ନବୀନଙ୍କୁ ପାଦେ ପାଦେ ଜଗିଛନ୍ତି ଧର୍ମେନ୍ଦ୍ର ।

ନବୀନଙ୍କୁ ପାଦେ ପାଦେ ଜଗିଛନ୍ତି ଧର୍ମେନ୍ଦ୍ର । ଏକଥା ସେତିକିବେଳେ ଚର୍ଚ୍ଚା ଭିତରକୁ ଆସୁଛି ଯେତେବେଳେ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆଙ୍କୁ ନେଇ ଏକ ଭିଡ଼ିଓ କନଫରେନ୍ସିଂ କରାଯାଉଛି । ଆଉ ସାଥିରେ ସାମିଲ ହେଉଛନ୍ତି ପୁରୀ ଗଜପତି ମହାରାଜା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ଜାତିର ଆରାଧ୍ୟ ତଥା ପରିଚୟ, ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଶ୍ରୀକ୍ଷେତ୍ରକୁ ନେଇ ଘଣ୍ଟା ଘଣ୍ଟା ଧରି ଆଲୋଚନା ହେଉଛି । ଆଉ ଏଥିରେ ଶ୍ରୀକ୍ଷେତ୍ର ପାଇଁ ଆରମ୍ଭ ହୋଇଥିବା ସର୍ମପଣ ନିଧି ସଂଗ୍ରହ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଉଛି । ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବାର ସଂକଳ୍ପ ନେଇ ଏହି ଅଭିଯାନକୁ ବିଶ୍ୱସ୍ତରୀୟ କରିବା ସହ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର । ତେବେ ଧର୍ମେନ୍ଦ୍ରଙ୍କର ଏହି ଆହ୍ୱାନ ନିଜସ୍ୱ ନୁହେଁ । ବରଂ ନବୀନଙ୍କର ଆହ୍ୱାନକୁ ଧର୍ମେନ୍ଦ୍ର ହାଇଜାକ କରିଥିବା କହିଛନ୍ତି ରାଜନୀତିରେ ରୁଚି ରଖିଥିବା ବ୍ୟକ୍ତି । ଆଉ ଏହି ହାଇଜାକ ଥିଓରୀକୁ ଆପଣାଇ ଧର୍ମେନ୍ଦ୍ର କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସେ ବାବଦରେ ମଧ୍ୟ ଆମ ପ୍ରତିନିଧିଙ୍କ ଆଗରେ ବିଶେଷ୍ଲଣ କରିଛନ୍ତି ।

ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶ ହେବ । କିଛି ଏଭଳି ପ୍ରସଙ୍ଗରେ ଭିଡ଼ିଓ କନଫରେନ୍ସିଂରେ ଏକାଠି ହୋଇଥିଲେ ବିଶ୍ୱର ବିଭିନ୍ନ କୋଣରେ ରହୁଥିବା ଓଡ଼ିଆ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗଜପତି ମହାରାଜାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ତେବେ ଏହା ସଂଯୋଗ ନଥିଲା ବରଂ ସଂକେତ ଥିଲା । ଆଉ ତାହା ବି ପୁଣି ନବୀନଙ୍କ ପାଇଁ । କାରଣ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶର ପରିକଳ୍ପନା ଏବେକାର ନୁହେଁ । ‘ଅବଢା, ଶ୍ରୀମନ୍ଦିର ପରିକ୍ରମା’, ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବାକୁ ରାଜ୍ୟ ସରକାରଙ୍କର କେତେ କଣ ଯୋଜନା? ଏହି ଯୋଜନା କେବଳ ଘୋଷଣା ସର୍ବସ୍ୱ ହୋଇ ରହିନାହିଁ ବରଂ ବଦଳାଇ ଦେଇଛି ଶ୍ରୀକ୍ଷେତ୍ରର ରୂପରେଖ । ଆଉ ଏବେ ଏହା ସହ ଯୋଡି ହୋଇଛି ସର୍ମପଣ ନିଧି ସଂଗ୍ରହ ଅଭିଯାନ । କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଏଥିରେ ସାମିଲ ହେବାକୁ ନବୀନ ଆହ୍ୱାନ କରିଥିଲେ । ଲକ୍ଷ୍ୟ ଥିଲା, ଶ୍ରୀମନ୍ଦିରର ବିକାଶମୂଳକ କାର୍ଯ୍ୟ ସହ ମହାପ୍ରଭୁଙ୍କ ସେବା ପାଇଁ ପ୍ରତିଟି ଜଗନ୍ନାଥପ୍ରେମୀ ତଥା ଓଡ଼ିଆଙ୍କୁ ସୁଯୋଗ ଦେବା । ଆଉ ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଚାରିଆଡୁ ପ୍ରଂଶସା ମିଳିଥିବା ବେଳେ ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ । କେବଳ ସାମିଲ ହୋଇନଥିଲେ ବରଂ ନିଜ ଦରମାରୁ ଲକ୍ଷେ ଟଙ୍କା ଦେଇ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବାହାବା ଦେଇଥିଲେ ।

