ସ୍ୱାଭାବିକ ହୋଇପାରୁନି ଗୃହ । ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ବି ମଣ୍ଡି ଅବ୍ୟବସ୍ଥାକୁ ନେଇ ଉଠିଲା ପଡିଲା ଗୃହ । ଗୃହ ଆରମ୍ଭ ହେବା ମାତ୍ରେ ସରକାରଙ୍କୁ ଘେରି ଜୋରଦାର ହଙ୍ଗାମା କରିଥିଲେ ବିରୋଧୀ । ପୋଡିୟମ ତଳେ ହୋହାଲ୍ଲା କରିଥିଲେ କଂଗ୍ରେସ ଓ ବିଜେପି ବିଧାୟକ । ତେବେ ହୋହାଲ୍ଲା ଭିତରେ ଚାଷୀ ଓ ମଣ୍ଡି ସମସ୍ୟାକୁ ନେଇ ବିରୋଧୀଙ୍କ ହୋହାଲ୍ଲା ଭିତରେ ଗୃହରେ ଉତର ରଖିଥିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତେବେ ମନ୍ତ୍ରୀଙ୍କ ବିବୃତିରେ ଅସନ୍ତୋଷ ପ୍ରକାଶ କରିଥିଲେ ବିରୋଧୀ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଯୋଗାଣ ମନ୍ତ୍ରୀଙ୍କ ଉତର କପିକୁ ଚିରି ବାଚସ୍ପତିଙ୍କ ପାଖକୁ ଫିଙ୍ଗିଥିଲେ ।
ବିଜେପି ସଦସ୍ୟମାନେ ଗାଉନ ପିନ୍ଧି, ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ଚଳିତ ବର୍ଷ ଗତ ୧୯ ତାରିଖ ସୁଦ୍ଧା ୫୫ ଲକ୍ଷ ୩ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଗତବର୍ଷ ୪୫ ଲକ୍ଷ ୬୧ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା । ଯାହାକି ଗତବର୍ଷ ତଳନାରେ ୨୧ ପ୍ରତିଶତ ଅଧିକ । ବର୍ତମାନ ସୁଦ୍ଧା ୯ ଲକ୍ଷ ୯୩ ହଜାର ଚାଷୀ ଧାନ ବିକ୍ରି କରିଛନ୍ତି । ଏ ବାବଦକୁ ୧୦ ହଜାର ୨୮୧ କୋଟି ଟଙ୍କା ଚାଷୀଙ୍କ ଆକାଉଂଟକୁ ପଠାଯାଇଛି । ଧାନର କ୍ରୟ ଦିବସର ୭ ଦିନ ପୂର୍ବରୁ ଚାଷୀଙ୍କୁ କ୍ରୟ ତାରିଖ ଓ ପରିମାଣ ସଂପର୍କରେ ଜଣାଇଦିଆଯାଉଛି । ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଧାନ ସଂଗ୍ରହ ଚାଲିବ ବୋଲି ମନ୍ତ୍ରୀ କହିଥିଲେ ।
ହେଲେ ମନ୍ତ୍ରୀଙ୍କ ଉତର ବିରୋଧୀଙ୍କ ଖୁସି କରିପାରିନଥିଲା । ମନ୍ତ୍ରୀଙ୍କ ବିବୃତି ପରେ ମଧ୍ୟ କେବଳେ ଗୃହ ଭିତରେ ନୁହେଁ ଗୃହ ବାହାରେ ମଧ୍ୟ ପ୍ରତିବାଦ କରିଥିଲେ ବିଜେପି ସଦସ୍ୟ । ମଣ୍ଡିରେ ପଡିଥିବା ଧାନ ନଉଠିବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି କହିଥିଲେ ବିଜେପି ବିଧାୟକ । ସେପଟେ କଂଗ୍ରେସ କହିଥିଲା, ସରକାର ଆଲୋଚନାକୁ ଡରୁଛନ୍ତି । ଗୋଟିଏ ଦିନ ଚାଷୀ ପ୍ରସଙ୍ଗରେ ଆଲୋଚନା କରାଯାଉ । ଚାଷୀ ସମସ୍ୟା ଗୁରୁତର ଥିବାରୁ ଗୃହରେ ଆଲୋଚନା ପାଇଁ ଦାବି କରୁଛନ୍ତି ବିରୋଧୀ । ହେଲେ ବିରୋଧୀଙ୍କ ଦାବିକୁ ସରକାର ଗ୍ରହଣ କରିନାହାନ୍ତି । ଫଳରେ ବାରମ୍ବାରକୁ ଗୃହରେ ହୋହାଲ୍ଲା କରୁଛନ୍ତି ବିରୋଧୀ ସଦସ୍ୟ ।