ବଞ୍ଚିଗଲା ଦିଦିଙ୍କ ମୁଖ୍ୟମନ୍ତ୍ରୀ ଆସନ

ଭବାନୀପୁର ଉପ-ନିର୍ବାଚନରେ ବଡ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ମାତ୍ ଦେଇଛନ୍ତି ମମତା । ଭବାନୀପୁରବାସୀଙ୍କ ଭରସାର ଭୋଟ ପାଇଁ ମମତା କେବଳ ଏହି ନିର୍ବାଚନ ଜିତିନାହାନ୍ତି ବରଂ ନିଜ ରେକର୍ଡ ଭାଙ୍ଗିଛନ୍ତି ।
ଭବାନୀପୁରରେ ଉଡିଲା ମମତାଙ୍କ ବିଜୟ ବାନା । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ମାତ୍ ଦେଇ ମହାବିଜୟ ହାସଲ କରିଛନ୍ତି ମମତା ।ଏହି ବିଜୟ ମମତାଙ୍କ ପାଇଁ ଅନେକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିଲା । କାରଣ ଏହି ଆସନ ମାଧ୍ୟମରେ ନିଜ ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇବା ପାଇଁ ମମତାଙ୍କ ପାଖରେ ଶେଷ ସୁଯୋଗ ରହିଥିଲା । ଏହାଛଡା ଭବାନୀପୁର ଆସନରେ ବିଜୟ ସହ ମମତା ବିଜେପିକୁ ମଧ୍ୟ କଡା ଜବାବ ଦେଇଛନ୍ତି । ଭବାନୀପୁରବାସୀ ଭରସାର ଭୋଟ ଦେଇ ମମତାଙ୍କ ମୁଖ୍ୟମନ୍ତ୍ରୀ ଆସନକୁ ସୁରକ୍ଷିତ କରିଛନ୍ତି ।
ଗତ ୩୦ ତାରିଖରେ ଭବାନୀପୁର ଉପ-ନିର୍ବାଚନ ପାଇଁ ମତଦାନ ହୋଇଥିଲା । ମମତାଙ୍କ ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ନିର୍ବାଚନର ଫଳାଫଳ ମମତାଙ୍କ ସପକ୍ଷରେ ନ ଯାଇଥିଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା । କାରଣ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ବିଧାନସଭାର ସଦସ୍ୟ ନଥାଇ ଯଦି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିଥାଏ । ନଚେତ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାଏ । ଯେହେତୁ ମମତା ନନ୍ଦୀଗ୍ରାମ ଆସନରୁ ପରାଜିତ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଛନ୍ତି ତେଣୁ ଭବାନୀପୁର ଆସନରେ ବିଜୟୀ ହେବା ତାଙ୍କ ପାଇଁ ଜରୁରୀ ହୋଇ ପଡିଥିଲା ।

Comments (0)
Add Comment