ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକ । କହିଛନ୍ତି, ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ ଆମକୁ ସତର୍କତାର ସହ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ୟୁରୋପୀୟ ରାଷ୍ଟ୍ର ଗୁଡିକରେ କୋଭିଡ ପରିସ୍ଥିତି ବିଗୁଡୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଏବଂ ରାଜ୍ୟ ସରକାରଙ୍କର ସମୀକ୍ଷାର ଗୁରୁତ୍ୱ ଯଥେଷ୍ଟ ଅଧିକ ବଢିଯାଇଛି । ମୁଖ୍ୟମନ୍ତ୍ରୀ କହିଥିଲେ, ଇଂଲଣ୍ଡ ତଥା ଇଉରୋପରେ କୋଭିଡର ଦ୍ବିତୀୟ ପର୍ୟ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି ଏବଂ କେତେକ ଦେଶରେ ଲକ୍ଡାଉନ୍ ମଧ୍ୟ ପୁଣି ଲାଗୁ କରାଗଲାଣି । ତେଣୁ ଆମକୁ ଅଧିକ ସତର୍କତାର ସହିତ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ ହେବ ।
ସମସ୍ତଙ୍କ ସହଯୋଗରେ କୋଭିଡ ସଂକ୍ରମଣକୁ ସଫଳ ଭାବରେ ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟ ନିୟନ୍ତ୍ରଣ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଅଧିକାଂଶ ଜିଲ୍ଲା ଗ୍ରୀନ ଜୋନ୍ରେ ରହିଛି । ଏହି ସଫଳତା ପାଇଁ କଠିନ ପରିଶ୍ରମ କରିଥିବା ସ୍ବାସ୍ଥ୍ୟ କର୍ମୀ, ଡାକ୍ତର ଏବଂ ଆଗଧାଡିରେ ରହି କାମ କରୁଥିବା ସମସ୍ତ କୋଭିଡ ଯୋଦ୍ଧା ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ଏବଂ ଖୁବ୍ଶୀଘ୍ର ଏ ପରିସ୍ଥିତିରୁ ଆମେ ମୁକୁଳି ପାରିବା ବୋଲି ଆଶାବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଟିକା ଲୋକଙ୍କ ଭିତରେ ବିପୁଳ ଆଶା ସଂଚାର କରିଛି। ଏହି ଟିକା ଉତ୍ପାଦନରେ ଭାରତ ପୃଥିବୀର ଆଗୁଆ ଦେଶ ହୋଇଛି । ଏହି ଟିକାକରଣ କାର୍ୟ୍ୟକ୍ରମକୁ ସଫଳ ଭାବରେ କାର୍ୟ୍ୟକାରୀ କରିବା ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ । ତେଣୁ ଟିକା ସଂପର୍କରେ ଲୋକଙ୍କ ଭିତରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।
ଟିକାକରଣ ଚଳିତ ବର୍ଷର ସବୁଠାରୁ ବଡ କାର୍ୟ୍ୟକ୍ରମ ହେବ। ତେଣୁ ଏହାକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ସେହିପରି ଜୀବନଜୀବିକା କାର୍ୟ୍ୟକ୍ରମର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ତଥାପି ଆର୍ଥିକ ଦୁର୍ବଳଶ୍ରେଣୀର ଲୋକଙ୍କ ଜୀବିକା ସୁରକ୍ଷା କରିବା ପାଇଁ ବହୁତ କିଛି କରିବାକୁ ଅଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ଏବଂ ଏ ସଂପର୍କରେ ଧାର୍ୟ୍ୟ ଲକ୍ଷ୍ୟ ପୂରଣ କରିବା ଦିଗରେ କାର୍ୟ୍ୟ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଆଗାମୀ ମାସରେ ଏ ସଂପର୍କରେ ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ଟିକାକରଣ ଏବଂ କୋଭିଡ ପରିସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ରାଜ୍ୟରେ ଆରୋଗ୍ୟ ହାର ବର୍ତ୍ତମାନ ପ୍ରାୟ ୯୯ ପ୍ରତିଶତରେ ପହଞ୍ଚିଥିବା ବେଳେ ଗତକାଲି ଠାରୁ ରାଜ୍ୟରେ କୋଭିଡରେ କୌଣସି ରୋଗୀଙ୍କର ମୃତ୍ୟୁ ହୋଇନାହିଁ । ଗତ ଜୁନ୍ ୩୦ ତାରିଖରୁ ନିୟମିତ ଭାବରେ କୋଭିଡରେ ମୃତ୍ୟୁ ହୋଇଥିବା ରିପୋର୍ଟ ଆସୁଥିଲା ।
ଟିକାକରଣ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶାବଳୀ ଅନୁସାରେ ଉଭୟ ଘରୋଇ ଓ ସରକାରୀ କ୍ଷେତ୍ରରେ କାର୍ୟ୍ୟରତ ୩,୨୮,୫୬୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ଟୀକାକରଣ ପାଇଁ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ପୋଲିସ, ମ୍ୟୁନିସପାଳଟି କର୍ମଚାରୀ ଏବଂ କୋଭିଡ କାର୍ୟ୍ୟରେ ନିୟୋଜିତ ରାଜସ୍ବ ବିଭାଗର କର୍ମଚାରୀ ମାନଙ୍କ ତାଲିକା ପ୍ରସ୍ତୁତି ଚାଲିଛି ।