ନବୀନଙ୍କ ରାସ୍ତାରେ ମୋଦି!

ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏମିତି କିଛି ଐତିହାସିକ ନିଷ୍ପତି ନିଅନ୍ତି ଯାହା ସମସ୍ତଙ୍କୁ ଚକିତ କରିଦିଏ । ସେ ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା ହେଉ ବା ସାଧାରଣ ଲୋକଟିଏ ପାଇଁ ଘୋଷଣା କରୁଥିବା ଯୋଜନା, ପ୍ରତିଟି କ୍ଷେତ୍ରରେ ନବୀନ ନେଉଥିବା ନିଷ୍ପତି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରେ । ଯାହା ବାବଦରେ ପଲ୍ଲୀରୁ ଦିଲ୍ଲୀ ପର୍ୟ୍ୟନ୍ତ ଆଲୋଚନା ଚାଲେ । ଯେଉଁଥିପାଇଁ ନବୀନ ଭୂରି ଭୂରି ପ୍ରଂଶସା ମଧ୍ୟ ସାଉଁଟିଛନ୍ତି । ନବୀନଙ୍କ ଗୋଟିଏ ଗୋଟିଏ ନିଷ୍ପତି ପୂରା ଦେଶକୁ ବାଟ ଦେଖାଇଥାଏ । ନବୀନଙ୍କ ନିଷ୍ପତି ଓ କାର୍ୟ୍ୟଶୈଳୀ କେବଳ ରାଜ୍ୟସ୍ତରରେ ସୀମିତ ନୁହେଁ ବରଂ ବିଶ୍ୱସ୍ତରରେ ଓଡ଼ିଶାକୁ ନୂଆ ପରିଚୟ ଦେଉଛି । ଓଡ଼ିଶା ପାଇଁ ନବୀନ ଯେଉଁ ବିକାଶର ମଞ୍ଜି ବୁଣୁଛନ୍ତି ସେହି ଫର୍ମୁଲାରେ ଦେଶ ମଧ୍ୟ ଆଗକୁ ବଢିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । ଯାହାର ଝଲକ ଗତ ୫ରୁ ୬ ବର୍ଷ ହେବ ଦେଖିବାକୁ ମିଳୁଛି । ଅଥାର୍ତ ନବୀନ ଦେଖାଉଥିବା ରାସ୍ତାରେ ଏବେ ଚାଲୁଛନ୍ତି କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ।

ନବୀନଙ୍କ ନିଷ୍ପତିର ଅନୁସରଣ କରିବାରେ ସତେ ଯେପରି ମୋଦି ମାହିର । ଏଭଳି କହିବା ପଛରେ ଅନେକ କାରଣ ରହିଛି । ଇଏ ଦେଖୁନାହାନ୍ତି, ମହାମାରୀ ସହ ମହାଲଢେଇ ଚାଲିଥିବା ବେଳେ ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ଚାହୁଁନଥିଲେ ନବୀନ । ଯେଉଁଥିପାଇଁ ଆଗାମୀ ପିପିଲି ଉପ-ନିର୍ବାଚନରେ ବିଜେଡି କୌଣସି ରାଲି କି ଶୋଭାଯାତ୍ରା କରିବନି ବୋଲି ସ୍ପଷ୍ଟ ମନା କରିଦେଲେ ନବୀନ । ରାଜନୀତି ପଛ, ଲୋକଙ୍କ ଜୀବନ ଆଗ । କିଛି ଏଭଳି ଆଭିମୁଖ୍ୟ ରଖି ରାଲି ଓ କ୍ୟାମ୍ପେନକୁ ନା କରିଛନ୍ତି ନବୀନ । ଏପରିକି ମହାମାରୀ ସମୟରେ ଲୋକଙ୍କ ଜୀବନକୁ ବିପଦରେ ପକାଉଥିବା ରାଲି ଓ କ୍ୟାମ୍ପେନିଂର ପ୍ରଣାଳୀ ଉପରେ ରାଜନୈତିକ ଦଳ ଓ ନିର୍ବାଚନ କମିଶନ ତର୍ଜମା କରିବା ଆବଶ୍ୟକ ବୋଲି କହିଥିଲେ ନବୀନ । ଆଉ ନବୀନଙ୍କ ଏଭଳି ଅପିଲର କିଛି ଘଣ୍ଟା ମଧ୍ୟରେ ବିଜେପି ମଧ୍ୟ ନିର୍ବାଚନ ପ୍ରଚାରକୁ ନେଇ ବଡ ଘୋଷଣା କରିଥିଲା । ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ନେଇ ନିର୍ବାଚନ ରାଲି କରିବା ବଦଳରେ ମାତ୍ର ୫୦୦ ଲୋକଙ୍କୁ ନେଇ ନିର୍ବାଚନ ରାଲି କରିବାକୁ ନିଷ୍ପତି ନେଇଥିଲା । ଯାହା ଦର୍ଶାଉଥିଲା ନବୀନଙ୍କ ଅପିଲକୁ କେଉଁଠି ନା କେଉଁଠି ମାନୁଛି ବିଜେପି ।

