ବିଜେଡି ଏତେ ଅସହାୟ କାହଁକି?

ଜଣେ ପରେ ଜଣେ ମନ୍ତ୍ରୀ ବିବାଦ ଘେରକୁ ଆସୁଛନ୍ତି । ଅଭିଯୋଗ ବି ସାଂଘାତିକ । ସରକାରଙ୍କ ଭାବମୁର୍ତ୍ତିକୁ ନେଇ ଗଳି ଗଳିରୁ ପ୍ରଶ୍ନ ଉଠୁଛୁ । ହେଲେ ସରକାର କିନ୍ତୁ ନୀରବଦ୍ରଷ୍ଟା । କାହିଁକି କେଜାଣି ସତେ ଯେମିତି ସବୁ କିଛି ଜାଣୁଥିଲେ ଆଉ ବୁଝୁଥିଲେ ବି କିଛି ପଦକ୍ଷେପ ନେବାର ସାହାସ ଜୁଟାଇ ପାରୁନାହାନ୍ତି । ହଠାତ୍ ଏତେ ଅସହାୟ ହୋଇଯିବା ପଛର କାରଣ କଣ? ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ୨୦୦୦ ମସିହା ବେଳକୁ ଯେଉଁ ମୁଖ୍ୟମନ୍ତ୍ରୀ ଦୁର୍ନୀତିର ଛାଇରେ ମନ୍ତ୍ରୀଙ୍କୁ ବାଦ୍ ଦେଉଥିଲେ ଆଜି ସେହି ମୁଖ୍ୟମନ୍ତ୍ରୀ ଗଦା ଗଦା ଦୁର୍ନୀତିର ଫାଇଲ ଥାଇ ମଧ୍ୟ ମନ୍ତ୍ରୀଙ୍କୁ ବାଦ୍ ଦେଇ ପାରୁନାହାନ୍ତି କି ମନ୍ତ୍ରୀମଣ୍ଡଳ ଅଦଳବଦଳ କରିପାରୁନାହାନ୍ତି । ଧାନ କିଣାରେ ଅବ୍ୟବସ୍ଥା, ଦୁର୍ନୀତିରେ ବିଭାଗୀୟ ମନ୍ତ୍ରୀଙ୍କ ଭୁମିକା, ପରୀ ପ୍ରସଙ୍ଗରେ ମନ୍ତ୍ରୀ ବିବାଦୀୟ ହେବା ଆଉ ମନ୍ତ୍ରୀଙ୍କ ବୋହୁଙ୍କୁ ଅନୁକମ୍ପା ଭଳି ପ୍ରସଙ୍ଗ ସରକାରଙ୍କ ପାଇଁ ଆହ୍ୱାନ ତିଆରି କରିଛି । ସେହିଭଳି ରତ୍ନପଥର ଚୋରାଚାଲାଣକାରୀଙ୍କ ସହ ମନ୍ତ୍ରୀଙ୍କ ସଂପର୍କ ମଧ୍ୟ ବିବାଦୀୟ ହୋଇଥିଲା । ଯାହା ନବୀନ ସରକାରଙ୍କ ପାଇଁ ବଡ ଅସୁବିଧାର କାରଣ ପାଲଟିଛି । ଏତେ ସବୁ ପରେ ବି ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନେଇ କେହି ବି ମୁହଁ ଖୋଲୁନାହାନ୍ତି ।

