କେହି ମୁହଁ ଖୋଲୁନାହାନ୍ତି । ଅଜଣା ଡର ସମସ୍ତଙ୍କୁ ମାଡି ବସୁଛି । ପେଟ୍ରୋଲ ଦର ୧୦୦ ଛୁଇଁବାକୁ ଆସିଲାଣି, ଗ୍ୟସ୍ ଦର ୮୦୦ ଟପିଲାଣି । ଧାରା ଏମିତି ଚାଲିଲେ ଖୁବଶୀଘ୍ର ଗ୍ୟାସ୍ ୧୦୦୦ ଟପିଯିବ । ହେଲେ ଓଡିଶାର ଗଣମାଧ୍ୟମ ସବୁ ଚୁପ୍ ହୋଇ ବସିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଓଡିଶାର ହେଲେ ଏନେଇ କେହି ପ୍ରଶ୍ନ କରୁନାହାନ୍ତି । କାହିଁକି ତେଲ ଦର ଆଉ ଗ୍ୟାସ୍ ଦର ବଢିଚାଲିଛି କେବେ କମିବ ତାର ସନ୍ତୋଷଜନକ ଉତ୍ତର କେନ୍ଦ୍ରମନ୍ତ୍ରୀ ଦେଉନାହାନ୍ତି, ତଥାପି କୈାଣସି ଗଣମାଧ୍ୟମ ଏହା ଉପରେ ପ୍ରଶ୍ନ ଉଠଇବା ବଦଳରେ ବୁ ଦେଖି ଚୁପ୍ ରହିଯାଉଛନ୍ତି ଠିକ ଯେମିତି ଦିଲ୍ଲୀରେ ଚାଲିଛି । ଦିଲ୍ଲୀରେ ଗଣମାଧ୍ୟମ କେନ୍ଦ୍ର ସରକାରଙ୍କର ଦୋଷ ଦୁର୍ବଳତା ଲୁଚାଉଥିବା ଅଭିଯୋଗ ହେଉଥିବା ବେଳେ ରାଜ୍ୟରେ ଗଣମାଧ୍ୟମ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦୁର୍ବଳତାକୁ ଲୁଚାଇ ଚାଲିଛନ୍ତି । ସମସ୍ତଙ୍କୁ ଦରବୃଦ୍ଧି ବାଧୁଥିବା ବେଳେ, ଗଣମାଧ୍ୟମ କିନ୍ତୁ ଏନେଇ ଚୁପ୍ ହୋଇ ବସିଛି ।
ଏହା ପଛର କାରଣ କଣ ତାକୁ ନେଇ ବୁଦ୍ଧିଜୀବି ମହଲରେ ତର୍ଜମା ଚାଲିଛି । କୁହାଯାଉଛି ବିଜ୍ଞାପନର ଲୋଭ ଆଉ କିଛି ଗଣମାଧ୍ୟମର ସଂପାଦକ ନିଜର ବ୍ୟକ୍ତିଗତ ଫାଇଦା ପାଇଁ ରାଜ୍ୟ ଆଉ କେନ୍ଦ୍ରରେ କ୍ଷମତାରେ ଥିବା କିଛି ନେତା ମନ୍ତ୍ରୀଙ୍କ ଗୋଡାଣିଆ ହେଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । କିଛି ସଂପାଦକ ମନ୍ତ୍ରୀଙ୍କୁ ଖୁସି କରି ଭଲ ପଦବୀ ପାଇବାର ଆଶାରେ ଥିବା ବେଳେ ଆଉ କିଛି ନିଜ ସଂପର୍କୀୟଙ୍କ ନାଁରେ ମନ୍ତ୍ରୀଙ୍କ ଠାରୁ ଲାଭ ଉଠାଇ ଚାଲିଛନ୍ତି । ଉପରକୁ ସବୁକିଛି ଠିକ ଦେଖାଯାଉଥିବା ବେଳେ ଭିତରେ କିନ୍ତୁ ବ୍ୟକ୍ତିଗତ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଥିବାରୁ କୈାଣସି ବିବାଦୀୟ ପ୍ରସଙ୍ଗରେ ମୁହଁ ଖୋଲିବାକୁ ଉଚିତ ମଣୁନାହାନ୍ତି । କୁହାଯାଉଛି, ଯେଯାଏଁ ପଦବୀ ପାଖରେ ଅଛି, ସେଯାଏଁ ଭଲ ସଂପର୍କ ରକ୍ଷା କରି ଆଗକୁ ବଢିବାର ରାସ୍ତାକୁ ସଫା ରଖିବାକୁ ଅନେକ ଉଚିତ ମଣୁଛନ୍ତି ।
ବଡ କଥା ହେଉଛି ରାଜ୍ୟରେ ଗଣମାଧ୍ୟମ ଏବେ ଭାଗ ଭାଗ । କିଏ କେଉଁ ଦଳକୁ ସମର୍ଥନ କରୁଛି ଅଉ କାହା ବିରୋଧରେ କାର୍ଯ୍ୟ କରୁଛି ତାହା ସମସ୍ତଙ୍କୁ ଜଣା । ସୋସିଆଲ ମିଡିଆରେ ଏମିତି ଅନେକ ବ୍ୟଙ୍ଗଭରା ଲେଖା ଘୁରିବୁଲୁଛି । ବଡ କଥା ହେଉଛି, ରାଜ୍ୟରେ ବିଜେଡିକୁ ସମର୍ଥନ କରୁଥିବା କିଛି ସଂସ୍ଥା ତେଲ ଆଉ ଗ୍ୟାସ ଦରବୃଦ୍ଧିକୁ ନେଇ ଚୁପ୍ ରହିଛନ୍ତି । ଫଳରେ ସାଧାରଣ ଲୋକ ସମସ୍ୟାରେ ପେଶୀ ହେଉଛନ୍ତି । ସାଧାରଣ ଲୋକଙ୍କ ସ୍ୱର ହେବା ବଦଳରେ ଗଣମାଧ୍ୟମ ସଂସ୍ଥା ଗୁଡିକ କ୍ଷମତାଶାଳୀଙ୍କ ଗୋଡାଣିଆ ସାଜିବା ଗଣତନ୍ତ୍ର ପାଇଁ ବିପଦର ଘଂଟି ବଜାଉଛି । ୨୦୧୪ର ଯେଉଁ ପ୍ରସଙ୍ଗ ସରକାରଙ୍କ ପତନର କାରଣ ହୋଇଥିଲା, ୨୦୨୧ରେ ସେସବୁ ପ୍ରସଙ୍ଗ ଆ ଗଣମାଧ୍ୟମ ସାମ୍ନାରେ ଗୁରୁତ୍ୱ ବହନ କରୁନି । ଦିଲ୍ଲୀର ଢାଂଚାର ଯଥେଷ୍ଟ ପ୍ରଭାବ ଓଡିଶା ଗଣମାଧ୍ୟମ ଉପରେ ପଡିବା ଆରମ୍ଭ ହେଲାଣି ।