ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ତୃଣମୂଳ କଂଗ୍ରେସ ପାର୍ଟି । ୨୯୪ଟି ଆସନ ମଧ୍ୟରୁ ୨୯୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମସି । ଏଥର ଦଳ ୧୦୦ ଟି ଆସନରେ ନୂଆ ଚେହେରା ଦେଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ୫୦ ଜଣ ମହିଳା ରହିଛନ୍ତି । ଉତ୍ତର ବଙ୍ଗଳାର ୩ ଆସନରେ ଟିଏମସି ପ୍ରତିଦ୍ୱନ୍ଦିତା କରିବ ନାହିଁ ବୋଲି ଜଣାପଡିଛି । ଏହା ସହ ମମତା ବାନାର୍ଜୀ ନିଜେ ନନ୍ଦୀଗ୍ରାମରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଏଥର ମମତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଭବାନୀପୁରରୁ ନିର୍ବାଚନ ଲଢ଼ିବେ ମନ୍ତ୍ରୀ ଶୋଭନଦେବ ଚାଟାର୍ଜୀ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେଉଁ ଆସନରୁ ଲଢିବେ ସେ ନେଇ କଳ୍ପନା ଜଳ୍ପନା ଜାରି ରହିଥିଲା । ତେବେ ଏହା ଉପରୁ ପର୍ଦ୍ଦା ହଟାଇଛନ୍ତି ଦିଦି । ଏଥର ଭାବନୀପୁର ବଦଳରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ମମତା । ଆସନ୍ତା ୧୦ ତାରିଖରେ ସେ ଏହି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ । ଅର୍ଥାତ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏଥର ମମତା ବାନାର୍ଜୀଙ୍କ ମୁହାଁମୁହିଁ ଲଢେଇ ହେବ । କିଛି ଦିନ ତଳେ ଟିଏମ୍ସିରୁ ଯାଇ ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ, ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହେବାକୁ ଚ୍ୟାଲେଞ୍ଜ୍ କରିଥିଲେ । ତେବେ ଶୁଭେନ୍ଦୁଙ୍କ ଏହି ଚ୍ୟାଲେଞ୍ଜଙ୍କୁ ଗ୍ରହଣ କରିଛନ୍ତି ଦିଦି । ନିଜେ ନନ୍ଦିଗ୍ରାମ ଆସନରୁ ଲଢିବା ନେଇ ଘୋଷଣା କରିଛନ୍ତି ମମତା ବାନାର୍ଜୀ ।
ମମତା ବାନାର୍ଜୀ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଭବାନୀପୁର ଆସନରୁ ସୋମଦେବ ଭଟ୍ଟାଚାର୍ୟ୍ୟ ପ୍ରାର୍ଥୀ ହେବେ । ଏହାସହ ଏଥର ନିର୍ବାଚନ ଜିତିଲେ ରାଜ୍ୟରେ ବିଧାନପରିଷଦ ବନାଇବେ । ଏହି ନିର୍ବାଚନରେ ଯେଉଁ ନେତାମାନେ ପ୍ରାର୍ଥୀ ହୋଇପାରି ନାହାନ୍ତି ସେମାନଙ୍କୁ ବିଧାନପରିଷଦରେ ଥଇଥାନ କରାଯିବ ।
ମମତା ବାନାର୍ଜୀ ଦୀର୍ଘ ୧୦ ବର୍ଷ ହେବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି । ହେଲେ ଏଥର ପ୍ରଥମଥର ପାଇଁ ବିଜେପି ମମତାଙ୍କୁ କଡା ଟକ୍କର ଦେଉଛି । ବିଜେପିର ହିନ୍ଦୁତ୍ୱ ରାଜନୀତିକୁ ଜବାବ୍ ଦେବାକୁ ମମତା ଶିବରାତ୍ରୀ ଦିନ ନନ୍ଦୀଗ୍ରାମରୁ ନାମାଙ୍କନପତ୍ର ଦାଖଲ କରିପାରନ୍ତି । ପଶ୍ଚିମବଙ୍ଗରେ ମୋଟ ୮ଟି ପର୍ୟ୍ୟାୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ ।ବଶୀଘ୍ର ବିଜେପି ପକ୍ଷରୁ ମଧ୍ୟ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇପାରେ । ଏହା ସହିତ କଂଗ୍ରେସ-ବାମପନ୍ଥୀ ମେଣ୍ଟ ମଧ୍ୟ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିପାରନ୍ତି ।