ପ୍ରଥମେ କୁହାଗଲା ଶୀତ ଅଧିବେଶନ ସରିଲେ ନୁଆବର୍ଷରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବ । ହେଲେ ଏହା କେବଳ ଚର୍ଚ୍ଚାରେ ରହିଗଲା । ଆଗକୁ ବଜେଟ ଅଧିବେଶନ । ତେଣୂ ଅଦଳବଦଳ ସମ୍ଭାବନା କମ୍ । ଏପରି ପରିସ୍ଥିତିରେ ବଜେଟ ସେସନ୍ ସରିବାକୁ ଅପେକ୍ଷା କରିଛନ୍ତି ଅନେକ ନେତା । କୁହାଯାଉଛି, ମନ୍ତ୍ରୀ ଆଶାୟୀଙ୍କ ସଂଖ୍ୟା ଏହାରି ଭିତରେ ଯଥେଷ୍ଟ ଅଧିକ ବଢିଗଲାଣି । ତେଣୁ କାହାକୁ ମନ୍ତ୍ରୀ କରାଗଲେ ଯି ଆଉଜଣେ ଅସନ୍ତୁଷ୍ଟ ହୋଇରହିବ ତେବେ ଦଳ ପାଇଁ ଅସୁବିଧା ତିଆରି ହେବ । ସେମିତିରେ ବି ଆଗକୁ ଅଛି ପଂଚାୟତ ନିର୍ବାଚନ । ତେଣୁ କେହି ରିସ୍କ ନେବାକୁ ଚାହୁଁନାହାନ୍ତି । ଆଉ ଏକ ବଡ ଦିଗ ହେଉଛି, ସମସ୍ତ ନିଷ୍ପତ୍ତି ଏବେ ଅମଲା ନେଉଥିବାରୁ ମନ୍ତ୍ରୀଙ୍କ ଭୁମିକା ଗୈାଣ ହୋଇଯାଉଛି । ତେଣୁ ଅନଭିଜ୍ଞ ନେତାଙ୍କୁ ମନ୍ତ୍ରୀ ଦାୟିତ୍ୱରେ ରଖି ଅମଲାଙ୍କ ଜରିଆରେ ଶାସନ ଚଲାଇବା ସହଜ ହେବ ଭାବି ଏଭଳି ପଦକ୍ଷେପ ନିଆଯାଉଥିବା କଥା ମଧ୍ୟ ସମୀକ୍ଷକ ମତ ରଖୁଛନ୍ତି । ତେଣୁ ନେତା ବିବାଦୀୟ ହେଉଥିଲେ ମଧ୍ୟ ତାଙ୍କୁ ବାଦ ଦିଆଯାଉନାହିଁ । ବରଂ ମୁଖପାତ୍ରଙ୍କୁ ଲଗାଇ ତାଙ୍କ ସୁରକ୍ଷାରେ ଦଳ କାର୍ଯ୍ୟ କରୁଛି ।

ଏଭଳି ପରିସ୍ଥିତିରେ ସରକାର ବଦନାମ ହେବା ସହ ଲୋକ ସରକାର ଉପରୁ ଅସ୍ଥା ତୁଟାଉଛନ୍ତି । ସେହିଭଳି ମନ୍ତ୍ରୀପଦ ପାଇବା ଆଶାରେ କାର୍ଯ୍ୟ କରୁଥିବା ବିଧାୟକଙ୍କ ପାଇଁ ମନ୍ତ୍ରୀମଣ୍ଡଳ ମୁଆଁ ଘୁଂଚିଯିବା ଅର୍ଥ ସେମାନଙ୍କ ମନରେ ମଧ୍ୟ ଅସନ୍ତୋଷ ତିଆରି ହେଉଛି । ଉଭୟ ପରିସ୍ଥିତି ଦଳ ଆଉ ସରକାର ପାଇଁ ଘାତକ । କାରଣ ପଂଚାୟତ ନିର୍ବାଚନରେ କେଉଁ ଦଳର ଶକ୍ତି କେତେ ତାର ଆକଳନ ଲଗାଯାଇଥାଏ । ତେଣୁ ୨୦୧୭ରେ ବିଜେଡି ଯେଉଁ ସ୍ଥିତିର ସାମ୍ନା କରିଥିଲା, ୨୦୨୨ରେ ସେଭଳି ସ୍ଥିତି ଯଦି ଆସିଯାଏ ତେବେ ବିଜେଡି ପାଇଁ ଅନେକ ଆହ୍ୱାନ ସୃଷ୍ଟି ହେବ । ଆଉ ନବୀନ ଯଦି ପ୍ରଚାରକୁ ନଓହ୍ଲାନ୍ତି ଆଉ ଦଳ ଏବଂ ସରକାର ମଧ୍ୟରେ ବୁଝାମଣା ନରୁହେ ତେବେ ବଡ ଅପ୍ରତିକୀର ସ୍ଥିତି ସୃଷ୍ଟି ହେବ, ଯାହା ଦଳର ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିପାରେ ।

Comments (0)
Add Comment