ଟ୍ୱିଟରରେ ନବୀନ ନବୀନ..

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ମହାନାୟକ ଭାବେ କୁହାଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସାଉଁଟିଛନ୍ତି ପ୍ରଶଂସା । ମହାମାରୀ ସମୟରେ କେନ୍ଦ୍ର ଉପରେ ଚାପ ପକାଇବନି ରାଜ୍ୟ । ନିଜସ୍ୱ ସମ୍ବଳରେ ଓଡ଼ିଶା କରିବ ବିପର୍ୟ୍ୟୟର ଭରଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାତ୍ୟା ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଟୁଇଟକୁ ନେଇ ଏବେ ଚର୍ଚ୍ଚା ଜୋର । ଦେଶ ବର୍ତ୍ତମାନ କୋଭିଡ୍ ମହାମାରୀର ମୁକାବିଲା କରୁଛି, ଆଉ ଏଭଳି ପରିସ୍ଥିତିରେ କେନ୍ଦ୍ର ଉପରେ ଓଡିଶା ଅତିରିକ୍ତ ଚାପ ପକାଇବ ନାହିଁ । ସେଥିପାଇଁ ବାତ୍ୟା ୟାସର କ୍ଷୟକ୍ଷତି ପାଇଁ ତତ୍କାଳ ଆର୍ଥିକ ସାହାଯ୍ୟ ଦାବି କରିନାହୁଁ । ସୋସିଆଲ ମିଡିଆରେ ନବୀନଙ୍କ ଏହି ଟୁଇଟ୍ ଜବରଦସ୍ତ ଟ୍ରେଣ୍ଡ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ୍ ଉପରେ କମେଣ୍ଟ୍ କରି ଅନେକ କହିଛନ୍ତି‘ନବୀନ ହେଉଛନ୍ତି ପ୍ରକୃତ ଜନନାୟକ’ ।

ବାତ୍ୟା ଜନିତ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଁଚିବା ପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ପୂର୍ବଭଳି ଏଠି ରାଜ୍ୟ ସରକାର କୌଣସି ସହାୟତା ତୁରନ୍ତ ଦେବାକୁ ଦାବି କରିନଥିଲେ, ବରଂ ଦୀର୍ଘମିଆଦି ଭାବେ କଣ ସବୁ ପଦକ୍ଷେପ ଆପଣା ଯାଇପାରିବ, ସେନେଇ ଜୋର ଦେଇଥିଲେ । ଆଉ ଏହାପରେ ମୁଖ୍ୟମନ୍ତ୍ରୀ ତିନୋଟି ଟ୍ୱିଟ କରିଥିଲେ । ଯାହା ଖୁବ କମ ସମୟରେ ଭାଇରାଲ ହେବାରେ ଲାଗିଥିଲା । ଜାତୀୟ ବିପତ୍ତିରେ ବାତ୍ୟା ସାହାଯ୍ୟ ମାଗି ଦେଶର ବୋଝ ବଢାଇବାକୁ ଚାହେଁନି ଓଡିଶା, ମୁଖ୍ୟମନ୍ତ୍ରୀଙ୍କ ଏହି ଟୁଇଟ୍‌ର ଜବରଦସ୍ତ ଟ୍ରେଣ୍ଡ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଟୁଇଟରରେ କହିଥିଲେ, ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ଆସିଥିବାରୁ ତାଙ୍କୁ ଧନ୍ୟବାଦ । ବାତ୍ୟାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ମୁକାବିଲା ଓ ପୁନରୁଦ୍ଧାର ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ଜଣାଇଥିଲି । ମହାମାରୀ ସମୟରେ କେନ୍ଦ୍ର ଉପରେ ଅତିରିକ୍ତ ବୋଝ ପକାଇବାକୁ ନଚାହିଁ, ଆମେ ହଠାତ୍ କୈାଣସି ଆର୍ଥିକ ସାହାଯ୍ୟ ଦେବାକୁ ଅନୁରୋଧ କଲୁନାହିଁ । ରାଜ୍ୟ ତାର ନିଜସ୍ୱ ସମ୍ବଳରେ ସ୍ଥିତିର ମୁକାବିଲା କରି ବିପଦରୁ ବାହାରିବ । ଏବଂ ପ୍ରତିବର୍ଷ ପ୍ରକୃତିର କରାଳ ରୁପକୁ ରାଜ୍ୟ ସାମ୍ନା କରୁଥିବାରୁ ଦୀର୍ଘମିଆଦି ଭାବେ ବାତ୍ୟା ମୁକାବିଲା ପାଇଁ କେନ୍ଦ୍ରର ସହଯୋଗ ଲୋଡିଛୁ । ବାତ୍ୟା ନିରୋଧୀ ବିଦ୍ୟୁତ ବ୍ୟବସ୍ଥା ଏବଂ ଉପକୁଳକୁ ଜୁଆରରୁ ସୁରକ୍ଷା ଦେବାକୁ ବନ୍ଧ ଉପରେ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ୍ ଉପରେ କମେଣ୍ଟ୍ କରି ତାଙ୍କୁ ମହାନ ଏବଂ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଜନନାୟକ ବା ଷ୍ଟେଟ୍ସ ମ୍ୟାନ ବୋଲି ବର୍ଣ୍ଣନା କରିଛନ୍ତି । କିଛି ଟୁଇଟର ବ୍ୟବହାରକାରୀ ତ ଅନ୍ୟରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନଙ୍କ ଠାରୁ ଶିଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।

ସ୍ୱାଭାବିକ ଭାବେ ଯେବେ ଗୋଟିଏ ପ୍ରାକୃତିକ ବିପର୍ୟ୍ୟୟ ଆସେ, ସେତେବେଳେ କେନ୍ଦ୍ର ନିକଟରୁ ରାଜ୍ୟ ଅଧିକ ଆର୍ଥିକ ସହାୟତା ଚାହିଁଥାନ୍ତି । ଆଉ ଦିଲ୍ଲୀ ସମାନ ପରିମାଣରେ ଅର୍ଥ ନଦେଲେ, ଆରମ୍ଭ ହୁଏ ଆରୋପ ପ୍ରତ୍ୟାରୋପର ରାଜନୀତି । ତେଣୁ ଏହି ରାଜନୀତିର ତୁତୁ ମେଁ ମେଁକୁ ପଶିବାକୁ ଉଚିତ ମଣିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଂ ଏକ ବଡ ବିପତ୍ତି ସମୟରେ କେନ୍ଦ୍ର ସହ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଥିବା ବାର୍ତ୍ତା ଦେଇଛନ୍ତି ।

Comments (0)
Add Comment