ମମିତା ହତ୍ୟାକାଣ୍ଡକୁ ନେଇ ଜୋରସୋରରେ ଚାଲିଛି ତନାଘନା । ମହାଲିଙ୍ଗ ଷ୍ଟାଡିୟମରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗୀର ଏସପି । ମମିତାଙ୍କ ମୃତଦେହକୁ ଯେଉଁଠି ପୋଡାଯିବା ପରେ ପୋତା ଯାଇଥିଲା ସେଠାରେ ପହଞ୍ଚି କରିଛନ୍ତି ଛାନଭିନ୍ । ଫରେନସିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାତରୁ ବିଭିନ୍ନ ନମୁନା ସଂଗ୍ରହ କରାଯାଉଛି । ଏପରିକି ଏଠାରେ ଆଉ କିଛି ଲୁଚାଯାଇଥିବା ସନ୍ଦେହ କରୁଛି ପୋଲିସ ।
ମମିତାଙ୍କର ଯେଉଁ ମୋବାଇଲ ଗାଏବ ଅଛି ତାହାକୁ ପୋଲିସ ଖୋଜୁଥିବା କୁହାଯାଉଛି । କାରଣ ଏହି ଗାତ ଭିତରୁ ମମିତାଙ୍କର ପାଉଁଜି ଓ ସୁନା ଚେନ ମିଳିଥିବା ବେଳେ ମୋବାଇଲ ଏଯାଏଁ ମିଳିପାରିନାହିଁ । ଆଉ ଏହି ମୋବାଇଲରେ ପ୍ରମାଣ ରହିଥିବା କୁହାଯାଉଛି ।
ଗୋବିନ୍ଦଙ୍କୁ ଗିରଫ ପରେ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ତେଣୁ ଏହି ସମୟ ମଧ୍ୟରେ ଗୋବିନ୍ଦଙ୍କ ବିରୋଧରେ ପ୍ରମାଣ ଯୋଗାଡ କରିବାରେ ଲାଗିଛି ପୋଲିସ । ମମିତା ହତ୍ୟା ମାମଲାକୁ ନେଇ ଆସୁଛି ନୂଆ ନୂଆ ତଥ୍ୟ । ମମିତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କଟାଯାଇଥିଲା । ପୋଡିବା ପୂର୍ବରୁ ଖଣ୍ଡଖଣ୍ଡ କରି କଟାଯାଇଥିଲା । ଗୋବିନ୍ଦ ଓ ତାଙ୍କ ସହଯୋଗୀ ଏଭଳି କରିଥିବା ପୋଲିସ ସନ୍ଦେହ କରୁଛି ।