ଓଡିଶା ରାଜନୀତି ଇତିହାସରେ ବୋଧେ କେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିନଥିବ । ରାଜ୍ୟ ରାଜନୀତିରେ ଏହା ପ୍ରଥମ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ। ନବୀନ ନିବାସ ବାହାରେ ଧାରଣାରେ ବସିଥିବା ବିଜେପି ବିଧାୟକଙ୍କୁ ନିବାସ ଭିତରକୁ ଡାକିନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆଲୋଚନା ହୋଇଛି।
ମଣ୍ଡି ଅବ୍ୟବସ୍ଥା ଓ ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ଆଜିକୁ ୬ ଦିନ ହେବ ଚାଲିପାରୁନି ବିଧାନସଭା । ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ହୋହାଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବୀ ହେଉଛି । ଆଜି ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ବିଧାନସଭାରୁ ନବୀନ ନିବାସ ଚାଲିଚାଲି ଯାଇଥିଲେ ବିଜେପି ବିଧାୟକ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ସଂପର୍କରେ ଅବଗତ କରାଇବାକୁ ବାହାରିଥିଲେ । ମୁଖ୍ୟମନ୍ତ୍ରୀ ବିଧାନସଭା ଆସନ୍ତୁ ବୋଲି ଦାବି କରିଥିଲେ ବିରୋଧୀ । ବିଜେଡି ପକ୍ଷରୁ ବିଜେପି ଟିମକୁ ସ୍ୱାଗତ ପାଇଁ ନବୀନ ନିବାସ ଆଗରେ ପ୍ରସ୍ତୁତ ହୋଇସାରିଥିଲା । ଶଙ୍ଖ ଓ ଚନ୍ଦନ ଧରି ବିଜେଡିର ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।
ତେବେ ନବୀନ ନିବାସ ସାମନାରେ ବିଜେପି ବିଧାୟକ ମାନେ ପହଚିଂବା ପରେ ସେଠାରେ ହାଇଡ୍ରାମା ଦେଖିବାକୁ ମିଳିଥିଲ । ଗେଟ୍ ବନ୍ଦ ଥିବା କହି ବିଜେପି ବିଧାୟକ ମାନେ ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିଥିଲେ । ଶେଷରେ ନବୀନ ନିବାସରୁ ବାହାରକୁ ନିଜେ ଆସିଥିଲେ ନବୀନ । ଧାରଣାରେ ବସିଥିବା ବିଜେପି ବିଧାୟକଙ୍କୁ ଭେଟିବା ସହ ନବୀନ ନିବାସ ଭିତରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ । ଆଉ ବିରୋଧୀ ଦଳ ନେତାଙ୍କୁ ସାଥୀରେ ନବୀନ ନିବାସ ଭିତରକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ।