ଦଶନ୍ଧି ଦଶନ୍ଧି ଧରି ରାଜଧାନୀର ପ୍ରତୀକ ପାଲଟିଥିବା ମାଷ୍ଟରକ୍ୟାଣ୍ଟିନ ଘୋଡ଼ା ହେବ ସ୍ଥାନାନ୍ତର । କିଛି ଦିନ ଭିତରେ ମାଷ୍ଟର କ୍ୟାଂଟିନ ଛକରେ ଥିବା ଏହି ଐତିହ୍ୟ ଏଠାରେ ଦେଖିବାକୁ ମିଳିବନି । ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଂଚିବାକୁ ଯୋଜନା କରାଯାଉଛି । ସ୍ମାର୍ଟ ଜନପଥର ବିକାଶ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
ଓଡ଼ିଶାର ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ଅନନ୍ୟ ସୃଷ୍ଟି ମାଷ୍ଟରକ୍ୟାଣ୍ଟିନ ଛକର ଘୋଡ଼ା ଏବଂ ଯୋଦ୍ଧା ସ୍ଥାପତ୍ୟ ଏବେ ଏଠାରୁ ହଟିବାକୁ ଯାଉଛି। ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟିମୋଡାଲ ହବ୍ ନିର୍ମାଣ ଲାଗି ଯୋଜନା ରହିଛି। ମାଷ୍ଟର କ୍ୟାଂଟିନ ଛକରେ ସ୍ମାର୍ଟ ଜନପଥ ପ୍ରକଳ୍ପ ପାଇଁ ଏହି ପଦକ୍ଷେପ ନିଆଯାଇଛି । ୮୦ କୋଟିରେ କାର୍ୟ୍ୟକାରୀ ହେବାକୁ ଥିବା ପ୍ରକଳ୍ପରେ ବାଧା ଆଣୁଥିଲା ଐତିହ୍ୟ ।ଏହାସହ ମାଷ୍ଟରକ୍ୟାଣ୍ଟିନ ଦେଇ ଫ୍ଲାଏଓଭର ନିର୍ମାଣ ହେଲେ ଏହି ଛକରେ ଥିବା ଘୋଡ଼ା ଏବଂ ଯୋଦ୍ଧା ମୂର୍ତ୍ତି ଠିକରେ ଦେଖାଯିବ ନାହିଁ। ସେଥିପାଇଁ ମାଷ୍ଟରକ୍ୟାଣ୍ଟିନ ଥିବାରୁ ଏହି ମୂର୍ତ୍ତିକୁ ସ୍ଥାନାନ୍ତର କରିବା ଜରୁରୀ ଥିଲା ବୋଲି କହିଛନ୍ତି ସଂସ୍କୃତି ବିଭାଗ ନିର୍ଦ୍ଦେଶକ।
ସଂସ୍କୃତି ବିଭାଗ, ବିଏମସି ଓ ବିଡିଏ ଅଧିକାରୀଙ୍କ ବୈଠକରେ ମାଷ୍ଟରକ୍ୟାଣ୍ଟିନ ଛକର ଘୋଡ଼ା ସ୍ଥାନାନ୍ତରଣ ନିଷ୍ପତ୍ତି ହୋଇଛି । ରାଜଭବନ ନିକଟରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏହାକୁ ରଖାଯିବ । ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଘୋଡ଼ାକୁ ନେଇ ଥୋଇ ଦେବାକୁ ବିଡିଏକୁ ଦାୟିତ୍ବ ଦିଆଯାଇଛି। ମାସକ ମଧ୍ୟରେ ବିଡିଏ ଏହାକୁ ସ୍ଥାନାନ୍ତର କରିବ ବୋଲି କୁହାଯାଇଛି।
ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ମୂର୍ତ୍ତିକୁ ୧୯୮୮ ମସିହାରେ ସ୍ଥାପନ କରାଯାଇଥିଲା। ସ୍ଥପତି ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଏହି ମୂର୍ତ୍ତିର ନିର୍ଣାଣ କରିଥିଲେ। ସେପଟେ ଏହି ଘୋଡା ଓ ଯୋଦ୍ଧା ମୂର୍ତ୍ତିର ସ୍ଥାନାନ୍ତରକୁ ରାଜ୍ୟ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ମୂର୍ତ୍ତି ସ୍ଥାନାନ୍ତର ବନ୍ଦ ନହେଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ବିଜେପି କହିଛି। ଅନ୍ୟପକ୍ଷେ, କଂଗ୍ରେସ ମଧ୍ୟ ମୂର୍ତ୍ତି ସ୍ଥାନାନ୍ତରକୁ ବିରୋଧ କରିଛି।