‘ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ’

ରାଜ୍ୟରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି । ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ରାଜ୍ୟରେ ସଂକ୍ରମିତଙ୍କ ହାର ମଧ୍ୟ କମିଛି । ଜ୍ୟରେ ମୃତ୍ୟୁହାର ୦.୪୦ରୁ କମି ୦.୩୭ ହୋଇଛି। ଗତ ୧୫ ଦିନର ମୃତ୍ୟୁହାରକୁ ଲକ୍ଷ୍ୟ କଲେ ଏହା ୦.୧୬ ଅଛି, ଯାହାକି ସାରା ଭାରତରେ ସର୍ବନିମ୍ନ । ରାଜ୍ୟରେ ଆଉ ପ୍ଲାଜମାଥେରାପି କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଯୋଗ ଦେଇ କହିଥିଲେ ମୁଖ୍ୟ ମୁଖ୍ୟ ଶାସନ ସଚିବ ।

ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ୟ୍ୟକ୍ରମର ସଫଳ କାର୍ୟ୍ୟକାରିତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସମ୍ପର୍କୀୟଙ୍କୁ ସଠିକ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂକ୍ରମଣ ହାରକୁ ସମ୍ପୂର୍ଣ୍ଣ କମାଇବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି । ଲୋକଙ୍କ ସହଯୋଗ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଯଦି ସମସ୍ତେ କୋଭିଡ ନିୟମ ମାନି ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲିବା ବନ୍ଦ କରିଦେବା, ତେବେ ଆମେ ନିଶ୍ଚୟ ଏହି ଲଢେଇ ଜିତିପାରିବା ।

ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମେ’ ୨୪ରୁ ଆରମ୍ଭ ହେବାକୁ ଥିବା ସର୍ଭେ ଯେପରି ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ, ତାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପଂଚାୟତ ଓ ଗାଁ କଲ୍ୟାଣ ସମିତିକୁ ସକ୍ରିୟ ଭାବେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
କୋଭିଡରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସମ୍ପର୍କୀୟ ମାନେ ରୋଗୀଙ୍କ ଅବସ୍ଥା ସମ୍ପର୍କରେ ଯେପରି ସଠିକ ସୂଚନା ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେଥିପାଇଁ ହେଲ୍ପ ଡେସ୍କ ବ୍ୟବସ୍ଥାରେ ଉନ୍ନତି ଆଣିବା ସହିତ ନିୟୋଜିତ କର୍ମଚାରୀମାନଙ୍କୁ ମାନବିକ ଦୃଷ୍ଟିଭଙ୍ଗୀ ନେଇ କାର୍ୟ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

Comments (0)
Add Comment