କୋଣଠେସା ହୋଇଗଲେ ନଳିନୀ ! ୨୦୧୯ ନିର୍ବାଚନରେ ହାରିବା ପରେ ଆଶା କରିଥିଲେ ହୁଏତ ଦଳ ତାଙ୍କୁ କୈାଣସି ପଦ ପଦବୀ ଦେଇ ସନ୍ତୁଷ୍ଟ କରିବ । ମୁଖିଆ ତାଙ୍କ କଥା ବୁଝିବେ । ହେଲେ ଶେଷରେ ସବୁ ଆଶା ଧୁଳିସାତ ହୋଇଗଲା । ଅଫିସରରୁ ନେତା ବନିଥିବା ନଳିନୀ ପ୍ରଧାନଙ୍କର କୁଟନୀତି କାମ ଦେଲାନି । ଆଉ ଶେଷରେ ଆଶା ବାନ୍ଧି ବସିଥିବା ପଦବୀ ମଧ୍ୟ ତାଙ୍କୁ ମିଳିଲା ନାହିଁ । ନିଜ ପାଖ ଲୋକଙ୍କୁ ନଳିନୀ ପ୍ରଧାନ କୁଆଡେ କହି ବୁଲୁଥିଲେ, ସେ ହେବେ ପରବର୍ତ୍ତୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ । ହେଲେ ତାଙ୍କ ବିରୁଦ୍ଧରେ ଏତେ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଁଚିଲା ଯେ, ତାଙ୍କୁ ପାଖ ପୁରାଇ ଦେବାକୁ କୁଆଡେ ମୁଖିଆ ଚାହୁଁନଥିବା ଚର୍ଚ୍ଚା ହେଉଛି ।
ପୂର୍ତ୍ତ ସଚିବ ଭାବେ ସେ କରିଥିବା କାରନାମା ଗୁଡିକର ପେଡି ଏବେ ଖୋଲିବାରେ ଲାଗିଛି । ତେଣୁ ତାଙ୍କୁ ଦଳ ଭିତରେ ଗୁରୁତ୍ୱ ଦେଲେ ଦଳ ପାଇଁ ଅସୁବିଧା ବୋଲି କ୍ଷମତାକେନ୍ଦ୍ର ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି । ତେଣୁ କ୍ୟାବିନେଟ ରାଙ୍କର ଏକ ପଦ ପଦବୀ ପାଇବାର ଆଶା ନେଇ ବସିଥିବା ନଳିନୀ ପ୍ରଧାନଙ୍କୁ ଲାଗିଛି ଜବରଦସ୍ତ ଧକ୍କା । ସମ୍ବଲପୁର ଲୋକସଭା ଆସନରୁ ହାରିବା ପରେ ସେ ଆଉ ଦଳ ଭିତରେ ଗୁରୁତ୍ୱ ପାଉନାହାନ୍ତି । ସଂଗଠନରେ ତାଙ୍କ ବିରୋଧରେ ଅସନ୍ତୋଷ ରହିଛି । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଗ୍ରହଣୀୟତା ବିଲକୁଲ ନାହିଁ । ତେଣୁ ଦଳ ପାଇଁ ସେ ଦିନକୁ ଦିନ ବୋଝ ହେବାରେ ଲାଗିଲାଣି । ସମ୍ବଲପୁରରେ ଚର୍ଚ୍ଚା, ନଳିନୀଙ୍କ ପାଇଁ କୁଆଡେ ଦଳର ସଂଗଠନ ଭାଙ୍ଗିବାକୁ ବସିଲାଣି । ତେଣୁ ନଳିନୀଙ୍କୁ ଆଉ ବେଶୀଦିନ ବରଦାସ୍ତ କରିବା ମୁଡରେ ଦଳ ନାହିଁ । ତେଣୁ ସେ ଦଳ ଭିତରେ କେବଳ ଜଣେ ସ।।ଧାରଣ ନେତା ହୋଇ ରହିବା ହିଁ ସାର ।
