ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା..ଏବେ ଅପେକ୍ଷା କିଏ ଜିତିବ ଲୋକଙ୍କ ଭରସା ?

ରାଜ୍ୟର ୩ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଶାସକ ବିଜେଡି ଓ ବିଜେନି ନିଜର ମେୟର ପ୍ରାର୍ଥୀ ଘୋଷଣା କରିଛି।ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଭାବେ ସୁଲୋଚନା ଦାସଙ୍କ ନାଁ ଘୋଷଣା କରିଛି ବିଜୁ ଜନତା ଦଳ(ବିଜେଡି) । କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ସୁବାସ ସିଂଙ୍ ଓ ବ୍ରହ୍ମପୁର ମହାନଗର ନିଗମ ନିମନ୍ତେ ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କୁ ବିଜେଡି ନିଜର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି ।

ଭୁବନେଶ୍ୱର ମେୟର ପଦବୀ ନିମନ୍ତେ ଏକାଧିକ ମହିଳା ଦୌଡ଼ରେ ଥିଲେ। ହେଲେ ଅଧିକାଂଶ ନେତ୍ରୀଙ୍କର ବିଏମସି ଅଂଚଳରେ ଭୋଟର ଲିଷ୍ଟରେ ନାଁ ନ ଥିବାରୁ ସେମାନେ ବାଦ୍ ପଡ଼ିଥିଲେ । ୨୦୧୭ ଜୁନ ମାସରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ସୁଲୋଚନା ୨୦୧୯ ଅଗଷ୍ଟ ମାସରେ ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଥିଲେ । କଟକର ମେୟର ପ୍ରାର୍ଥୀ ସୁବାସ ସିଂ ୨୦୨୦ ଏପ୍ରିଲ ମାସରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଆଉ ୪ ବର୍ଷ କାର୍ୟ୍ୟକାଳ ବାକି ଥିବାବେଳେ ତାଙ୍କୁ ଦଳ କଟକରେ ମେୟର ପ୍ରାର୍ଥୀ କରାଇଛି

ସଂଘମିତ୍ରା ମହିଳା ବିଜେଡିର ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ଭାବେ ଦୀର୍ଘଦିନ ଧରି କାର୍ୟ୍ୟ କରୁଛନ୍ତି । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ନିଲମ୍ବନ କରିବା ପରଠୁ ସେ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଦାୟିତ୍ୱରେ ରହିଛନ୍ତି ।

ବିଜେଡି ଭୁବନେଶ୍ୱର ମେୟର ପାଇଁ ସୁଲୋଚନା ଦାସଙ୍କୁ ପ୍ରାର୍ଥୀ ଘୋଷମା କରିଥିବାବେଳେ ବିଜେପି ଲେଖିକା ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।କଂଗ୍ରେସ ମଧ୍ୟ ଭୁବନେଶ୍ୱର ମହାଗନର ନିଗମ ପାଇଁ ମଧୁସ୍ମିତା ଆଚାର୍ୟ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ସେପଟେ କଟକ ଏବଂ ବ୍ରହ୍ମପୁର ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଘୋଷଣା କରିନାହିଁ ।
ପ୍ରଥମ ଥର ପାଇଁ ରାଜ୍ୟରେ ମେୟର ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଭୁବନେଶ୍ୱର-କଟକ-ବ୍ରହ୍ମପୁର ମହାନଗର ନିଗମ ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ନିର୍ବାଚନ । ତେବେ ଆଗକୁ ହେବାକୁ ଯାଉଥିବା ନିର୍ବାଚନରେ କେଉଁ ପ୍ରାର୍ଥୀ ଲୋକଙ୍କ ପାଖରେ ପହଁଚି ପାରୁଛନ୍ତି । କିଏ ଭୋଟରଙ୍କ ଲୋକାଦୃତ ହୋଇପାରୁଛନ୍ତି ତାହା ଉପରେ ନଜର ରହିଛି ।

Comments (0)
Add Comment