ନବୀନଙ୍କ କଥାକୁ ନବଙ୍କ ଖାତିର୍ ନାହିଁ ?

ପଂଚମ ଥର ପାଇଁ କ୍ଷମସତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ନେତା ମନ୍ତ୍ରୀଙ୍କୁ ଦେଇଥିଲେ ପରାମର୍ଶ । ସରଳ ଜୀବନ ଯାପନ କର, ଲୋକଙ୍କ ସମସ୍ୟା କଥା ବୁଝ, ଦାମୀ ଗାଡି ଚଢନାହିଁ ଭଳି ଅନେକ କଥା ମନ୍ତ୍ର ଭାବେ ସେ ଦଳୀୟ ନେତାଙ୍କ ସାମ୍ନାରେ ରଖିଥିଲେ । ଯେବେ ଯେବେ ସରଳ ଜୀବନର କଥା ଆସେ, ସେତେବେଳେ ନବୀନଙ୍କ ଭାବମୁର୍ତ୍ତି ହିଁ ଦଳ ପାଇଁ ଆଶୀର୍ବାଦ ସାଜେ । ହେଲେ ଏବେ କିନ୍ତୁ ଏହି କଥାଟି ଆଉ କାହିଁ ଭଲ ଶୁଭୁନାହିଁ । ଖାସ କରି ନବୀନଙ୍କ କ୍ୟାବିନେଟ ଯେତେବେଳେ ସଂପତ୍ତି ତାଲିକା ଦାଖଲ କଲେ ଆଉ ଏଥିରେ ସମସ୍ତଙ୍କ ନଜର ଯାଇ ନବ ଦାସଙ୍କ ସଂପତ୍ତି ତାଲିକା ପାଖରେ ଅଟକି ରହିଲା । ନବ ଦାସ ହେଉଛନ୍ତି ନବୀନଙ୍କ କ୍ୟାବିନେଟର ସବୁଠାରୁ ଧନୀ ମନ୍ତ୍ରୀ । ଆଉ ତାଙ୍କ ପାଖରେ ଥିବା ସଂପତ୍ତି, ଯାହା ସେ ଦର୍ଶାଇଛନ୍ତି ତାହା ଆପଣଙ୍କୁ ତାଜୁବ କରିଦେବ । ଥରେ ଚିନ୍ତା କରନ୍ତୁ ୫ ଥର ମୁଖ୍ୟମନ୍ତ୍ରୀ ହୋଇ ନବୀନଙ୍କର ଯେତେ ସଂପତ୍ତି ଆଉ ଗାଡି ପାଇଁ ସଉକ୍ ନାହିଁ ତାଠାରୁ ଢେର ଅଧିକ ସଉକ ଅଛି ନବ ଦାସଙ୍କର ।

ନବ ଦାସ ଗତ ୨ ବର୍ଷରେ ଅର୍ଥାତ୍ ୨୦୧୮ ରୁ ୨୦୨୦ ମଧ୍ୟରେ ୮୦ଟି ଗାଡି କିଣିଛନ୍ତି । ମର୍ସିଡିଜ ବେଞ୍ଜ ଭଳି ଗାଡି ଯାହାର ମୁଲ୍ୟ ପାଖାପାଖି ୨ କୋଟି ଟଙ୍କା ହେବ, ତାହା ବି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାଖରେ ରହିଛି । ଟିପର୍, ଟ୍ରକ୍ ମଧ୍ୟ ରହିଛି ମନ୍ତ୍ରୀଙ୍କ ପାଖରେ । ୩ଟି ଲାଇସେନସ ପ୍ରାପ୍ତ ବନ୍ଧୁକ ସହ ଝାରସୁଗୁଡା, କୋଲକାତା, ଦିଲ୍ଲୀରେ ତାଙ୍କର ଜମି ରହିଛି । ଏମିତି ଅନେକ ପରିମାଣର ସଂପତ୍ତିର ଅଧିକାରୀ ହେଉଛନ୍ତି ଝାରସୁଗୁଡାର ଏହି ବିଧାୟକ । ଖାଲି ସେ ନୁହଁନ୍ତି ତାଙ୍କ ପତ୍ନୀ, ପୁଅ ଓ ଝିଅ ମଧ୍ୟ ଢେର ସଂପତ୍ତିର ମାଲିକ । ହେଲେ ଯେଉଁ ଦିଗଟି ସବୁଠାରୁ ଅଧିକ ବିବାଦ ତିଆରି କରୁଛି ତାହେଲା ୨୦୧୮ରୁ ୨୦୨୦ ମଧ୍ୟରେ ନବ ଦାସ କିଣିଥିବା ୮୦ଟି ଗାଡି । କାହିଁକି ଏତେ ମାତ୍ରାରେ ଗାଡି ନବ ଦାସ କିଣିଥିଲେ, ତାକୁ ନେଇ ଏବେ ପ୍ରଶ୍ନ । ବ୍ୟକ୍ତିଗତ ସଉକ୍ ପାଇଁ ସେ ଏସବୁ ଗାଡି କିଣିଛନ୍ତି ନା ନିଜେ ଯେହେତୁ ବ୍ୟବସାୟୀ ତେଣୁ ବ୍ୟବସାୟ ପାଇଁ ସେ ଏସବୁ ଗାଡି କିଣିଛନ୍ତି ତାକୁ ନେଇ ଚର୍ଚ୍ଚା । ସେହିଭଳି ୧୬ଟି ମର୍ସିଡିଜ୍ ବେଞ୍ଜ ଗାଡି ନବ ଦାସ ଓ ତାଙ୍କ ପରିମାର ମାଲିକାନାରେ ରହିଛି । ଯାହା ଏହି ନେତା ଆଉ ତାଙ୍କ ପରିବାର ସଦସ୍ୟଙ୍କ ସଉକ ଓ ବିଳାସମୟ ଜୀବନକୁ ସାମ୍ନାକୁ ଆଣୁଛି । ନବ ଦାସଙ୍କର ମୋଟ ସଂପତ୍ତି ମୁଲ୍ୟ ୩୪ କୋଟିରୁ ଅଧିକ ହେବ ।

