ସୌମ୍ୟରଞ୍ଜନ ପଟ୍ଟନାୟକ । ଶାସକ ଦଳର ବିଧାୟକ ଭାବେ ଯେତିକି ଜଣାଶୁଣା, ସରକାରଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ଭିତରେ ସେତିକି ଲୋକପ୍ରିୟ । ଗତ କିଛି ମାସ ମଧ୍ୟରେ ସୌମ୍ୟ ଯେଉଁ ବାଣ ମାରୁଛନ୍ତି ତାହା ସରକାରଙ୍କୁ କିଛି ମାତ୍ରାରେ ଘାଇଲା କରୁଛି । କେତେବେଳେ ନିଜର ଖବରକାଗଜର ସମ୍ପାଦକୀୟରେ ତ ପୁଣି କେତେବେଳେ ସାଧାରଣ ଲୋକଙ୍କ ସାମ୍ନାରେ । ସରକାରଙ୍କ ଗୋହି ଖୋଳିବାକୁ ସୌମ୍ୟ ଟିକିଏ ବି ପଛଘୁଞ୍ଚା ଦେଉନାହାନ୍ତି । ଆଉ ସୌମ୍ୟଙ୍କ ତୁଣ୍ଡ ଏବେ ଶାସକ ଦଳର ଚିନ୍ତା ବଢାଇଛି । ଆଉ ଏଭଳି ସ୍ଥଳେ ସୌମ୍ୟଙ୍କୁ ଚେକ୍ ଦେବାକୁ ଉଦ୍ୟମ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ଆଉ ଏଥିପାଇଁ ଅନୁଭବଙ୍କୁ ଅସ୍ତ୍ର କରାଯାଇଥିବା କୁହାଯାଉଛି । ସାଂସଦ ଅନୁଭବ ମହାନ୍ତି ନୁହଁନ୍ତି ବରଂ ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ଏବେ ସୌମ୍ୟଙ୍କୁ ଚେକ୍ ଦେବାକୁ ମୈଦାନକୁ ଓହ୍ଲାଯାଇଥିବା ଚର୍ଚ୍ଚା ହେଉଛି । ଅନ୍ୟଙ୍କୁ ଆଘାତ ଦେବାକୁ ସୌମ୍ୟ ଯେଉଁ ଅସ୍ତ୍ର ବ୍ୟବହାର କରନ୍ତି ଅନୁଭବ ମଧ୍ୟ ଠିକ୍ ସେହି ଅସ୍ତ୍ରରେ ସୌମ୍ୟଙ୍କ ପଲିଟିକାଲ କ୍ୟାରିୟରକୁ ଧ୍ୱଂସ କରିବାକୁ ଉଦ୍ୟମ କରୁଥିବା ନେଇ ରାଜନୀତି ଖଟିରେ ଚର୍ଚ୍ଚା ହେଉଛି । ଆଉ ଅନୁଭବଙ୍କ ହାତରେ ଥିବା ସେହି ଅସ୍ତ୍ରଟି ହେଉଛି ଖବରକାଗଜ ।
ଗତ ୨୯ ଅଗଷ୍ଟ ‘ସକାଳ’ ଖବରକାଗଜର ସିନ୍ଦୂରାର ନୀତି ଅନୀତି ରାଜନୀତିରେ ଯେଉଁ ଖବରଟି ପ୍ରକାଶ ପାଇଛି ତାହା ସୌମ୍ୟଙ୍କୁ ଯେତିକି ବ୍ୟଥିତ କରିନଥିବ ତାହା ଠାରୁ ଅଧିକ ଅନୁଭବଙ୍କୁ ଖୁସି ଆଣିଦେଇଥିବ । ସାମ୍ପ୍ରତିକ ରାଜନୀତିକୁ ନେଇ ଖବରଟି ମନୋରଞ୍ଜନ ଶୈଳୀରେ ଲେଖାଯାଇଥିବା କୁହାଯାଉଥିଲେ ମଧ୍ୟ ଏହା ଅନୁଭବଙ୍କୁ ବେଶ ସୁହାଇଥିବା କୁହାଯାଉଛି । କାରଣ ଏହି ଖବରଟିକୁ ନିଜ ଟ୍ୱିଟର ପେଜରେ ସେୟାର କରିବା ସହ ଏଥିପାଇଁ ସକାଳ ଖବରକାଗଜକୁ ଧନ୍ୟବାଦ ଜଣାଇଛନ୍ତି ଅନୁଭବ । ଯାହା ଦର୍ଶାଉଛି ସେ ଉକ୍ତ ଖବରରେ ଯଥେଷ୍ଟ ମାତ୍ରାରେ ସତ୍ୟତା ରହିଛି । ଉକ୍ତ ଖବରରେ ଅନୁଭବଙ୍କୁ ଖଣ୍ଡପଡାର ରାଇଜିଂ ଷ୍ଟାର ବୋଲି କୁହାଯାଇଥିବା ବେଳେ ଓଡ଼ିଆ ଆସିବା ପାଇଁ ଅନୁଭବଙ୍କ ଚେର କାଟିଥିବା ନେତା ଏବେ ବାଉଳିଚାଉଳି ହେଉଥିବା ଦର୍ଶାଯାଇଛି । ତେବେ ଦିଲ୍ଲୀ ଛାଡି ଓଡ଼ିଶାକୁ ଆସିବାକୁ ଅନୁଭବଙ୍କ ଚେର କାଟିଥିବା ନେତା କିଏ ତାହା ରାଜନୀତିରେ ରୁଚି ରଖିଥିବା ଲୋକେ ବେଶ ଭଲ ଭାବରେ ଜାଣିଛନ୍ତି । ୨୦୧୯ ନିର୍ବାଚନରେ ସୌମ୍ୟ ରାଜ୍ୟସଭା ସାଂସଦ ଥାଇ ଖଣ୍ଡପଡା ଆସନରୁ ବିଧାନସଭା ନିର୍ବାଚନ ଲଢିଥିଲେ । ଯାହାଫଳରେ ଅନୁଭବ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିଲେ । ତେଣୁ ସକାଳରେ ପ୍ରକାଶିତ ଆଲେଖ୍ୟଟି ସୌମ୍ୟଙ୍କ ପାଇଁ ହିଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି ।