ଏହା କେବଳ ଗୋଟିଏ ଘଟଣା ନୁହେଁ ବରଂ କୋଭିଡ ଟିକାକୁ ନେଇ ନବୀନ ଦେଇଥିବା ପରାମର୍ଶକୁ ମଧ୍ୟ ଗ୍ରହଣ କରିଛନ୍ତି ମୋଦି । ଟିକା ଉତ୍‌ପାଦନକାରୀ ସଂସ୍ଥା ଗୁଡିକ କେନ୍ଦ୍ରକୁ ୫୦ ଓ ରାଜ୍ୟ ଏବଂ ଖୋଲା ବଜାରକୁ ୫୦ ପ୍ରତିଶତ ଟିକା ଦିଅନ୍ତୁ ବୋଲି ମୋଦିଙ୍କୁ ଚିଠି ଲେଖି ଜଣାଇଥିଲେ ନବୀନ । ଯାହାଦ୍ୱାରା ସରକାରଙ୍କ ଉପରୁ କିଛି ମାତ୍ରାରେ ଟିକାକରଣକୁ ନେଇ ଥିବା ଭାର କମିଯିବ । ଆଉ ନବୀନଙ୍କ ଚିଠି ଲେଖିବାର ଦୁଇ ଦିନ ମଧ୍ୟରେ ଏ ବାବଦରେ ବଡ ନିଷ୍ପତି ନେଇଥିଲେ ମୋଦି ସରକାର । ଖୋଲା ବଜାରକୁ ଟିକା ଛାଡିବା ନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ମୋଦି । ମହାମାରୀ ସମୟରେ ନବୀନଙ୍କ ଏହି ଫର୍ମୁଲା ବେଶ ଉପଯୋଗୀ ହେବ ବୋଲି ଚର୍ଚ୍ଚା ହେଉଛି ।

ସେହିଭଳି ନବୀନ ଆଣିଥିବା ବିଭିନ୍ନ ଯୋଜନାର ଝଲକ ପରବର୍ତ୍ତୀ ସମୟରେ ମୋଦି ସରକାରରେ ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ପୂରା ଦେଶରେ ଲାଗୁ କରିବା ସହ ବାହାବା ସାଉଣ୍ଟିଛନ୍ତି ମୋଦି । ଆଉ ଏହାର ବଡ ଉଦାହରଣ ହେଲା ନବୀନଙ୍କ କାଳିଆ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଯାହାର ଝଲକ ମୋଦିଙ୍କ ପିଏମ କିଷାନ ଓ ଆୟୁଷ୍ମାନ ଭାରତ ଯୋଜନାରେ ଦେଖିବାକୁ ମିଳିଛି । ରାଜ୍ୟର ଚାଷୀ ମାନଙ୍କୁ ଋଣ ଦେବା ବଦଳରେ ଆର୍ଥିକ ସହାୟତା ଦେଇ କୃଷି କ୍ଷେତ୍ରକୁ ଆଗକୁ ବଢାଇବାକୁ ନବୀନ ଆଣିଥିଲେ କାଳିଆ ଯୋଜନା । ଯେଉଁଥିରେ ରାଜ୍ୟର ଗରିବ, ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ନିଷ୍ପତି ନେଇଥିଲେ ନବୀନ । ଆଉ ପୂରା ଦେଶରେ ଚାଷୀଙ୍କ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଗଲା ଓ ନବୀନଙ୍କୁ ଏଥିପାଇଁ ପୂରା ଦେଶରୁ ପ୍ରଂଶସାର ସୁଅ ଛୁଟିଲା । ତେବେ କାଳିଆର ଯୋଜନାର ସଫଳତା ବୋଧହୁଏ ମୋଦିଙ୍କୁ ମଧ୍ୟ ବେଶ ପ୍ରଭାବିତ କରିଥିଲା । ଯେଉଁଥିପାଇଁ କାଳିଆ ଯୋଜନା ଘୋଷଣାର ଦିନ କେଇଟା ବିତିନି ମୋଦି ସରକାରଙ୍କ ଦେଶର ଗରିବ ଚାଷୀଙ୍କ ପାଇଁ ଆଣିଲେ ପିଏମ କିଷାନ ଯୋଜନା ।
ଏହାଛଡା ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଓଡ଼ିଶାବାସୀଙ୍କ ପାଇଁ ନବୀନ ଆରମ୍ଭ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଯେଉଁଥିରେ ୭୦ ଲକ୍ଷ ପରିବାରକୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ନିଷ୍ପତି ନେଇଥିଲେ ନବୀନ । ଆଉ ଏକାସଙ୍ଗରେ ୭୦ ଲକ୍ଷ ପରିବାରକୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ହୁଏତ ଦେଶରେ ପ୍ରଥମ ଥିଲା । ଆଉ ନବୀନଙ୍କ ଏହି ଫର୍ମୁଲାର ଝଲକ ପରବର୍ତ୍ତୀ ସମୟରେ ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଦେଖିବାକୁ ମିଳିଥିଲା । ଚର୍ଚ୍ଚା ହୁଏ ନବୀନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଣିବା ପରେ ଆୟୁଷ୍ମାନ ଭାରତ ଯୋଜନାର ପରିକଳ୍ପନା କରିଥିଲେ ମୋଦି ସରକାର । ଏହାଛଡା ମହାମାରୀ କରୋନାର ମୁକାବିଲା ପାଇଁ ନବୀନ ନେଇଥିବା ନିଷ୍ପତିକୁ ଖୋଦ ପ୍ରଧାନମନ୍ତ୍ରୀ ମୋଦି ପ୍ରଂଶସା କରିଥିଲେ । ଏପରିକି ନବୀନଙ୍କ ନିଷ୍ପତିର କିଛି ଝଲକ ଦେଶରେ ଲାଗିଥିବା ବିଭିନ୍ନ କଟକଣାରେ ଦେଖିବାକୁ ମିଳିଥିଲା । ଏଭଳି ଅନେକ କ୍ଷେତ୍ର ଓ ଅନେକ ପ୍ରସଙ୍ଗ ରହିଛି ଯେଉଁଠି ନବୀନଙ୍କ ରାସ୍ତାକୁ ଆପଣାଇଛନ୍ତି ମୋଦି ।

Comments (0)
Add Comment