ଗୋଟିଏ ସମୟରେ ସରକାରଙ୍କ ଏକାନ୍ତ ଅନୁଗତ ଥିବା ନଳିନୀ ପ୍ରଧାନ ଆଜି ପାୱାର କରିଡରରେ ଅଣଦେଖା । ପୂର୍ତ୍ତ ସଚିବ ଭାବେ ଦୀର୍ଘ ଦିନ ଧରି ଦାୟିତ୍ୱ ତୁଲାଇବା ଏବଂ ସରକାରଙ୍କ ଆଶୀର୍ବାଦରେ ଏକାଧିକ ଶିଡି ଥରେ ଚଢି ପ୍ରମୋଶନ ପାଇଥିବା ଅଭିଯୋଗ ହେବା ପରେ ଏହି ବ୍ୟକ୍ତି ବିବାଦୀୟ ହୋଇଥିଲେ ଆଉ ଏବେ ରାଜନୀତିର ମଇଦାନରେ ଯଥେଷ୍ଟ ପଛରେ ରହିଛନ୍ତି । ଦଳରେ ଅଣଦେଖା, ପାୱାର କରିଡରରେ ଆଉ ଆଗ ଭଳି ଖାଦି ନଥିବା ଚର୍ଚ୍ଚା ଚାଲିଛି । ଚାକିରୀରରେ ଥାଇ ସେ କରିଥିବା କିଛି କାର୍ୟ୍ୟର ଯେତେବେଳେ ସମୀକ୍ଷା କରାଯାଉଛି ସେତେବେଳେ ମାଳ ମାଳ ତ୍ରୁଟି ଏବଂ ବିଫଳତା ହିଁ ତାଙ୍କୁ ପଛରେ ରଖିବାର ଏକ ପ୍ରମୁଖ କାରଣ ବୋଲି ଦଳରେ ଚର୍ଚ୍ଚା ଚାଲିଛି ।
ରାତାରାତି ଅଫିସରରୁ ନେତା ହେବାକୁ ସ୍ୱପ୍ନ ରଖିଥିବା ନଳିନୀ ରାଜନୀତିର ପ୍ରଥମ ସୋପାନରେ ୪୪୦ ଭୋଲଟର ଝଟକା ଖାଇଥିଲେ । ଯେତେବେଳେ ସମ୍ବଲପୁର ଲୋକସଭା ଆସନରୁ ସେ ବିଜେପି ପ୍ରାର୍ଥୀଙ୍କ ନିକଟରୁ ପରାସ୍ତ ହୋଇଥିଲେ । ପ୍ରଥମେ ବିଧାନସଭା ପାଇଁ ଟିକେଟ ପାଇବାକୁ ଜୋଦାର ଲବି କରିଥିଲେ ନଳିନୀ, ହେଲେ ତାଙ୍କ ବିରୋଧରେ ନକରାତ୍ମକ ରିପୋର୍ଟ ଆସିବାରୁ ତାଙ୍କୁ ସମ୍ବଲପୁର ଲୋକସଭା ଆସନରୁ ସେତେବେଳେ ପ୍ରାର୍ଥୀ କରାଯାଇଥିଲା ବୋଲି ଚର୍ଚ୍ଚା ହୋଇଥିଲା । ଆଉ ସ୍ଥିତି ଏପରି ହେଲା ଯେ ବିଜେଡି ହାତରୁ ଏହି ଆସନ ଖସିଗଲା । କୁହାଗଲା, ନଳିନୀଙ୍କ ରାଜନୈତିକ ଅନଭିଜ୍ଞତା ହିଁ ଏଥିପାଇଁ ଦାୟୀ । ଆରମ୍ଭରୁ ନଳିନୀ ପ୍ରଧାନଙ୍କୁ ନେଇ ଯେଉଁ ଅସନ୍ତୋଷ ଥିଲା ତାହା ହିଁ ନିର୍ବାଚନ ଫଳରେ ପ୍ରତିଫଳିତ ହେଲା ।
ନିର୍ବାଚନ ହାରିବା ପରେ ଦଳରେ ଏକ ପ୍ରକାରର କୋଣଠେସା ଅବସ୍ଥାରେ ଏହି ନେତା ଜଣକ ଅଛନ୍ତି । ଜିଲ୍ଲା ସଂଗଠନରେ ନା ସେମିତି କିଛି ଛାପ ରହିଛି ନା ଦଳର ୟଙ୍ଗ ବ୍ରିଗେଡଙ୍କ ସହ ସାମଂଜସ୍ୟ ରକ୍ଷା କରି ସେ ଆଗକୁ ବଢିପାରୁଛନ୍ତି । ରାଜନୀତିର ଦୋ’ଛକିରେ ଏବେ ସେ ଠିଆ ହୋଇଥିବା ଚର୍ଚ୍ଚା ହେଉଛି । ୨୦୧୯ ନିର୍ବାଚନ ହାରିବା ପରେ ସେ ଆଶା ରଖିଥିଲେ କୈାଣସି ପଦ ପଦବୀରେ ହୁଏତ ଦଳର ସୁପ୍ରିମୋ ତାଙ୍କୁ ଥଇଥାନ କରିବେ, ହେଲେ ହାରିଥିବା ନେତାଙ୍କୁ କୈାଣସି ଦାୟିତ୍ୱ ଦେବେନାହିଁ ବୋଲି ପରୋକ୍ଷରେ ବାର୍ତ୍ତା ସମସ୍ତଙ୍କ ସାମ୍ନାରେ ଆଣି ଥୋଇ ଦିଆଗଲା । ତେଣୁ ନଳିନୀ ଏବେ କଣ କରିବେ, ସେନେଇ ଦ୍ୱନ୍ଦ୍ୱ ଭିତରେ ଥିବା ଚର୍ଚ୍ଚା ହେଉଛି ।
