ଭୁବନେଶ୍ୱରରେ ଡ୍ରେନ୍ ପାଣିରେ ଭାସି ନିଖୋଜ ଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଟ୍ୟୁସନ ଯାଇ ଫେରିନଥିବା ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ ଶରରୀକୁ ପଞ୍ଚଶଖା ନଗରର ଡ୍ରେନରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ମୃତଦେହ ମିଳିବା ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ଏହି ମୃତଦେହ ଜ୍ୟୋତି ପ୍ରକାଶଙ୍କର ବୋଲି ତାଙ୍କର ଜଣେ ନିକଟ ସମ୍ପର୍କୀୟ ଚିହ୍ନଟ କରିଛନ୍ତି। ଅନ୍ୟପକ୍ଷେ, ଜ୍ୟୋତି ପ୍ରକାଶଙ୍କର ମୃତଦେହ ମିଳିବା ପରେ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ପରିବେଶ ଫାଟି ପଡ଼ୁଛି।
ଗତକାଲି ଅପରାହ୍ଣ ୨ଟାରେ ଟ୍ୟୁସନ ଯାଉଥିବା ବେଳେ ପାଣି ସୁଅରେ ସାଇକେଲ୍ ସହ ନାଳରେ ପଡିଯାଇଥିଲେ ଜ୍ୟୋତି । ଖବର ପାଇବା ପରେ ଅଗ୍ନିଶମ ବିଭାଗର ୬ ଜଣିଆ ଟିମ ସର୍ଚ୍ଚ ଉପରେସନରେ ନିୟୋଜିତ ଥିଲେ । ଦୀର୍ଘ ୧୯ ଘଣ୍ଟାରୁ ଅଧିକ ସମୟ ଧରି ଖୋଜିବା ପରେ ଆଜି ପଞ୍ଚଶଖା ନଗର ଡ୍ରେନରୁ ନିଖୋଜ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ ଶରୀରକୁ ପାଇବାରେ ସଫଳ ହୋଇଛି ଅଗ୍ନିଶମ ବାହିନୀ ।
ବର୍ଷବର୍ଷ ଧରି ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିଲେ ମଧ୍ୟ ବିଏମସି କର୍ତ୍ତୃପକ୍ଷଙ୍କ ପରବାଏ ନାହିଁ । ଭୁବନେଶ୍ୱର ମହାନଗରରେ ମୁକୁଳା ପଡିଥିବା ପ୍ରାୟ ୪୦ ପ୍ରତିଶତ ଡ୍ରେନ ସାଧାରଣ ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା । ମିଳିଥିବା ସୂଚନା ଅନୁସାରେ ବିଏମସି ଅଂଚଳରେ ରହିଛି ପ୍ରାୟ ୫୬୦ କିଲୋମିଟରର ଡ୍ରେନ୍ । ହେଲେ ଏଥିମଧ୍ୟରୁ ୨୩୦ କିଲୋମିଟର ଡ୍ରେନ୍ ମୁକୁଳା ପଡିଥିବା ଏକ ସୂତ୍ରରୁ ସୂଚନା ମିଳିଛି । ଭୁବନେଶ୍ୱର ମହାନଗର ଭିତରେ କେତେ ଡ୍ରେନ୍ ମୁକୁଳା ପଡିଛି, ତାର ସର୍ଭେ କରିବାକୁ ଯୋଜନା ଥିଲେ ମଧ୍ୟ କେବଳ ବେପରୁଆ ମନୋଭାବ ଯୋଗୁଁ ତାହା ଆଜିଯାଏ କାର୍ୟ୍ୟକାରୀ ହୋଇପାରୁ ନାହିଁ । କୌଣସି ପରିସ୍ଥିତିରେ ବି ଡ୍ରେନ୍ ମୁକୁଳା ରହିପାରିବ ନାହିଁ । ସମସ୍ତ ଡ୍ରେନ ଉପରେ ସ୍ଲାବ ପକାଇବା ବାଧ୍ୟତାମୂଳକ । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରିଚାଲିଛି ବିଏମସି ।