‘କରୋନା କଷ୍ଟ ସହିବା ସୀମାର ପରୀକ୍ଷା ନେଉଛି’

କରୋନା ସମସ୍ତଙ୍କ ଧୈର୍ୟ୍ୟର ପରୀକ୍ଷା ନେଉଛି । କରୋନାର ଦ୍ୱିତୀୟ ଲହର ପୁରା ଦେଶକୁ ବିପର୍ଯ୍ୟସ୍ତ କରିଦେଇଛି । କରୋନାର ପ୍ରଥମ ପର୍ଯ୍ୟାୟକୁ ସଫଳତାର ସହ ମୁକାବିଲା କରିବା ପରେ ଏଥର ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ପୁରା ଦେଶକୁ ଦୋହଲାଇଦେଇଥିବା ମନ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

କଷ୍ଟ ସହିବାର ସୀମାକୁ ପରୀକ୍ଷା କରୁଛି କରୋନା । ଦ୍ୱିତୀୟ ଲହର ବିପକ୍ଷରେ ଲଢ଼େଇ ଜାରି ରହିଛି । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ସମସ୍ତେ କରୋନା ବିରୋଧୀ ଲଢ଼େଇରେ ସାମିଲ ଅଛନ୍ତି । ଗତ ବର୍ଷେ ହେଲା, ମହାମାରୀ ଉପରେ ସେମାନେ ବହୁ ପ୍ରକାର ଅଭିଜ୍ଞତା ହାସଲ କରିଛନ୍ତି। କରୋନା ଆମର ଧର୍ୟ୍ୟ ଓ ଯନ୍ତ୍ରଣା ସହନଶୀଳତା ପରୀକ୍ଷା କରୁଥିବା ମୋଦି ମନ କି ବାତରେ କହିଛନ୍ତି ।

ଦେଶରେ ଚାଲୁ ରହିବ ମାଗଣା ଟିକାକରଣ ଅଭିଯାନ । ତେବେ ଟିକାକୁ ନେଇ କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଆଜି ମନ କି ବାତ କାର୍ୟ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କର ଟିକାକରଣ କରାଯିବ । ନିଜ ନିଜର କର୍ମଚାରୀମାନଙ୍କୁ ଟିକା ଦେଇ ଦେଶର କର୍ପୋରେଟ୍‌ ସେକ୍ଟର୍‌ ମଧ୍ୟ ଟିକାକରଣ ଅଭିଯାନରେ ଅଂଶଗ୍ରହଣ କରିପାରିବ। ଭବିଷ୍ୟତରେ ମଧ୍ୟ ଭାରତ ସରକାରଙ୍କର ମାଗଣା ଟିକାକରଣ କାର୍ୟ୍ୟକ୍ରମ ଚାଲୁ ରହିବ। ଏହି ମୁକ୍ତ ଟିକାକରଣର ଫାଇଦା ଯଥା ସମ୍ଭବ ଅଧିକ ଲୋକେ ପାଆନ୍ତୁ ବୋଲି ସୁନିଶ୍ଚିତ ହେବାକୁ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଯୁକ୍ତିବିଦ୍ୟା ଉପଯୋଗ କରି ରୋଗୀମାନଙ୍କୁ ଅନ୍‌ଲାଇନ୍‌ରେ ଡାକ୍ତରମାନେ ପରାମର୍ଶ ଦେବା ପ୍ରଶଂସନୀୟ ବୋଲି ମଧ୍ୟ ସେ କହିଛନ୍ତି। କୋଭିଡ୍‌କୁ ପରାଜିତ କରିବା ଲାଗି ଆମେ ବିଶେଷଜ୍ଞ ଏବଂ ବୈଜ୍ଞାନିକ ଉପଦେଶ ଉପରେ ଗୁରୁତ୍ବାରୋପ କରିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Comments (0)
Add Comment