ଫିଡ୍‌ବ୍ୟାକ ନେଲେ ନବୀନ

ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଟିକାକରଣ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଟିକାକରଣର ଫିଡବ୍ୟାକ୍ ନେଇଛନ୍ତି। ଟିକା ନେଇଥିବା ପ୍ରଥମ ବ୍ୟକ୍ତିଙ୍କ ଠାରୁ ଫିଡବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଭିନ୍ନ କେନ୍ଦ୍ରରେ କିଭଳି ଟିକାକରଣ ଚାଲିଛି ସେ ନେଇ ପଚାରି ବୁଝିଛନ୍ତି । ଏହା ସହ ଭିଡିଓ କନଫରେନ୍ସିଂ ଜରିଆରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଟିକା ନେଇଥିବା ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି ନବୀନ ପଟ୍ଟନାୟକ ।

କୋଭିଡ୍ ଟିକାକରଣ ଲାଗି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କର ସହଯୋଗ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ‘କୋଭିଡ୍ ଟିକାକରଣ ରାଜ୍ୟରେ ଆରମ୍ଭ ହୋଇଛି। ଗତ ୧୦ ମାସ ହେଲା କୋଭିଡ୍ ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି। ଆପଣଙ୍କ ତ୍ୟାଗ ଓ ସେବାକୁ ଆମେ ଭୁଲି ପାରିବୁନି । କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କୁ ଟିକା ନେବା ପରେ କେମିତି ଲାଗୁଛି ବୋଲି ମତାମତ ନେଇଥିଲେ ନବୀନ। ପରେ ଗଞ୍ଜାମ ସିଟି ହସ୍ପିଟାଲର ଡକ୍ଟରଙ୍କ ସହ କଥା ହେଲେ ନବୀନ। ଏହି ମେଗା ଭ୍ୟାକ୍ସିନେସନ ଅବସରରେ ସ୍ୱାସ୍ଥ୍ୟକର୍ମୀଙ୍କ ତ୍ୟାଗ ଓ ସେବାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ୧୬୧ଟି ଟିକାକରଣ କେନ୍ଦ୍ର କରାଯାଇଛି । ରାଜ୍ୟ ସମସ୍ତ ଜିଲ୍ଲା ଓ ରାଜଧାନୀର ୬ଟି ସ୍ଥାନରେ ଟିକା ଦିଆଯାଉଛି । ପୂର୍ବରୁ ଭୁବନେଶ୍ବରରେ ୫ଟି କେନ୍ଦ୍ର କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲ ସାମିଲ କରାଯାଇଛି । ରାଜ୍ୟକୁ କୋଭିସିଲ୍ଡର ୪ ଲକ୍ଷ ୮ହଜାର ଡୋଜ୍ ଆସିଥିବା ବେଳେ ୨୦ ହଜାର କୋଭାକ୍ସିନର ଡୋଜ୍ ଆସିଛି । ପ୍ରଥମ ଦିନରେ ୧୬୧୦୦ ଜଣଙ୍କୁ ଟିକା ଦିଆଯାଉଛି । ବିଏମସି ଅଧିନରେ ଥିବା ମେଡିକାଲରେ କୋଭାକ୍ସିନ ଦିଆଯାଉଛି । ପ୍ରଥମ ଦଫାରେ ଲକ୍ଷେ ୯୨ ହଜାର ଜଣ ଟିକା ନେବେ । ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଥିବା ବେଳେ ପରେ ପୋଲିସ, ଫାୟାର ସର୍ଭିସ, ମ୍ୟୁନିସିପାଲଟି କର୍ମଚାରୀ ଟିକା ନେବେ । ତାପରେ ଅନ୍ୟମାନେ ଟିକା ପାଇବେ । ଜାନୁଆରୀ ୧୭ ତାରିଖରେ ଟିକାକରଣ ବନ୍ଦ ରହିବ । ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତେ ଟିକା ପାଇବେ ବୋଲି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଟିକା ନେଇଥିବା ବ୍ୟକ୍ତି ୨୮ ଦିନ ପରେ ଦ୍ବିତୀୟ ଡୋଜ୍ ନେବେ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନେଇଥିବା ବେଳେ ଦ୍ଵିତୀୟରେ ହସ୍ପିଟାଲ ନିର୍ଦ୍ଦେଶକ ନେଇଛନ୍ତି ।

Comments (0)
Add Comment