ଅବଧି ଆଗରୁ କାହିଁକି ବନ୍ଦ ହେଲା ଥର୍ମାଲ ପାୱାର ପ୍ଲାଣ୍ଟ?

ଅବଧି ଆଗରୁ ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ । ମାର୍ଚ୍ଚ ୩୧ ତାରିଖ ଯାଏଁ ପରିବେଶ ମଞ୍ଜୁରୀ ଥିବା ବେଳେ ପ୍ଲାଣ୍ଟ ବନ୍ଦ ହୋଇଯିବ ବୋଲି ଆଶଙ୍କା କରାଯାଉଥିଲା । ହେଲେ ୯ ଦିନ ପୂର୍ବରୁ ବନ୍ଦ ହୋଇଯାଇଛି ତାଳଚେରସ୍ଥିତ ଟିଟିପିଏସ୍ । ଏହାକୁ ନେଇ ସେଠାରେ ଅସନ୍ତୋଷ ଦେଖାଦେଇଛି । ଫଳରେ ୬ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ପୂରା ଠପ୍ ହୋଇଯାଇଛି ।

ପ୍ଲାଂଟ ବନ୍ଦକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ତାତି ଉଠିଛି ଶ୍ରମିକ ସଂଗଠନ । ଖୁବଶୀଘ୍ର ଟିଟିପିଏସ ଚାଲୁ ନହେଲେ ତାଳଚେରର ସମସ୍ତ କୋଇଲା ଖଣିରୁ କୋଇଲା ଉତ୍ତୋଳନ ସଂପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଛି ଶ୍ରମିକ ଟ୍ରେଡ୍ ୟୁନିୟନ୍ । ସେପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଳଚେର ଥର୍ମାଲ ପାୱାର ଷ୍ଟେସନ ୫୪ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅବିରତ ବିଜୁଳି ପ୍ରଦାନ କରି ସୁନାମ ଅର୍ଜନ କରିଥିଲେ ସୁଦ୍ଧା ବର୍ତ୍ତମାନ ବନ୍ଦ ହୋଇଯିବା ପରେ ଦ୍ଵନ୍ଦ ବଢିଛି । ପ୍ଲାଣ୍ଟ ଚଳେଇବା ପାଇଁ ମାର୍ଚ୍ଚ ୩୧ ତାରିଖ ଯାଏଁ ପରିବେଶ ମଂଜୁରୀ ଥିବା ବେଳେ ଆଗୁଆ ବନ୍ଦ ହୋଇଛି ଟିଟିପିଏସର ସମସ୍ତ ୟୁନିଟ୍ । ସମ୍ପୁର୍ଣ୍ଣ ଠପ ହୋଇ ଯାଇଛି ବିଦ୍ୟୁତ ଉତ୍ପାଦନ। ପାୱାର ପ୍ଲାଣ୍ଟ ବନ୍ଦ ହୋଇଯିବା ପରେ ୧୪ଶହ ଠିକା କର୍ମଚାରୀଙ୍କ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାଵରେ ୫୦ ହଜାରରୁ ଉର୍ଦ୍ଧ୍ଵ ଲୋକ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।

ପ୍ରଥମେ ପ୍ଲାଂଟର ୧ ନମ୍ବର ଓ ୬ ନମ୍ବର ୟୁନିଟ୍ ବନ୍ଦ ହୋଇଥିଲା । ପରେ ବିଭିନ୍ନ ଆଳ ଦେଖାଇ ଅବଶିଷ୍ଟ ୪ଟି ୟୁନିଟକୁ ବନ୍ଦ କରି ଦେଇଛନ୍ତି ପ୍ଲାଂଟ କର୍ତୃପକ୍ଷ । ୪୬୦ ମେଗାୱାଟ ବିଶିଷ୍ଟ ଟିଟିପିଏସ ବନ୍ଦକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଶହ ଶହ ଶ୍ରମିକ । ଶ୍ରମିକ ଟ୍ରେଡ୍ ୟୁନିୟନ୍, କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିବା ସହ ଆଗାମୀ ଦିନରେ ତାଳଚେରର କୋଇଲା ଖଣି ବନ୍ଦ କରିବା ନେଇ ଚେତାବନୀ ଦେଇଛି । କେନ୍ଦ୍ରର ଦୋମୁହାଁ ନୀତି ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଜଳୁଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରମିକ ନେତା।

Comments (0)
Add Comment