ଆଉ ନାହାନ୍ତି ବରିଷ୍ଠ ସିନେ ଅଭିନେତା ମିହିର ଦାସ। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। କିଛିଦିନ ତଳେ ଆଇସିୟୁରେ ଥିଲେ ମିହିର ଦାସ । ମିହିର ଦାସଙ୍କ ଏକାଧିକ ଅଙ୍ଗ ଆରାମୀ ହୋଇଥିଲା ।ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ଡାକ୍ତରଙ୍କ ସବୁ ଚେଷ୍ଟା ବିଫଳ ହୋଇଥିଲା। ଆଉ ମଙ୍ଗଳବାର ଅପରାହ୍ଣ ୩.୨୫ ମିନିଟରେ ମିହିର ଦାସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ସେ ପ୍ରଥମେ ଆର୍ଟ ଫିଲ୍ମରେ ଅଭିନୟ କରିଥିଲେ। ତାହା ଥିଲା ‘ସ୍କୁଲ୍ ମାଷ୍ଟର’। ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା। ତା’ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ବ୍ୟବସାୟିକ ଫିଲ୍ମରେ ଅଭିନୟ କରି ଓଲିଉଡ୍ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ମିହିର ଦାସଙ୍କ ପ୍ରଥମ ବ୍ୟବସାୟିକ ଫିଲ୍ମ ‘ମଥୁରା ବିଜୟ’ ୧୯୭୯ ମସିହାରେ ରିଲିଜ ହୋଇଥିଲା। ସେହି ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର ସଜାଇ ଦେଇଥିଲା। ସେ ତିନି ଦଶନ୍ଧି ଧରି ଓଲିଉଡ୍ରେ ରାଜ୍ କରୁଛନ୍ତି। ‘ଲକ୍ଷ୍ମୀ ପ୍ରତିମା’ ପାଇଁ ୧୯୯୮ ଓ ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଠିକ୍ ସେହିପରି ଶ୍ରେଷ୍ଠ ସହକଳାକାର ଭାବେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ୨୦୦୨ରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଓ ୨୦୧୦ରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି।ଏହାଛଡ଼ା ୧୯୯୯ରେ ବିଧାତା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଓ୨୦୦୭ରେ ‘ମୁଁ ତତେ ଲଭ୍ କରୁଛି’ ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି। ସେ କେବଳ ଓଡ଼ିଆ ଫିଲ୍ମ କରିନାହାନ୍ତି ବରଂ ବେଙ୍ଗଲୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ପୂର୍ବରୁ ତାଙ୍କ ସ୍ତ୍ରୀ ସଂଗୀତା ଦାସଙ୍କର ଦେହାନ୍ତ ହୋଇଥିଲା।