ପଦ୍ମଶ୍ରୀ ନନ୍ଦ ସାରଙ୍କ ପରଲୋକ । ୧୦୨ ବର୍ଷ ବୟସରେ ଶେଷରେ ଆଖିବୁଜିଛନ୍ତି ଶତାୟୁ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି । ଚାଟଶାଳୀରେ ଛୋଟ ଛୋଟ ପିଲାଙ୍କୁ ଭବିଷ୍ୟତର ରାସ୍ତା ଦେଖାଉଥିବା ଏହି ଶିକ୍ଷକ ଆଜି ନିସ୍ତବ୍ଧ ପାଲଟି ଯାଇଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ ନନ୍ଦ ସାର । ହେଲେ ଆଜି ସେ ଆରପାରିକୁ ଚାଲିଯାଇଛନ୍ତି ।
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କନ୍ତିରା ଗାଁର ନନ୍ଦ ପୃଷ୍ଟି ସାର୍ । ଚାଟଶାଳୀ ଗୁରୁ ଭାବେ ପରିଚିତ ନନ୍ଦ ସାର ୮୨ବର୍ଷ ହେଲା ପିଲାଙ୍କୁ ମାଗଣାରେ ପାଠ ପଢାଉଛନ୍ତି । ନିଜ ଚାଟଶାଳୀରେ ସେ ଗଢୁଥିଲେ ଗୋଟିଏ ପରେ ଗୋଟିଏ ମଣିଷ । କେହି କେହି ତାଙ୍କ ଚାଟଶାଳୀକୁ ମଣିଷ ଗଢା କାରଖାନା ବୋଲି ମଧ୍ୟ କହନ୍ତି । ନଭେମ୍ବର ୯ ତାରିଖରେ ସେ ରଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ପାଇଥିଲେ । ରାଷ୍ଟ୍ରପତି ଭବନରେ ନନ୍ଦ ସାରଙ୍କ ନାଁ ଘୋଷଣା ପରେ ଖାଲି ପାଦରେ ସେ ଚାଲି ଚାଲି ଯିବା ଓ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ ପୂର୍ବରୁ ତାଙ୍କୁ ଆଶୀର୍ବାଦ ଦେବାର ଚିତ୍ର ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା ।