ମହାମାରୀ ଉଗ୍ର ରୂପ ଧାରଣ କଲା, ମାସ୍କ କଥା ମନେ ପଡିଲା । ବର୍ଷେ ହେବ ଚାଲିଥିବା ମହାମାରୀ ଲଢେଇରେ ପ୍ରଥମଥର ପାଇଁ ବିଧାୟକ ମାନଙ୍କୁ ଖୋଜା ପଡିଛି । ସଂକ୍ରମଣ ରୋକିବାରେ ମାସ୍କର ଯଥେଷ୍ଟ ଗୁରୁତ୍ୱ ରହିଥିବାରୁ ଏହାର ଦାୟିତ୍ୱ ବିଧାୟକଙ୍କ ହାତରେ ନ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସଂକ୍ରମଣ ଏବେ ଗାଁ ମୁହାଁ ହେଉଥିବାରୁ ଏଠାରେ ଥିବା ଗରିବ ଲୋକ ମାନଙ୍କୁ ମାସ୍କ ଯୋଗାଇ ଦେବାକୁ ବିଧାୟକ ମାନଙ୍କୁ ଫ୍ରୀ ହ୍ୟାଣ୍ଡ ଦେଇଛନ୍ତି ନବୀନ । ଅଥାର୍ତ ବିଧାୟକ ମାନେ ନିଜ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ନବୀନ କହିଛନ୍ତ । ମିଶନ ଶକ୍ତି ଗ୍ରୁପ୍ ମାଧ୍ୟମରେ ମାସ୍କ ପାଇଁ ଏହି ଟଙ୍କା ଖର୍ଚ୍ଚ କରିପାରିବେ ବିଧାୟକ । କିନ୍ତୁ ସଂକ୍ରମଣ ରୋକିବାକୁ ନବୀନ ନେଇଥିବା ଏହି ନିଷ୍ପତିର ସୁଫଳ ଗରିବ ଲୋକଟିଏ ପାଇପାରିବ ତ? ନା ମାସ୍କ କିଣା ନାଁରେ ଦଳୀୟ କର୍ମୀ କେବଳ ଫାଇଦା ପାଇବେ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
ମହାମାରୀ ଆରମ୍ଭରୁ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ଅପିଲ କରି ଆସୁଛନ୍ତି ନବୀନ । ଯେଉଁଥିପାଇଁ ଅଧିକାଂଶ ଲୋକଙ୍କ ମୁହଁରେ ଏବେ ମାସ୍କ ରହୁଛି । ଏପରିକି ଗାଁ ଗହଳିର ସାଧାରଣ ଗରିବ ଲୋକଟିଏ ମଧ୍ୟ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧୁଥିବାର ଦେଖିବାକୁ ମିଳୁଛି । ଏଭଳିସ୍ଥଳେ ବିଧାୟକ ମାନେ କିଣିବାକୁ ଥିବା ୫୦ ଲକ୍ଷ ଟଙ୍କାର ମାସ୍କ ବାଣ୍ଟିବେ କାହାକୁ ? ନା ମାସ୍କ କିଣା ପାଇଁ ଯେଉଁ ଟଙ୍କା ଉଠିବ ତାହା ଦଳୀୟ କର୍ମୀଙ୍କ ମୁଣିକୁ ଯିବ । ସାଧାରଣତଃ ଗାଁ ଗହଳିରେ ବନ୍ୟା, ବାତ୍ୟା ବେଳେ ଆସୁଥିବା ସହାୟତା ପ୍ରଭାବିତଙ୍କ ପାଖରେ ପହଞ୍ଚ ିବା ପୂର୍ବରୁ ହିଁ ବାଟମାରଣା ହୋଇଥିବାର ଅନେକ ଅଭିଯୋଗ ଆସେ । ପ୍ରକୃତ ଗରିବ ଲୋକପାଖରେ ସହାୟତା ପହଞ୍ଚି ପାରିନଥାଏ । ତେଣୁ ବିଧାୟକଙ୍କ ମାସ୍କ ବଣ୍ଟନ କ୍ଷେତ୍ରରେ ସେମିତି ସ୍ଥିତି ଦେଖିବାକୁ ମିଳିବନି ତ? ଗରିବଙ୍କୁ ମାସ୍କ ବଣ୍ଟନ କରିବା ନାଁରେ ଟଙ୍କା ଚଳୁ କରାଯିବନି ତ? ଯେହେତୁ ମହାମାରୀ ସମୟରେ ବିଧାୟକ ମାନେ ସବୁ ଅଞ୍ଚଳ ବୁଲି ଗରିବଙ୍କୁ ଚିହ୍ନଟ କରି ମାସ୍କ ବାଣ୍ଟିବା ସମ୍ଭବପର ନୁହେଁ । ତେଣୁ ବିିଭିନ୍ନ ୱାର୍ଡ ଓ ବ୍ଳକସ୍ତରୀୟ କର୍ମୀଙ୍କ ମାଧ୍ୟମରେ ଏହି ମାସ୍କ ବାଣ୍ଟିପାରନ୍ତି ବିଧାୟକ । କିନ୍ତୁ ଜଣେ କର୍ମୀ ଯେ ଗରିବ ଲୋକଟିଏ ପାଖରେ ମାସ୍କ ପହଞ୍ଚାଇବ ତାହା ସହଜରେ ବିଶ୍ୱାସଯୋଗ୍ୟ ନୁହେଁ । ତେଣୁ ବିଧାୟକଙ୍କ ୫୦ ଲକ୍ଷ ଟଙ୍କାର ମାସ୍କ କିଣା କାର୍ୟ୍ୟକ୍ରମରେ ବଡ ଧରଣର ଦୁର୍ନୀତି ହୋଇପାରେ ବୋଲି ଆଶଙ୍କା କରୁଛନ୍ତି ଲୋକେ ।
ଏହାପୂର୍ବରୁ ମଧ୍ୟ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ମାସ୍କ କିଣିଛନ୍ତି । ଏପରିକି କିଛି ମାସ ପାଇଁ ଆବଶ୍ୟକ ଥିବା ମାସ୍କ ଗଚ୍ଛିତ ରହିଛି ବୋଲି ସରକାର କହୁଛନ୍ତି । କିନ୍ତୁ ବାସ୍ତବରେ ଏହି ମାସ୍କ କାହା ପାଇଁ ଗଚ୍ଛିତ ହୋଇ ରହିଛି । ସରକାର କିଣିଥିବା ମାସ୍କ ସାଧାରଣ ଲୋକଙ୍କୁ ଦିଆଯାଉଛି କି? ହୁଏତ ଅଧିକାଂଶ ଲୋକଙ୍କ ଉତ୍ତର ର୍ନାଁ ଆସିବ । ତେବେ ଏହି ମାସ୍କ କାହା ପାଇଁ କିଣାଯାଉଛି? ଡାକ୍ତର, ରୋଗୀ ନା ସାଧାରଣ ଲୋକ ଏହି ଦ୍ୱନ୍ଦ୍ୱ ଲୋକଙ୍କ ମନରୁ ଦୂର କରିବାର ଯଥେଷ୍ଟ ଆବଶ୍ୟକତା ରହିଛି । ଏହାବାଦ୍ କରୋନାର ପ୍ରଥମ ଲହରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ସଙ୍ଗରୋଧ କେନ୍ଦ୍ର ଓ ଟିଏମସି ସେଣ୍ଟ ଖୋଲା ଯାଇଥିଲା ସେଥିରୁ ଅଧିକାଂଶ ସ୍ଥାନରେ ଏବେ ତାଲା ଝୁଲୁଛି । ଏପରିକି ସଙ୍ଗରୋଧ କେନ୍ଦ୍ର ଓ ଟିଏମସି ସେଣ୍ଟର ପାଇଁ ଯେଉଁ ସାମଗ୍ରୀ ଆସିଥିଲା ତାହାକୁ ଚଳୁ କରିଦିଆଯାଇଛି । ତେଣୁ ଏଭଳି ସ୍ଥଳେ ଜଣେ ଗରିବ ଲୋକଟିକୁ ବିଧାୟକ ପାଣ୍ଠିରୁ ଆସିବାକୁ ଥିବା ମାସ୍କ ଯେ ମିଳିବ ତାହା ସହଜରେ ଗ୍ରହଣଯୋଗ୍ୟ ନୁହେଁ । ଏସବୁ ଭିତରେ କେତେ ଗରିବ ଲୋକଙ୍କୁ ମାସ୍କ ମିଳିବ ତାହା ଦେଖିବା ବାକି ରହିଲା ।