‘ପାଠ ପଢି ଆସୁ ବିଜେଡି’

ସଂସଦ ଅଧିବେଶନ ସାରି ଦିଲ୍ଲୀରୁ ଫେରିବା ପରେ ଏବେ ଆଟାକିଙ୍ଗ ମୁଡରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟ ସରକାରଙ୍କୁ ଘନ ଘନ ଆକ୍ରମଣ କରୁଛନ୍ତି ଅପରାଜିତା । ଗତକାଲି ପରେ ଆଜି ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କରି ଏକାମ୍ର କ୍ଷେତ୍ରରେ ଏନଏମଏର ବାଇ-ଲ’ ପ୍ରସଙ୍ଗକୁ ନେଇ ପୁରୁଣା ତଥ୍ୟ ଦୋହରାଇଛନ୍ତି ଅପରାଜିତା ଷଡଙ୍ଗୀ । ଆଜି ସାମ୍ବାଦିକ ସମ୍ମିଳନୀ କରି ବାଇ-ଲ’ ପ୍ରସଙ୍ଗରେ ରାଜ୍ୟ ସରକାର ଓ ବିଜେଡିକୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାର ଏବଂ ବିଜେଡି ପାଠ ପଢି ଆସନ୍ତୁ, ଲୋକଙ୍କୁ ଭ୍ରମିତ କରିବାକୁ ଉଦ୍ୟମ ନକରନ୍ତୁ ବୋଲି କହିଛନ୍ତି ଅପରାଜିତା ।

ଅପରାଜିତା କହିଛନ୍ତି, ବିଜେଡିର ଜଣେ ଭଦ୍ରବ୍ୟକ୍ତି ୧୯୫୮ ଆକ୍ଟକୁ ନେଇ କିଛି କହିଛନ୍ତି। ତାଙ୍କ କହିବା କଥା , ସଂସ୍କୃତି ବିଭାଗ ନିର୍ଦ୍ଦେଶକ ପ୍ରାଧିକୃତ ଅଧିକାରୀ ନୁହନ୍ତି। ଅପରାଜିତା କହିଛନ୍ତି, ସେ ତଥ୍ୟ ଭିତରକୁ ନଯାଇ କୌଣସି ମତ ଦିଅନ୍ତି ନାହିଁ । ତଥ୍ୟକୁ ବିଶ୍ଲେଷଣ କଲା ପରେ ହିଁ ମତ ଦିଏ । ବିଜେଡି ଓ ରାଜ୍ୟ ସରକାର ପାଠ ପଢି ଆସନ୍ତୁ । ଲୋକଙ୍କୁ ଭ୍ରମିତ ନକରନ୍ତୁ ବୋଲି କହିଛନ୍ତି ସାଂସଦ । ୨୦୨୧ ଜାନୁଆରୀ ୨୦ରେ ଏନଏମଏଠାରୁ ୪ଟି ଏନଓସି ଘରୋଇ ପକ୍ଷକୁ ଦିଆଯାଇଛି। ଏ ସଂପର୍କରେ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି। ଏପରି ମନ୍ତବ୍ୟ ରାଜ୍ୟ ସରକାରଙ୍କ ଅଜ୍ଞତା ଓ ଅପରିପକ୍ୱତା ଦର୍ଶାଉଛି ବୋଲି କହିଛନ୍ତି ଅପରାଜିତା।

ସୋମବାର ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଷଡଙ୍ଗୀ କହିଥିଲେ ଯେ, ଏଏମଏସଏଆର ଆକ୍ଟ ୧୯୫୮ର ଧାରା ଅନୁସାରେ ବାଇ-ଲ’ ପର୍ଯ୍ୟବେସିତ ହୋଇଛି, ସେହି ଅନୁସାରେ ରାଜ୍ୟରେ ପ୍ରାଧିକୃତ ଅଧିକାରୀ ହେଉଛନ୍ତି ସଂସ୍କୃତି ବିଭାଗର ନିର୍ଦ୍ଦେଶକ । ଏଏମଏସଏଆର ଆକ୍ଟ ୧୯୫୮ ଅନୁସାରେ ୨୦୧୪ରୁ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ପ୍ରାଧିକୃତ ଅଧିକାରୀ କରାଯାଇଥିବା ବେଳେ ବାଇ-ଲ’ ସଂପର୍କରେ ରାଜ୍ୟ ସରକାର କେମିତି ଜାଣିନଥିଲେ ବୋଲି ପ୍ରଶ୍ନ କରିଥିଲେ ଅପରାଜିତା । ୨୦୧୪ରୁ ଏହି ବ୍ୟବସ୍ଥା ଅଛି । ତେଣୁ ରାଜ୍ୟ ସରକାରଙ୍କ ଅଜାଣତରେ ବାଇ-ଲ’ ତିଆରି ହୋଇଛି ବୋଲି ଆସିଥିବା ଅଭିଯୋଗ ସତ ନୁହେଁ ବୋଲି କହିଥିଲେ ସାଂସଦ ।

Comments (0)
Add Comment