ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ଚାଲିଛି ସବୁଠାରୁ ବଡ ଲଢେଇ ।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡା ଟକ୍କର ଚାଲିଛି । ମତଦାନ ଚାଲିଥିବାବେଳେ ବିଭିନ୍ନ ବୁଥରେ ହିଂସାକାଣ୍ଡ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ ମମତା ବୁଥ ଆଗରେ ଧାରଣା ଦେଇଛନ୍ତି ।ବାହାର ଲୋକ ସ୍ଥାନୀୟ ଲୋକଙ୍କୁ ଭୋଟଦେବାକୁ ଦେଉନାହାନ୍ତି ଅଭିଯୋଗ କରିଥିଲେ ମମତା ।
ମତଦାନ ଚାଲିଥିବାବେଳେ ମମତା ହ୍ୱିଲ ଚେୟାରରେ ହିଁ ଧାରଣାରେ ବସିବା ସହ ସ୍ଥାନୀୟ ଲୋକଙ୍କୁ ଭେଟିଛନ୍ତି । ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ବାହାର ରାଜ୍ୟର ଲୋକଙ୍କୁ ଗୁଣ୍ଡା ପଠାଇଛି । ଏପରିକି ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହାସହ ସେ ସିଧାସଳଖ ରାଜ୍ୟପାଳ ଜଗଦୀପ ଧନକଡଙ୍କ ସହ ଫୋନରେ ଯୋଗାଯୋଗ କରି ଏବାବଦରେ ଅବଗତ କରିଥିଲେ । ଏହାସହ ରାଜ୍ୟରେ ନିରପେକ୍ଷ ନିର୍ବାଚନ କରିବାକୁ ଦାବି କରିଥିଲେ । ରାଜ୍ୟପାଳ ମଧ୍ୟ ନିରପେକ୍ଷ ନିର୍ବାଚନ ଆୟୋଜନ ନେଇ ଆଶ୍ୱାସନା ଦେଇଥିବା ସୂଚନା ମିଳିଛି ।
ମତଦାନ ଚାଲିଥିବା ବେଳେ ଶୁଭେନ୍ଦୁଙ୍କ କାରକେଡ୍ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ସେ ଟିଏମସିକୁ ଏଥିପାଇଁ ଦାୟୀ କରିଥିଲେ । ଏସବୁ ଘଟଣା ପରେ ମମତା ବାନାର୍ଜୀ ନିଜେ ବିଭିନ୍ନ ବୁଥ୍ ଯାଇ କାର୍ୟ୍ୟକର୍ତ୍ତାଙ୍କୁ ଭେଟିଥିଲେ । ଏହି ସମୟରେ କିଛି ବୁଥରେ ଅନିୟମିତତା ନେଇ ଟିଏମସି ନେତା ସାଙ୍ଘାତିକ ଅଭିଯୋଗ ଆଣିଥିଲେ ।