ତେବେ ଅନୁଭବ ନିଜ ଟ୍ୱିଟର ପେଜରେ ଏମିତି ଲେଖିଥିଲେ ହୁଏତ ଏହା ଏତେ ଗୁରୁତ୍ୱ ବହନ କରିନଥାନ୍ତା । କିନ୍ତୁ ସକାଳ ଖବରକାଗଜରେ ଏଭଳି ଖବର ପ୍ରକାଶିତ ହେବା କେଉଁଠି ନା କେଉଁଠି ସୂଚାଉଛି ଯେ, ସୌମ୍ୟଙ୍କ ଚେକ୍ ଦେବାକୁ ଖୋଦ ଶାସକ ଦଳ ପକ୍ଷରୁ ସମରସଜ୍ଜା କରାଯାଉଛି । କାରଣ ସକାଳ ଖବରକାଗଜର ପ୍ରଚ୍ଛଦପଟରେ ଶାସକ ଦଳର କିଛି ନେତାଙ୍କ ଆର୍ଶୀବାଦ ରହିଛି । ତେଣୁ ଦଳୀୟ ବିଧାୟକଙ୍କୁ ନେଇ ଏଭଳି ଖବର ପ୍ରକାଶିତ କରିବା ପଛରେ ବଡ ସଂକେତ ଲୁଚିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ସୌମ୍ୟ ମଧ୍ୟ ନିଜ ଖବରକାଗଜ ମାଧ୍ୟମରେ ଅନେକଥର ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ଏବଂ ‘ରାଜଧାନୀ ରାଜନୀତି’ରେ ବ୍ୟଙ୍ଗାତ୍ମକ ଶୈଳୀରେ ଦଳୀୟ ନେତାଙ୍କୁ ଟାର୍ଗେଟ କରିବାକୁ ପଛାଇନାହାନ୍ତି । କିନ୍ତୁ ଗତ କିଛି ମାସ ହେବ ସୌମ୍ୟ ଉଭୟ ସରକାର ଓ ପ୍ରଶାସନକୁ ଯେଉଁଭଳି ଶାଣିତ ଆକ୍ରମଣ କରୁଛନ୍ତି ତାହା ଏବେ ଶାସକ ଦଳ ପାଇଁ ଅସହ୍ୟ ହେଲାଣି । ତେଣୁ ସୌମ୍ୟଙ୍କୁ ମୁହଁରେ ତୁଣ୍ଡି ଦେବାକୁ ଏବେ ବ୍ୟଙ୍ଗାତ୍ମକ ଫର୍ମୁଲା ଆପଣାଯାଇଥିବା କୁହାଯାଉଛି । ଯାହାଦ୍ୱାରା ସାପ ମରିଯିବ ଆଉ ବାଡି ଭାଙ୍ଗିବନି । ଆଉ ଏଥିପାଇଁ ଅନୁଭବ ଅସ୍ତ୍ର ଛଡାଯାଇଥିବା ଚର୍ଚ୍ଚା ହେଉଛି ।
ଉଭୟ ସୌମ୍ୟ ଓ ଅନୁଭବଙ୍କ ମଧ୍ୟରେ ପୂର୍ବରୁ ଲଢେଇ ଦେଖିସାରିଛି ରାଜ୍ୟ । ଆଉ ତାହା ବି ପୁଣି ପଲିଟିକାଲ ମୈଦାନରେ । ୨୦୧୪ ନିର୍ବାଚନରେ ପଲିଟିକାଲ ମୈଦାନରେ ପଟ୍ଟନାୟକ ଫାଇଟ ଦେଖିଥିଲେ ଖଣ୍ଡପଡାବାସୀ । ଯେଉଁଥିରେ ସୌମ୍ୟ ଅଳ୍ପକେ ମାତ୍ ଖାଇଥିଲେ । କିନ୍ତୁ ୨୦୧୯ ବେଳକୁ ରାଜନୀତିର ପାଣିପାଗ ବଦଳିସାରିଥିଲା । ଯେଉଁ ସୌମ୍ୟଙ୍କୁ ହରାଇ ଅନୁଭବ ୨୦୧୪ରେ ଖଣ୍ଡପଡାରେ ବିଧାୟକ ହୋଇଥିଲେ, ୨୦୧୯ରେ ତାଙ୍କ ପାଇଁ ପ୍ରଚାର କରିବାକୁ ପଡିଲା । କିନ୍ତୁ ରାଜନୀତିରେ ପ୍ରତି ସେକେଣ୍ଡରେ ଚିତ୍ର ଓ ଚରିତ୍ର ବଦଳିଥାଏ । ଯାହା ଏବେ ପୁଣିଥରେ ସୌମ୍ୟ ଓ ଅନୁଭବଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏବେ ସୌମ୍ୟଙ୍କୁ ଦଳରୁ ସାଇଡଲାଇନ କରାଯାଉଥିବା ନେଇ ସଂକେତ ମିଳୁଥିବା ବେଳେ ପୂର୍ବତନ ବିଧାୟକ ପଟ୍ଟନାୟକଙ୍କୁ ପାୱାରଫୁଲ କରିବାକୁ ନୀଳନକ୍ସା ପ୍ରସ୍ତୁତ ହେଉଛି ।