କଣ କହିବେ ନବୀନ?

ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଚାଲିଛି । ଦଳକୁ ଆଗକୁ ନେବା ପାଇଁ ତଥା ଭବିଷ୍ୟତର ରଣନୀତି ତିଆରି ପାଇଁ ଆଜିର ବୈଠକ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ନୂଆ ସଂଗଠନ, ନୂଆ ଦାୟିତ୍ୱ ବଂଟା ସରିଛି । ଏବେ ଅସଲ ଲଢେଇର ବେଳ । କାରଣ ପରୀ ପ୍ରସଙ୍ଗକୁ ନେଇ ବିଜେପି ଯେଉଁଭଳି ଭାବେ ରାଜ୍ୟ ସରକାରଙ୍କୁ ଘେରିଛି, ସେଥିରେ ଶାସକ ଦଳ ସଂପୁର୍ଣ୍ଣ ଅସ୍ତବ୍ୟସ୍ତ । ଆଗକୁ ପଂଚାୟତ ଆଉ ସହର ଭୋଟ ରହିଛି । ତେଣୁ ନବୀନ ଯେଉଁ ଆଭିମୁଖ୍ୟ ପୋଷଣ କରିବେ ତାହା ନିର୍ଦ୍ଧାରଣ କରିବ ଦଳ ଆଉ ରାଜ୍ୟ ରାଜନୀତି କେଉଁ ମୋଡ ନେବ ।

ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ନବୀନ ଯେଉଁ ବୟାନ ରଖିଥିଲେ, ଆଜିର ବୟାନ ତାଠାରୁ ଭିନ୍ନ ହେବ ନା ସେ ହି ସମାନ ବୟାନ ରଖିବେ ତାଉପରେ ସମସ୍ତଙ୍କ ନଜର ରହିଛି । ଯୁବ କାର୍ଯ୍ୟକାରିଣୀରେ ନବୀନ କେନ୍ଦ୍ରୀୟ ଦଳକୁ ଖୁବ ସମାଲୋଚନା କରିଥିଲେ । ଓଡିଆ ଅସ୍ମିତା କଥା ଉଠାଇଥିଲେ । ଜାତୀୟ ଦଳ ଗୁଡିକର ଓଡିଶା ବିରୋଧୀ ଆଭିମୁଖ୍ୟକୁ ନେଇ ଲୋକଙ୍କୁ ସଚେତନ ବି କରାଇଥିଲେ । ବଡ କଥା ହେଉଛି, ୨୦୧୯ ନିର୍ବାଚନ ପରେ ପ୍ରଥମ ଥର ପାଇଁ ବିଜେଡି ଏକ ଶକ୍ତ ଆଭିମୁଖ୍ୟ ନେଇ ସାମ୍ନାକୁ ଆସିଥିଲା ।

ରାଜ୍ୟ କାର୍ଯ୍ୟକାରିଣୀରେ ନବୀନ ଦଳର ନେତାଙ୍କୁ କଣ କହିବେ, ତାଉପରେ ସମସ୍ତଙ୍କ ନଜର ରହିଛି । କେନ୍ଦ୍ର ବିରୁଦ୍ଧରେ ଲଢେଇ ଠାରୁ ଆରମ୍ଭ କରି ଦଳକୁ କିଭଳି ତୃଣମୁଳ ସ୍ତରରୁ ସଂଗଠିତ କରାଯାଇ ପାରିବ, ସେନେଇ ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ ହେବାର ଅନୁମା କରାଯାଉଛି । ସେହିଭଳି ପ୍ରଣବ ପ୍ରକାଶ ଦାସ ଦଳର ସଂଗଠନ ସମ୍ପାଦକ ପରେ ଏହା ତାଙ୍କ ପାଇଁ ସବୁଠାରୁ ବଡ ମଂଚ ହେବ । କାରଣ ଦଳକୁ ଗାଁ ଗହଳିରେ ଆହୁରି ମଜଭୁତ କରିବାକୁ ହେଲେ ନୂଆ ରଣନୀତି ଧରି ଆଗକୁ ବଢିବାକୁ ପଡିବ ।

Comments (0)
Add Comment