ତେବେ ଶ୍ରେୟ ରାଜନୀତିରେ କାଳେ ପଛରେ ପଡିଯିବେ ସେଥିପାଇଁ ସର୍ମପଣ ନିଧି ସଂଗ୍ରହ ଅଭିଯାନକୁ ଏବେ ଧର୍ମେନ୍ଦ୍ର ହାଇଜାକ କରିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି । ଶ୍ରୀକ୍ଷେତ୍ର ବିକାଶର ବିନ୍ଧାଣୀ ସାଜି ନବୀନ ଯେଉଁ ଶ୍ରେୟ ଓ ପ୍ରଂଶସା ସାଉଁଣ୍ଟୁଛନ୍ତି ସେଥିରେ ଭାଗ ବସାଇବାକୁ ଅଣ୍ଟା ଭିଡ଼ିଛନ୍ତି ଧର୍ମେନ୍ଦ୍ର । ଆଉ ଏଥିରେ ସଫଳ ହେବାକୁ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆଙ୍କୁ ନେଇ କେନ୍ଦ୍ରମନ୍ତ୍ରୀ ଗୋଟି ଚାଳନା ଆରମ୍ଭ କରିଥିବା ରାଜନୈତିକ ବିଶାରଦ ମାନେ ମତ ଦେଇଛନ୍ତି । ଆଉ ଏହାକୁ ଯେପରି କେହି ରାଜନୈତିକ ଦୃଷ୍ଟିଭଙ୍ଗୀରୁ ନ ଦେଖନ୍ତୁ ସେଥିପାଇଁ ଗଜପତି ମହାରାଜଙ୍କୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ଭାବେ ସାମ୍ନାକୁ ଅଣାଯାଇଛି ।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ଶ୍ରୀକ୍ଷେତ୍ରର ବିକାଶ ପ୍ରସଙ୍ଗରେ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରସ୍ତାବିତ ବାଇ ଲ ପ୍ରତ୍ୟାହାର ପ୍ରସଙ୍ଗରେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ସମାନ ଭୂମିକାରେ ଦେଖିବାକୁ ମିଳିଥିଲା । ଯେତେବେଳେ ପୁରୀ ପାଇଁ ପ୍ରସ୍ତାବିତ ବାଇ ଲକୁ ନେଇ ରାଜ୍ୟରେ ଜନ ଅସନ୍ତୋଷ ବଢିଲା ଓ ଏହାକୁ ଉଚ୍ଛେଦ କରିବାକୁ ନବୀନ ବଡଦାଣ୍ଡରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଲେ । ସେତେବେଳେ ନବୀନଙ୍କ ଏଭଳି ଆଭିମୁଖ୍ୟ ଆଗରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇବା ଆଗରୁ ଆକ୍ଟିଭ ମୋଡକୁ ଆସିଥିଲେ ଧର୍ମେନ୍ଦ୍ର । ସଙ୍ଗେ ସଙ୍ଗେ ରାଜ୍ୟ ବିଜେପିର କିଛି ସାଂସଦଙ୍କୁ ଧରି ବାଇ ଲକୁ ସ୍ଥଗିତ ରଖିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କୁ ଭେଟି ଏ ବାବଦରେ ଅବଗତ କରିଥିବା ନେଇ ଟ୍ୱିଟ୍ କରିଥିଲେ ଧର୍ମେନ୍ଦ୍ର । ଆଉ ଏଭଳି କରି ସଂକେତ ଦେଇଥିଲେ ଯେ, ବାଇ ଲ ପ୍ରତ୍ୟାହୃତ ପଛରେ କେବଳ ନବୀନଙ୍କର ହାତ ନାହିଁ । ଏହାସହ ଶିମିଳିପାଳରେ ନିଆଁ ଲାଗିବା ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଥମରୁ ଚୁପ୍ ବସିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ତତ୍ପରତା ଦେଖିବା ପରେ ଧର୍ମେନ୍ଦ୍ର ମଧ୍ୟ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିଲେ । ତୁରନ୍ତ ବିଜେପି ସାଂସଦଙ୍କୁ ଏକାଠି କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭେଟିବା ସହ କେନ୍ଦ୍ରୀୟ ଟିମ୍ ଶିମିଳିପାଳକୁ ପଠାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ଏହାବାଦ୍ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ଗଜପତି ମହାରାଜଙ୍କୁ ନବୀନ ଧନ୍ୟବାଦ ଜଣାଇଥିବା ବେଳେ ଧର୍ମେନ୍ଦ୍ର କିନ୍ତୁ ଗୋଟିଏ ପାଦ ଆଗକୁ ଯାଇ ଗଜପତିଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଧର୍ମେନ୍ଦ୍ର ସଫେଇ ଦେଇଥିଲେ ମଧ୍ୟ ଏହା ପଛର ସଂକେତ କଣ ଥିଲା ତାହାକୁ ନେଇ ରାଜନୈତିକ କରିଡରରେ ଜୋରଦାର ଚର୍ଚ୍ଚା ହେଲା । କେବଳ ସାକ୍ଷାତ କରିନଥିଲେ ବରଂ ଚିଠି ଲେଖି ସର୍ମପଣ ନିଧି ଅଭିଯାନକୁ ଆଗେଇ ନେବାକୁ ସହଯୋଗ ଲୋଡିଥିଲେ । କାରଣ ବିଜେପିର ପୋଷ୍ଟରବୟ ବୋଧହୁଏ ଭଲଭାବେ ଜାଣିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦର ପ୍ରତିବଦଳରେ ଯଦି ଗଜପତି ଶ୍ରୀମନ୍ଦିର ବିକାଶ କାର୍ଯ୍ୟ ପାଇଁ ନବୀନଙ୍କୁ ଧନ୍ୟବାଦ ଜଣାନ୍ତି ତେବେ ଶ୍ରେୟ ପାଇଁ ହେଉଥିବା ଲଢେଇ ସବୁ ବୃଥା ଯିବ । ଆଉ ଏସବୁ ଭିତରେ ଧର୍ମେନ୍ଦ୍ରଙ୍କ ପ୍ରତିଟି କାର୍ଯ୍ୟକଳାପ ସୂଚାଉଛି ଯେ, ନବୀନଙ୍କୁ ପାଦେ ପାଦେ ଜଗିଛନ୍ତି ଧର୍ମେନ୍ଦ୍ର ।

Comments (0)
Add Comment