ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗାଦିସୀନ ହେବାକୁ ଯାଉଛନ୍ତି ମମତା ବାନାର୍ଜୀ । ୨୧୧ଟି ଆସନ ଜିତି ପୂର୍ଣ୍ଣ ବହୁମତ ପାଇବା ପରେ ଦିଦି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାନେଇ ସ୍ପଷ୍ଟ ଅନୁମାନ କରାଯାଉଥିଲା । ଶେଷରେ ସେୟା ହିଁ ହୋଇଛି । ଦଳର ବରିଷ୍ଠ ନେତା ଏବଂ ନବ ନିର୍ବାଚିତ ବିଧାୟକଙ୍କମାନଙ୍କ ସର୍ବସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳ ନେତା ଘୋଷିତ କରାଯାଇଛି । ପଶ୍ଚିମବଙ୍ଗରେ ମହାବିଜୟ ପାଇବା ପରେ ଆସନ୍ତା ମେ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ।
ନନ୍ଦିଗ୍ରାମରୁ ହାରିଥିଲେ ମଧ୍ୟ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ମେ ୫ ତାରିଖରେ ଶପଥ ଗ୍ରହଣ କରିବେ । ଦଳର ବୃହତ ବିଜୟ ପରେ ଟିଏମସିର ସମସ୍ତ ନବନିର୍ବାଚିତ ବିଧାୟକ ଦିଦିଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି । ତେଣୁ ସୁପ୍ରିମୋ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ନେଇ ମଧ୍ୟ ବୈଠକରେ ଏକପ୍ରକାର ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ଟିଏମସିରେ ବିଧାୟକ ଦଳ ନେତା ହେବା ପାଇଁ କୈଣସି ଦାବିଦାର ନାହାଁନ୍ତି । ମମତା ବାନାର୍ଜୀ ହିଁ ଦଳର ସର୍ବମାନ୍ୟ ନେତା । ତେଣୁ ସମସ୍ତ ବିଧାୟକ ସର୍ବ ସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ ଦଳ ରୂପେ ଚୟନ କରିଛନ୍ତି । ଆସନ୍ତା ୫ ତାରିଖରେ ଦିଦି ଶପଥ ନେବାକୁ ଯାଉଛନ୍ତି । ତେବେ ଏକ ସରଳ ଶପଥ ଗ୍ରହଣ କାର୍ୟ୍ୟକ୍ରମ କରାଯିବ । ଦେଶ କରୋନା ଯୁଦ୍ଧରେ ଜିତିବା ପର୍ୟ୍ୟନ୍ତ କୌଣସି ପ୍ରକାରର ଶୋଭାଯାତ୍ରା କରାଯିବନି ବୋଲି କହିଛନ୍ତି ମମତା ବାନାର୍ଜୀ । ୫ ତାରିଖରେ ଦିଦିଙ୍କ ଶପଥ ଉତ୍ସବ ପରେ ମନ୍ତ୍ରୀ ମଣ୍ଡଳ ୬ ତାରିଖରେ ଶପଥ ନେଇପାରେ ବୋଲି ଜଣାପଡିଛି ।
ରବିବାର ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ଯେଉଁଥିରେ ମମତାଙ୍କ ତୃଣମୂଳ କଂଗ୍ରେସ ୨ଶହରୁ ଅଧିକ ସିଟ୍ ଜିତିବା ସହିତ ବିଜେପିକୁ ମାତ୍ ଦେଇଥିଲା । ଟିଏମସି ୨୯୨ଟି ଆସନ ମଧ୍ୟରୁ ୨୧୨ଟି ଆସନ ଜିତି ବିଜେପିର ପଶ୍ଚିମବଙ୍ଗ ହାତେଇବାର ସ୍ବପ୍ନକୁ ମାଟିରେ ମିଶାଇ ଦେଇଥିଲା। ପଶ୍ଚିମବଂଗରେ ଟିଏମ୍ସିର ହ୍ୟାଟ୍ରିକ୍ ବିଜୟ ସହ ଦଳ ସୁପ୍ରିମୋ ମମତା ବାନାର୍ଜୀ ରାଜ୍ୟରେ ବିଜେପିକୁ ଅସଲ ଖେଳ ଦେଖାଇଛନ୍ତି। ଦିଦିଙ୍କ ଦମ୍ ଆଗରେ ବିଜେପିର ଯୋଜନା ଫେଲ ମାରିଛି।