ପୂର୍ତ୍ତ ସଚିବ ଭାବେ ସେ ହାସଲ କରିଥିବା କୁଖ୍ୟାତି ହିଁ ତାଙ୍କ ପାଇଁ ଅନ୍ତରାୟ ସୃଷ୍ଟି କରିଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି । ଖାସ କରି ବୋମିଖାଲ ବ୍ରିଜର ତ୍ରୁଟିପୂର୍ଣ୍ଣ ଡିଜାଇନ ଠାରୁ ଆରମ୍ଭ କରି ଏହାର ନିର୍ମାଣ ସମୟରେ ହୋଇଥିବା ତମାମ କାରସାଦି ଏବଂ ଏଥିରେ ନଳିନୀଙ୍କ ଭୂମିକାକୁ ନେଇ ଅନେକ ବାର ବିତର୍କ ହୋଇଛି । ସେହିଭଳି ୨୦ରୁ ଅଧିକ ଇଂଜିନିୟରଙ୍କୁ ପଛରେ ପକାଇ କିଭଳି ପ୍ରମୋଶନ ପାଇଁ ନଳିନୀ ଚିଫ ଇଂଜିନିୟର ହେଲେ ସେହି ପ୍ରସଙ୍ଗ ମଧ୍ୟ ବିରୋଧୀ ଉଖୁରେଇବାର ସମ୍ଭାବନା ଥିବାରୁ ନଳିନୀଙ୍କୁ କୈାଣସି ଦାୟିତ୍ୱ ଦେବା ଆଗରୁ ହଜାରେ ଥର ଚିନ୍ତା କରିବାକୁ ପଡିବ ବୋଲି ବିଜେଡି ନେତା ସମୀକ୍ଷା କରୁଛନ୍ତି ।
ନଳିନୀ ପ୍ରଧାନ ପୂର୍ତ୍ତ ସଚିବ ଥିବା ସମୟରେ ଅର୍ଥନୈତିକ ଅନିୟମିତତା ଅଭିଯୋଗ ଯେପରିକି ପ୍ରକଳ୍ପର ମୋଟ ଖର୍ଚ୍ଚ ପରିମାଣ ବଢାଇଦେବା, ପ୍ରକଳ୍ପ ସରିବା କାମରେ ଅହେତୁକ ବିଳମ୍ବ, ନିମ୍ନମାନର କାମ, ବ୍ରିଜ ଭୁଶୁଡିବା ଭଳି ଅନେକ ଅପବାଦ ରହିଛି ନଳିନୀ ପ୍ରଧାନଙ୍କ ନାଁରେ । ତେଣୂ ତାଙ୍କୁ କୈାଣସି ପଦ ପଦବୀ ଦେବା ଅର୍ଥ ଏସବୁ ଅଭିଯୋଗକୁ ନେଇ ପୁଣି ଥରେ ସମୀକ୍ଷା ଆରମ୍ଭ ହୋଇଯିବ । ଯାହା ଦଳୀୟ ନେତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବ । ପଂଚମ ପାଳିରେ କ୍ଷମତାକୁ ଆସିଥିବା ବିଜେଡି ପାଇଁ ଆହ୍ୱାନ ହେଉଛି ଲୋକଙ୍କ ବିଶ୍ୱାସକୁ ବଜାୟ ରଖିବା ଏବଂ ସରକାର ବିରୋଧୀ ହାୱାକୁ ପ୍ରଶମିତ କରିବା । ଆଉ ଏଭଳି ସମୟରେ ଯଦି ନଳିନୀଙ୍କୁ ନେଇ କୈାଣସି ଗୋଟିଚାଳନା ବିଜେଡି କରେ ତେବେ ଏହା ବୁମେରାଂ ହେବ ବୋଲି ଦଳୀୟ ମହଲରେ ଅନେକ ନେତା ଚର୍ଚ୍ଚା ମଧ୍ୟ ଆରମ୍ଭ କରିଦେଇଛନ୍ତି ।