ଆରେ କାଳିଆ, ଦେ’ରେ ଧରା…

ମହାବାହୁଙ୍କ ଦୁର୍ଲଭ ବେଶ । ଦୀର୍ଘ ୨୬ ବର୍ଷ ପରେ ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ । ହେଲେ ଭକ୍ତ ଆଉ ଭଗବାନ ଭିତରେ କରୋନାର ଯେଉଁ ଲକ୍ଷ୍ମଣରେଖା ଟାଣି ହୋଇଯାଇଥିଲା, ତାହା ମହାପ୍ରଭୁଙ୍କ ଏହି ବିରଳ ବେଶକୁ ଦର୍ଶନ କରିବାରୁ ଲକ୍ଷାଧିକ ଲୋକଙ୍କୁ ବଂଚିତ କରିଛି । ୨୬ ବର୍ଷ ପରେ ଶ୍ରୀକ୍ଷେତ୍ରରେ ସଂପନ୍ନ ହୋଇଛି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ରତ୍ନ ସିଂହାସନରେ ମହାପ୍ରଭୁଙ୍କ ବୀର ବେଶ ବା ପର୍ଶୁରାମ ବେଶ ଅନୁଷ୍ଠିତ ହୋଇଛି ।

ମଙ୍ଗଳ ଆଳତି, ଅବକାଶ ଓ ମଇଲମ ପରେ ଅନୁଷ୍ଠିତ ହୋଇଛି ନାଗାର୍ଜୁନ ବେଶ । ପରମ୍ପରା ଅନୁସାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ନାଗା ବେଶ‌ରେ ସଜ୍ଜିତ ‌ହୋଇଥିବା. ବେଳେ ଦେବୀ ସୁଭଦ୍ରା ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଭୂଷିତା ହୋଇ ତ୍ରିଭୁବନେଶ୍ବରୀ ବେଶରେ ସଜ୍ଜିତା ହୋଇଛନ୍ତି। ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ କେବଳ ସେବକ ଓ ନିୟୋଜିତ ପ୍ରଶାସକ ଏହି ବିରଳ ବେଶ ଦର୍ଶନର ସୁଯୋଗ ପାଇଛନ୍ତି ।

ନାଗାର୍ଜୁନ ବେଶରେ ହାଣ୍ଡିଆ ଶିରସ୍ତ୍ରାଣକୁ ଭଣ୍ଡି ଫୁଲ ଓ କଦମ୍ବ ଫୁଲ କାଠିରେ ସଜାଇ ଶ୍ରୀ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଖଞ୍ଜି ଦିଆଯାଇଛି । ହାଣ୍ଡିଆ ଉପରେ ପାଉଳି, ଚନ୍ଦ୍ରହାର, ବେଙ୍ଗପାଟିଆ, ସୂର୍ୟ୍ୟ, ଚନ୍ଦ୍ର ଇତ୍ୟାଦିରେ ସଜିତ ହୋଇଛି। ମହାପ୍ରଭୁଙ୍କ ପୃଷ୍ଠଦେଶର ଉଭୟ ପାର୍ଶ୍ବରେ ତୀରପୂର୍ଣ୍ଣ ତୁଣୀର ସହିତ ଅନ୍ୟାନ୍ୟ ଅସ୍ତ୍ରମାନ ଖଂଜା ଯାଇଛି। ପ୍ରାରମ୍ଭରେ ବେଶକାରୀମାନେ ଠାକୁରମାନଙ୍କୁ ପାଟବସ୍ତ୍ର, ସିରକାପଡ଼ା, ଫୁଟା ପହରଣ, ବଳା ଇତ୍ୟାଦି ଲାଗି କରିବା ପ‌‌‌ରେ ସିଲ୍‌କ କନାରେ ପ୍ରସ୍ତୁତ ବେଶ ପିନ୍ଧାଇଥିଲେ।

ନାଗାର୍ଜୁନ ବେଶର ବିଶେଷତ୍ବ ହେଲା, ଏହା ସବୁ ବର୍ଷ ପଡ଼ିନଥାଏ। ମହାପ୍ରଭୁଙ୍କ ଅନ୍ୟ ବେଶ ପ୍ରତି ବର୍ଷ ପଡ଼ୁଥିବା ବେଳେ କେବଳ ନାଗାର୍ଜୁନ ଓ ରଘୁନାଥ ବେଶ ବହୁ ବର୍ଷର ଅନ୍ତରରେ ପଡ଼ିଥାଏ। ସେଥି ପାଇଁ ବେଶକୁ ‌ନେଇ ଉତ୍ସୁକତା ଥାଏ। ୧୯୯୪ରେ ଶେଷ ଥର ପାଇଁ ଏହି ବେଶ ପଡ଼ିଥବା ବେଳେ ୨୬ ବର୍ଷ ପରେ ଚଳିତ ବର୍ଷ ଏ‌ ବେଶ ପଡ଼ିଛି। ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ପାଞ୍ଚ ଦିନ ନ ହୋଇ ୬ ଦିନ ପଡ଼ିଥାଏ, ଅର୍ଥାତ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ଚତୁର୍ଦ୍ଦଶୀ ପର୍ୟ୍ୟନ୍ତ ପଞ୍ଚକର ଯେଉଁ ତିଥିରେ ମଳ ପଡ଼େ, ସେହି ମଳ ତିଥିରେ ହିଁ ଠାକୁରମାନଙ୍କ ନାଗାର୍ଜୁନ ବେଶ କରାଯାଏ।

Comments (0)
Add Comment