ରାଜନୀତି ଶିଖିଗଲେଣି ଅପରାଜିତା!

ମହାମାରୀ ଭଳି ମହାବିପଦ ସମୟରେ ରାଜନୀତି । କରୋନା ଲଢେଇ ସମୟରେ କିଛି ଦିନ ଧରି ଉଭାନ ହୋଇଯାଇଥିବା ବିଜେପି ସାଂସଦ ଏବେ ସାମ୍ନାକୁ ଆସିଛନ୍ତି । ତାହା ପୁଣି କେନ୍ଦ୍ର ସରକାରଙ୍କ ଦୋଷକୁ ଘଂଟ ଘୋଡାଇବାକୁ । ଆଜ୍ଞା ହଁ, ଆମେ କହୁଛୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କଥା । ଦେଶରେ ସଂକ୍ରମଣର ସ୍ଥିତି ସାଂଘାତିକ ଥିବା ବେଳେ ଏଯାଏଁ କରୋନା ମୁକାବିଲା କରିବାରେ କେନ୍ଦ୍ର ସରକାର ଫେଲ ମାରିଛନ୍ତି । କରୋନା ଚେନକୁ ବ୍ରେକ କରିବାରେ ଅସଫଳ ହୋଇଥିବା କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ମଧ୍ୟ ଯୋଗାଣ କରିବାରେ ଅସମର୍ଥ ହୋଇଛନ୍ତି । କେବଳ ଅକ୍ସିଜେନ ନୁହେଁ ବିଭିନ୍ନ ରାଜ୍ୟକୁ ଚାହିଦା ଅନୁଯାୟୀ ଟିକା ମଧ୍ୟ ଯୋଗାଇ ପାରୁନାହାନ୍ତି । ଏହାକୁ ନେଇ ଅନେକ ଅଭିଯୋଗ ମଧ୍ୟ ଆସୁଛି । ଆଉ ଏତିକିବେଳେ ଟିକାକରଣକୁ ନେଇ ସାଂସଦ ମ୍ୟାଡାମ କେନ୍ଦ୍ର ସରକାରଙ୍କ ସମର୍ଥନରେ ଆରମ୍ଭ କରିଛନ୍ତି ଓକିଲାତି ।

() କୋଭିଡ ଟିକାକରଣକୁ ନେଇ କଂଗ୍ରେସକୁ ଟାର୍ଗେଟ କରି ହଠାତ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ମହାମାରୀ ସମୟରେ କଂଗ୍ରେସ ରାଜନୀତି ନକରି ଏହା ବିରାଧରେ ଲଢେଇ କରୁ ବୋଲି କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ଜେପି ନଡ୍ଡା । ଆଉ ନଡ୍ଡାଙ୍କ ଚିଠି ପରେ ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ସମାଲୋଚନା କରି କେନ୍ଦ୍ର ସରକାରଙ୍କ ସମର୍ଥନରେ ବାହାରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ଦେଶରେ ଟିକାକରଣରେ କୌଣସି ପାତରଅନ୍ତର କରାଯାଉନାହିଁ । ମହାମାରୀ ଭଳି ସଂକଟରେ କଂଗ୍ରେସ ରାଜନୀତି କରିବା ବନ୍ଦ କରୁ । ଜଣେ ବରିଷ୍ଠ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭ୍ୟାକସିନ ଠିକ ନୁହେଁ ବୋଲି କହିଥିଲେ । ଏହା ଦେଶର ବୈଜ୍ଞାନିକ ଓ ଗବେଷକ ମାନଙ୍କ ପାଇଁ ଅପମାନ । ଲୋକଙ୍କୁ ବିଭ୍ରାନ୍ତି କରିବା ଓ ମିଥ୍ୟା ଆତଙ୍କ ସୃଷ୍ଟିରୁ ବିରତ ରହୁ କଂଗ୍ରେସ । ଏଭଳି ବିପତ୍ତି ସମୟରେ ଦଳ ଯେଉଁଠି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବା କଥା , ସେଠାରେ କଂଗ୍ରେସ ପାର୍ଟିର ଏଭଳି ଆଚରଣ ବହୁତ ଦୁଃଖ ଦେଉଛି ବୋଲି ଟାର୍ଗେଟ କରିଛନ୍ତି ଅପରାଜିତା ।
ତେବେ ସାଂସଦଙ୍କ ଏଭଳି ପ୍ରତିକ୍ରିୟା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ଯେ , ଦିଲ୍ଲୀରେ ବସି ସାଂସଦ ଏଭଳି ସଂକଟ ସମୟରେ କଂଗ୍ରେସକୁ ଟାର୍ଗେଟ କରିବା ଛାଡି ରାଜନୀତି ନକରି ନିଜ ନିର୍ବାଚନ ମଣ୍ଡଳୀ ଉପରେ ଧ୍ୟାନ ଦେବା ଅଧିକ ଆବଶ୍ୟକ । କାରଣ ରାଜ୍ୟରେ ସବୁଠୁ ଅଧିକ ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଥିବା ବେଳେ ଭୁବନେଶ୍ୱରରେ କେବଳ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ରହୁଛି । ତେଣୁ କରୋନା ମୁକାବିଲା କରିବାରେ ସାଂସଦଙ୍କ ସହଯୋଗ ଏବେ ଅତ୍ୟନ୍ତ ଜରୁରୀ ମନେ ହେଉଛି ।

Comments (0)
Add Comment