ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ଖୋଲୁଛି ଗୁମର । ୫ ଅଭିଯୁକ୍ତଙ୍କୁ ୭ ଦିନର ମାରାଥନ୍ ଜେରା ପରେ କ୍ରାଇମବ୍ରାଞ୍ଚ ହାତରେ ଅନେକ ତଥ୍ୟ ଲାଗିଛି । ୭ ଦିନିଆ ରିମାଣ୍ଡ ଶେଷ ହେବା ପରେ ୫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ଏହାସହ ଆବଶ୍ୟକ ପଡିଲେ ପୁଣି ସେମାନଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।
ରିମାଣ୍ଡରେ ପଚରାଉଚରା ସମୟରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଯୁବତୀ ଜଣକ ସୋସିଆଲ ମିଡ଼ିଆରେ ଅଭିଯୁକ୍ତଙ୍କ ସହ କଥା ହେଉଥିଲେ । ବିଭିନ୍ନ ନାଁରେ ପ୍ରାୟ ୭ଟି ଆକାଉଣ୍ଟ ଖୋଲି ଅଭିଯୁକ୍ତଙ୍କ ସହ କଥା ହେଉଥିଲେ । ସମସ୍ତ ଆକାଉଣ୍ଟରେ ଭିନ୍ନ ଫଟୋ ଓ ପରିଚୟ ଦେଇଥିଲେ ଯୁବତୀ । ଯାହାର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ସନ୍ଦିଗ୍ଧ ମହିଳା ଜଣଙ୍କ ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଭଳି ବିଭିନ୍ନ ସୋସିଆଲ୍ ମିଡିଆରେ ଅଲଗା ଅଲଗା ପରିଚୟ ଦେଇ ଅଭିଯୁକ୍ତମାନଙ୍କ ସହ କଥା ହେଉଥିଲେ ।
୨ ଜଣ ଅଭିଯୁକ୍ତଙ୍କୁ ସନ୍ଦିଗ୍ଧ ମହିଳା ଭିଡିଓ କଲ୍ କରିଥିବା ଜେରା ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । ମହିଳା ଜଣଙ୍କ ହିନ୍ଦୀରେ କଥା ହେଉଥିଲେ । ଏପରିକି ୨ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ସେହିଭଳି ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁର ଘରକୁ ଆସିବାକୁ ପ୍ରସ୍ତାବ ଦେଇଥିଲେ ସନ୍ଦିଗ୍ଧ ମହିଳା । ସେହିଭଳି ଦୁବାଇରୁ ଯେଉଁ ଆକାଉଣ୍ଟରୁ ଟଙ୍କା ଆସିଥିଲା ତାହାର ତଦନ୍ତ ଚାଲିଥିବା ବେଳେ କେଉଁ ମାଧ୍ୟମରୁ ଟଙ୍କା ଆସିଛି ତାହାର ଖୋଳତାଡ କରୁଛି ।