ମନ୍ତ୍ରୀଙ୍କ ଉତ୍ତର, ବିରୋଧୀ ଖପ୍ପା

୬ ଦିନର ହୋହାଲ୍ଲା ଓ ହାଇଡ୍ରାମା ପରେ ଆଜି ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ପ୍ରଶ୍ନକାଳରେ ଏକାଧିକ ପ୍ରସଙ୍ଗରେ ଚର୍ଚ୍ଚା ପରେ ପୂର୍ବ ନିଷ୍ପତି ଅନୁଯାୟୀ ଗୃହରେ ଧାନ କିଣା ପ୍ରସଙ୍ଗକୁ ନେଇ ଉତ୍ତର ରଖିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତେବେ ମନ୍ତ୍ରୀ ରଖିଥିବା ଉତର ବିରୋଧୀଙ୍କୁ ଖୁସିକରିପାରିନାହିଁ । ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ । ଗୃହରେ ବିରୋଧୀ ଦଳ ନେତା କହିଛନ୍ତି, ଧାନ କିଣା ପ୍ରସଙ୍ଗରେ ନବୀନ ବାବୁ ଠକିଦେଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଗୃହରେ କହିଛନ୍ତି । ବିଗତ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣାଯାଇଥିବା ମନ୍ତ୍ରୀ କହିଛନ୍ତି । ଏହାସହ ପଞ୍ଜୀକୃତ ଚାଷୀଙ୍କ ଯେମିତି ସମସ୍ୟା ନହୁଏ ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାରେ ଧାନକିଣା ନେଇ ଯେଉଁ ସମସ୍ୟା ରହିଛି ତାହାର ତଦନ୍ତ ଚାଲିଛି । ଟୋକନ ଲାପ୍ସ ଓ ଜାଲିଆତି କରି ଧାନ ବିକୁଥିବା ଚାଷୀଙ୍କ କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି । ପଞ୍ଜୀକୃତ ଚାଷୀ ବଞ୍ଚିତ ହେବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଯେଉଁ ବିଧାୟକ ମାନେ ନିର୍ଦ୍ଦିଷ୍ଟ ଅଭିଯୋଗ କରିବେ ଆମେ ତାର ସମାଧାନ କରିବୁ । ୧୦୦ ପ୍ୟାକସ ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହୋଇଛି । ତେବେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିବା ସହ କକ୍ଷତ୍ୟାଗ କରିଛନ୍ତି ବିଜେପି ବିଧାୟକ ।

Comments (0)
Add Comment