ସବୁ ରେକର୍ଡ ଭାଙ୍ଗିଲା ସଂକ୍ରମଣ । ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ସବୁ ରେକର୍ଡ ଅତିକ୍ରମ କରିଛି କରୋନା । ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି । ସପ୍ତାହାନ୍ତ ସଟଡାଉନ, ନାଇଟ କର୍ଫ୍ୟୁ ସତ୍ୱେ ସଂକ୍ରମଣ ସୁଅ ପରି ମାଡିଚାଲିଛି । ୨୧.୦୯ ପ୍ରତିଶତ ରାଜ୍ୟରେ ପଜିଟିଭ ହାର ଥିବା ବେଳେ ଟେଷ୍ଟ ହେଉଥିବା ପ୍ରତି ୧୦୦ ଜଣରେ ୨୨ ଜଣ ଆକ୍ରାନ୍ତ ହେଉଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ରାଜ୍ୟରେ କରୋନ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପୁଣି ଫେରିବ କି ଲକଡାଉନ କିମ୍ବା ସଟଡାଉନ ।
ରାଜ୍ୟରେ ବେକାବୁ ହେଉଛି କରୋନା । କରୋନା ନମୂନା ପରୀକ୍ଷା ବଢିବା ସହ ସଂକ୍ରମଣ ସଂଖ୍ୟା ମଧ୍ୟ ବଡିଛି । ଯେଉଁପରି ଭାବେ ସଂକ୍ରମଣ ବଢିଚାଲିଛି ତାହା ସରକାରଙ୍କ ନିଦ ହଜାଇଦେଇଛି । ଗତ ୨୪ ଘଂଟାରେ ୪୭ ହଜାର ୪୬୨ ଟେଷ୍ଟିଂ ହୋଇଥିବା ବେଳେ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଛ୍ତ । ସେହିପରି କରୋନାରେ ଦିନକରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଖୋର୍ଦ୍ଧା ଓ ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢାଇଛି । ସୁନ୍ଦରଗଡରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକରେ ହଜାରେ ଟପିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦, କଟକରୁ ୮୨୮ ଚିହ୍ନଟ ହୋଇଛନ୍ତି ।
ସେହିଭଳି ପୁରୀରୁ ୫୩୩, ବରଗଡ଼ରୁ ୫୧୧, ନୂଆପଡ଼ାରୁ ୪୧୮, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ ଥିବା ବେଳେ ୩ ଲକ୍ଷ ୮୫ ହଜାର ୪୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଂଟାରେ ୧୧ଜଣଙ୍କ ମୃତ ହୋଇଥିବା ବେଳେ ମୋଟ ମୃତ ସଂଖ୍ୟା ୨ ହଜାର ୫୪ ରହିଛି