ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷର ପାସହାର ୯୭.୮୯ ପ୍ରତିଶତ । ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ ପାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି । ଗଣଶିକ୍ଷାମନ୍ତ୍ରୀ କଟକ ବୋର୍ଡ ଅଫିସରେ ରେଜଲ୍ଟ ପ୍ରକାଶ କରିଛନ୍ତି ।
ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୫ ଲକ୍ଷ ୬୨ ହଜାର ୧୦ ଜଣ । ୭ ହଜାର ୭୦୩ ପିଲା ଫେଲ ହୋଇଛନ୍ତି । ପାସ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ଲକ୍ଷ ୮୦ ହଜାର ୩୫୨ ଛାତ୍ର ପାସ କରିଥିବା ବେଳେ ୨ ଲକ୍ଷ ୮୧ ହଜାର ୬୫୮ ଛାତ୍ରୀ ପାସ କରିଛନ୍ତି । ଏ ୱାନ ଗ୍ରେଡ ୨୬୫୬ ପିଲା ପାଇଥିବା ବେଳେ ଏ ଟୁରେ ୨୨ ହଜାର ୧୩୧ ଜଣ ପାଇଛନ୍ତି । ସେହିପରି ବି ୱାନ ଗ୍ରେଡ଼ରେ ୫୨ ହଜାର ୧୯୯ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବି ଟୁ ଗ୍ରେଡରେ ୯୪ ହଜାର ୪୭୫ ପିଲା ପାସ କରିଛନ୍ତି । ୫ ହଜାର ୯୪୫ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି ।
ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରେ ପରୀକ୍ଷା ଦେଇପାରିବେ । ଏନେଇ ଜୁଲାଇ ୫ରୁ ଫର୍ମ ଫିଲପ କରାଯିବ । ଏଥର କୌଣସି ସ୍କୁଲରେ ରେଜଲ୍ଟ ଶୂନ୍ୟ ହୋଇ ନାହିଁ। ଏକ୍ସରେଗୁଲାରରେ ୫୩,୨୭୯ ଛାତ୍ର-ଛାତ୍ରୀଙ୍କ ମଧ୍ୟରୁ ୪୭,୦୬୦ ପାସ୍ ହୋଇଛନ୍ତି। ଏକ୍ସରେଗୁଲାରରେ ପାସ୍ ହାର ୮୮.୩୦ ପ୍ରତିଶତ ରହିଛି।