ଦେଶରେ କରୋନା ସଂକ୍ରମଣ ସାଂଘାତିକ ରୂପ ନେଇଛି । ଦୈନିକ ଲକ୍ଷାଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛି । ଏପରି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଆଉ ନିର୍ବାଚନୀ ରାଲି କରିବେ ନାହିଁ ବୋଲି କହିଛନ୍ତି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଆଉ ୨ ଟି ପର୍ୟ୍ୟାୟ ବାକିଥିବା ବେଳେ ପ୍ରଧାନମନ୍ତ୍ରୀ ଆଉ ରାଲି କରିବେ ନାହିଁ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
ପଶ୍ଚିମବଙ୍ଗରେ ହେବାକୁ ଥିବା ସମସ୍ତ ଜନସଭା ଓ ରୋଡ ସୋ କୁ ସେ ବାତିଲ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ରାଲିକୁ ବାତିଲ କରିଥିବା ବେଳେ ଏହି ସମୟରେ ସେ କରୋନା ସଂକ୍ରମଣରୁ ଦେଶବାସୀଙ୍କୁ ରକ୍ଷା କରିବାକୁ ଉଚ୍ଚସ୍ତରୀୟ ବୈଂକ କରିବେ ବୋଲି ଟ୍ୱିଟରେ ଲେଖିଛନ୍ତି । ଆସନ୍ତାକାଲି ହେବାକୁ ଥିବା ରାତିକୁ ବାତିଲ କରିଛନ୍ତି ମୋଦି । କାଲି କରୋନା ସଂର୍ପର୍କିତ ଏକାଧିକ ବୈଠକରେ ଯୋଗଦେଇ ସ୍ଥିତି ନେଇ ସମୀକ୍ଷା କରିବେ ।
ପଶ୍ଚିମବଙ୍ଗ ବିଧାନସଭା ପାଇଁ ଆଜି ଷଷ୍ଠ ପର୍ୟ୍ୟାୟ ମତଦାନ ହୋଇଛି । ଆହୁରି ୨ ଟି ପର୍ୟ୍ୟାୟ ମତଦାନ ବାକି ରହିଛି । ବିଜେପିର ମାଳ ମାଳ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ମାନେ ପଶ୍ଚିମବଙ୍ଗରେ ଡେରା ପକାଇଛନ୍ତି । ମହାମାରୀ ବେଳେ ଲକ୍ଷ ଲକ୍ଷ ଲୋକଙ୍କୁ ସାଙ୍ଗରେ ନେଇ ରୋଡ ସୋ ଓ ଜନସଭା କରିବାକୁ ବିରୋଧୀଦଳମାନେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ । ପଶ୍ଚିମବଙ୍ଗରେ ନିର୍ବାଚନୀ ରାଲି ଓ ସଭା ନକରିବାକୁ ପ୍ରଥମେ ବାମଦଳ ଘୋଷଣା କରିଥିଲା । ଏହାପରେ ଟିଏମସି ଓ ଆଜି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।