯୁବ ସମାଜ ବିଜେଡିରେ ସାମିଲ ହେଉଛନ୍ତି ସେମାନଙ୍କ ପାଇଁ ବାପି ରାୟ ହେଉଛନ୍ତି ଆଦର୍ଶ । ନିଶ୍ୱାର୍ଥପର ସେବା ସହ ନିରନ୍ତର ସଂଗ୍ରାମ ତାଙ୍କ ପାଇଁ ଆଗକୁ ବଢିବାର ବାଟ ତିଆରି କରୁଛି । ଶିକ୍ଷାଗତ ଯୋଗ୍ୟତାରେ ଅନ୍ୟନେତାଙ୍କ ଠାରୁ ଢେର ଆଗରେ ଥିବା ବାପି ରାୟ ନିଜ ବୁଦ୍ଧି ଆଉ ପରିଶ୍ରମ ବଳରେ ସବୁକିଛି ହାସଲ କରିବାର କ୍ଷମତା ଏବଂ ଦକ୍ଷତା ରଖୁଛନ୍ତି । ମନ୍ତ୍ରୀପଦ ପାଇଁ ଲବି କରିବା ବଦଳରେ ସଂଗଠନରେ ରହି କାର୍ଯ୍ୟ କରିବାକୁ ସେ ଅଧିକ ଗୁରୁତ୍ୱ ଦେଉଛନ୍ତି । ମନ୍ତ୍ରୀପଦ ନପାଇଲେ ଦଳ ବିରୋଧରେ କାର୍ଯ୍ୟକରୁଥିବା ନେତା ବାପି ରାୟଙ୍କ ଠାରୁ ଅନେକ କିଛି ଶିଖୀବାର ଆବଶ୍ୟକତା ରହିଛି । ଦଳ ରହିଲେ ନେତା ରହିବେ, ସରକାର ତିଆରି ହେବ, ମନ୍ତ୍ରୀପଦ ମିଳିବ ଆଉ ଯଦି ଦଳ କ୍ଷମତାରେ ନରହିବ ତେବେ ଏପବୁ ଅପ୍ରାସଙ୍ଗିକ ହୋଇଯିବ । ତେଣୁ ସୁଦୃଢ ମୁଳଦୁଆ ଉପରେ ବିଶାଳ ଅଟ୍ଟାଳିକା କରିବାର ଯେଉଁ ଦାୟିତ୍ୱ ବାପି ରାୟଙ୍କୁ ମିଳିଛି ତାକୁ ସେ ଆଗକୁ ବଢାଇବାରେ ବ୍ୟସ୍ତ ଅଛନ୍ତି ଆଉ ଦଳକୁ ସୁଦୃଢ କରିବାର ସଂକଳ୍ପ ନେଇ ଆଗକୁ ବଢିଚାଲିଛନ୍ତି ।

Comments (0)
Add Comment