ଆସନ୍ତା ୨୪ ତାରିଖ ପୌର ନିର୍ବାଚନ । ୨୪ ତାରିଖ ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ହେବ ଭୋଟ ଗ୍ରହଣ । ୨୨ ତାରିଖ ସଂଧ୍ୟା ୫ଟାରେ ସରିବ ପ୍ରଚାର । ରାଜ୍ୟ ନିର୍ବାଚନ କମିସନର ପ୍ରେସମିଟ୍ ଜରିଆରେ ଏନେଇ ସୂଚନା ଦେଇଛନ୍ତି ।
ମୋଟ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପ୍ରତ୍ୟେକ ପୋଲିଂ ପାର୍ଟି ରେ ଜଣେ ପ୍ରିଜାଇଡିଂ ଅଫିସର ଆଉ ୪ ଜଣ ପୋଲିଂ ଅଫିସର ରହିବେ । ସମୁଦାୟ ୧୭୩୭ ୱାର୍ଡରେ ହେବ ପୌର ପରିଷଦ ନିର୍ବାଚନ । ୪୩୭୩ ବୁଥରେ ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ । ସମୁଦାୟ ୫୮ ଟି ୱାର୍ଡ ରେ ନିର୍ଦ୍ୱନ୍ଦରେ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ୫ଟା ସୁଦ୍ଧା ସରିବ ନିର୍ବାଚନ ପ୍ରଚାର ।
ନିର୍ବାଚନ ଶୃଙ୍ଖଳାର ସହ ପରିଚାଳନା ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପାଇଁ ୩୦ ପ୍ଲାଟୁନ ଫୋର୍ସ, କଟକ ମ୍ୟୁନିସିପାଲ କର୍ପୋରେସନ ପାଇଁ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହାବାଦ ୩୦୦ ମୋବାଇଲ ପାର୍ଟି ରହିବେ। ସେଥିମଧ୍ୟରୁ ୧୦୯ ମୋବାଇଲ ପାର୍ଟି ଏହି ୩ଟି କର୍ପୋରେସନ ପାଇଁ ନିୟୋଜିତ ହେବେ। ପ୍ରତି ବୁଥ୍ରେ ଜଣେ ଲେଖାଏ ହାବିଲଦାର, ନ ହେଲେ କନଷ୍ଟେବଳ ନ ହେଲେ ସଶସ୍ତ୍ର ପୁଲିସ୍ ମୁତୟନ ରହିବେ ।