ନବ ଦାସଙ୍କ ଏଭଳି ଆଭିଜାତ୍ୟ ଭରା ଜୀବନ, ମୁଖ୍ୟମନ୍ତ୍ରୀଙ୍କ ପାରମର୍ଶର ସଂପୁର୍ଣ୍ଣ ବିପରୀତ । ସରଳ ଜୀବନ ବିତାଇ ଲୋକଙ୍କ ପାଇଁ ଆଦର୍ଶ ହେବାର ଯେଉଁ ଧାରା ୨୦୦୦ ମସିହାରୁ ନବୀନ ପଟ୍ଟନାୟକ ଦର୍ଶାଇ ଆସିଛନ୍ତି, ତାହାର ଠିକ ଓଲଟା କାମ କରିଛନ୍ତି ନବ ଦାସ । ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ତାଙ୍କ ପାଇଁ ଗୈାଣ ହୋଇଯାଉଛି ଅବା ଗୁରୁତ୍ୱ ରଖୁନି । ନବ ଦାସ ନିଜେ ଜଣେ ବ୍ୟବସାୟୀ । ସେ ଏତେ ଟଙ୍କାର ଅଧିକାରୀ ହେବା କିଛି ବଡ କଥା ନୁହେଁ । ହେଲେ ପାଖାପାଖି ୨ କୋଟି ଟଙ୍କାର ଏକାଧିକ ଗାଡି ଚଢିବାର ସଉକ ରଖିବା, ଆଉ ତାକୁ କିଣି ନିଜ ଗ୍ୟାରେଜର ଶୋଭା ବଢାଇବା ନବୀନଙ୍କ ପରାମର୍ଶର ବିପରୀତ । ଯେତେବେଳେ ନବୀନ ସଂପତ୍ତି ତାଲିକା ଦାଖଲ କରିବାକୁ ସମସ୍ତଙ୍କୁ କହିଲେ, ସେତେବେଳେ ଏମିତି କିଛି ଦିଗ ସାମ୍ନାକୁ ଆସିବ ବୋଲି ଜଣାଥିଲା । ଆଉ ଏବେ ନଜର ନବୀନଙ୍କ ଉପରେ, ପୁଣି ଥରେ ନବ ଦାସଙ୍କ ଭଳି ନେତାଙ୍କ ପାଇଁ ସରଳ ଜୀବନ ଜିଇଁବାର ପରାମର୍ଶ ନବୀନ ଜାରି କରୁଛନ୍ତି କି ନାହିଁ । ୨୦୦୦ ମସିହାର କୁର୍ତ୍ତା, ପାଇଜାମା ଓ ହାୱାଇ ଚପଲର ଯେଉଁ ବ୍ରାଣ୍ଡ ନବୀନ ତିଆରି କରିଛନ୍ତି, ତାହା ନବ ଦାସଙ୍କ ଭଳି ନେତାଙ୍କୁ ଭାଂଗିବାକୁ ଖୁବ୍ ସମୟ ଲାଗିବ ।

Comments (0)
Add Comment