ଉପ-ନିର୍ବାଚନ ପୂର୍ବରୁ ପିପିଲିକୁ ପ୍ରକଳ୍ପର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିପିଲି ଓ ଡେଲାଙ୍ଗ ପାଇଁ ୬୭.୬୮ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ପିପିଲି ଓ ଡେଲାଙ୍ଗ ଲୋକଙ୍କ ସହ କଥା ହେବା ସହ ସେମାନଙ୍କ ସୁଖଦୁଃଖ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ।
ବିଧାୟକ ପ୍ରଦୀପ ମହାରଥୀଙ୍କ ଅଵର୍ତ୍ତମାନରେ ପିପିଲି ବିକାଶ ପାଇଁ ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଓ ପିପିଲି ପୌରାଞ୍ଚଳ ପାଇଁ 67 କୋଟି 68 ଲକ୍ଷ ଟଙ୍କା ବ୍ୟୟ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ୟାକେଜରେ ଦୁଇଟି ବ୍ଳକର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାସ୍ତା ଘାଟ, ଜଳସେଚନ, ଷ୍ଟାଡ଼ିୟମ, ବସ୍ ଷ୍ଟାଣ୍ଡ୍, ସେତୁ ଇତ୍ୟାଦି ଭଳି ବିକାଶ ମୂଳକ ପ୍ରକଳ୍ପ ହେବ । ପିପିଲି ବ୍ଲକ୍ ପାଇଁ ୨୪ କୋଟି ୪୧ଲକ୍ଷ ଓ ପୌରାଞ୍ଚଳ ପାଇଁ ୧୬ କୋଟି ୮୫ଲକ୍ଷ ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପିପିଲି ପୌରାଞ୍ଚଳରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ କୋଟିଏ ୫୦ ଲକ୍ଷ, ନୂଆ ହସ୍ତଶିଳ୍ପ ଭେଣ଼୍ଡଂ ମାର୍କେଟ ପାଇଁ କୋଟିଏ ୫୦ ଲକ୍ଷ, ଟାଉନହଲ ଓ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଏକ କୋଟି ୫୦ ଲକ୍ଷ, ଭୁବନାନନ୍ଦ ପୁଷ୍କରିଣୀ ପୁନରୁଦ୍ଧାର ଓ ଉନ୍ନତି ପାଇଁ ୨କୋଟି, ପାଣି ପାଇପ୍ ଲାଇନ ସମ୍ପ୍ରସାରଣ ପାଇଁ ୭କୋଟି , ୭୭ଟି କଂକ୍ରିଟ ରୋଡ୍ , କମ୍ୟୁନିଟି ସେଣ୍ଟର, ଡ୍ରେନ୍ ଆଦି ନିର୍ମାଣ ପାଇଁ ୧କୋଟି ଟଙ୍କା ଖର୍ଚ୍ଚ ହେବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାରଥୀଙ୍କୁ ମନେ ପକାଇ ପିପିଲିର ବିକାଶ ପାଇଁ ଶପଥ ନେଇଥିଲେ । କହିଥିଲେ, ଦୁଃଖ ଯେ ପ୍ରିୟ ମହାରଥୀ ନାହାନ୍ତି । ଗତ 30 ବର୍ଷରୁ ଅଧିକ ସମୟରୁ ସେ ପିପିଲି ଡେଲାଙ୍ଗର ବିକାଶ ଓ ଆପଣଙ୍କ ଭଲ ମନ୍ଦ ସୁଖ ଦୁଃଖରେ ଥିଲେ । ବିକାଶ ପାଇଁ ସେ ସାରା ଜୀବନ କାମ କରିଛନ୍ତି । ମୁଁ ଗାଁ ଉପରେ ଫୋକସ କରେ । ମହିଳା ବିକାଶ ଫୋକସ, ଚାଷୀ ଭାଇ କଲ୍ୟାଣ, ଗରିବ ମୁହଁରେ ହସ ମତେ ଅଧିକ ସନ୍ତୋଷ ଦେଇଥାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗରିବଙ୍କ ବିକାଶ ପାଇଁ ମୁଁ କାମ କରୁଛି ଏବଂ ବଞ୍ଚିଥିବା ଯାଏଁ ମଧ୍ୟ କରୁଥିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।