‘ନିଆଁ’ ପାଇଁ ଜିଲ୍ଲା ବନ୍ଦ

ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି । ଶିମିଳିପାଳ ଜଳୁଥିବା ବେଳେ ଏହାକୁ ଆୟତ କରିବାରେ ଫେଲ ମାରିଛି ବନବିଭାଗ । ଜଙ୍ଗଲରୁ ଜଙ୍ଗଏ ନିଆଁ ବ୍ୟାପିବାରେ ଲାଗିଛି । ଏହା ପ୍ରତିବାଦରେ ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦେଇଛି ଭଞ୍ଜସେନା ।ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲିଭାଇବାରେ ବିଫଳତାକୁ ନେଇ ବନ୍ଦ ପାଳନ କରାଯାଉଛି ।

ଶିମିିଳିପାଳ ଅରଣ୍ୟରେ ଜଳୁଥିବା ନିଆଁ ଲିଭାଇବା ଏବଂ ଅରଣ୍ୟର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ଥିବା ‘ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ’ର ଉପନିର୍ଦେଶକ ଯଜ୍ଞଦତ୍ତ ପତିଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ବହିଷ୍କାର ଦାବି କରି ‘ଭଞ୍ଜସେନା’ ପକ୍ଷରୁ ବନ୍ଦ ପାଳନ ହୋଇଛି । ବନ୍ଦ ଯୋଗୁଁ ଜିଲ୍ଲାର ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଏବଂ ଗାଡ଼ିମଟର ଚଳାଚଳ ବନ୍ଦ ରହିବା ସହ ଜାତୀୟ ରାଜପଥର ଉଭୟ ଦିଗରେ ଅନେକ ଟ୍ରକ୍‌ ଅଟକି ରହିଛି । ବନ୍ଦରୁ ସମସ୍ତ ଜରୁରୀକାଳୀନ ସେବାଗୁଡିକୁ ବାଦ ଦିଆଯାଇଛି ।

ଭଞ୍ଜସେନାର କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ବାଇକ୍ ରାଲି କରି ବନ୍ଦକୁ ସମର୍ଥନ ଜଣାଇବା ପାଇଁ ଆହ୍ୱାନ ଦେଇଛନ୍ତି ଭଞ୍ଜସେନା କର୍ମୀ। ଏହି ବନ୍ଦ ପାଳନକୁ କଂଗ୍ରେସ, ସିପିଏମ୍‌’ ଓ ‘ସିଟୁ’ ମଧ୍ୟ ସମର୍ଥନ ଜଣାଇଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ୨୦୦୦ରୁ ଊର୍ଦ୍ଧ୍ୱ ଯୁବଛାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ଶିମିଳିପାଳ ଅରଣ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ନିଆଁ ଲିଭାଇବାକୁ ଉଦ୍ୟମ କରିବେ ବୋଲି ‘ଭଞ୍ଜସେନା’ର ସଂସ୍ଥାପକ କଳିଙ୍ଗକେଶରୀ ଜେନା କହିଛନ୍ତି ।

Comments (0)
Add Comment