ପରୀ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପରୀ ମୃତ୍ୟୁ ମାମଲାରେ ନୟାଗଡ ଏସପିଙ୍କୁ ଦିଲ୍ଲୀ ଡାକରା ହୋଇଛି । ଏନସିପିସିଆର ବା ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ପକ୍ଷରୁ ଏସପିଙ୍କୁ ସମନ କରାଯାଇଛି । ମାମଲାର ଏସଆଇଟି ଓ କ୍ରାଇମବ୍ରାଂଚ ତଦନ୍ତ ଚାଲିଥିବା ବେଳେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଆଜି ନୟାଗଡ ଏସପିଙ୍କୁ ସମନ କରିଛନ୍ତି ।
ସେପଟେ ବିଧାନସଭାରେ ହୋହାଲ୍ଲା ଓ ପରୀ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଆସିବା ପରେ ଆଜି ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନକୁ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଘେରାଉ କରାଯାଇଥିଲା । ମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି ଜିଦରେ ଅଟଳ ରହିଛି ବିଜେପି । ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିବା ବେଳେ ପୁଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ ।
ସେପଟେ ପରୀ ପ୍ରସଙ୍ଗରେ କଂଗ୍ରେସ ଭିତରେ ଫାଟ ଦେଖାଦେଇଛି । ଦଳ ଭିତରେ ନେତାଙ୍କ ଭିନ୍ନ ଭିନ୍ନ ମତକୁ ନେଇ ବିବାଦ ଲାଗିରହିଥିବା ବେଳେ ଏହାର ସମାଧାନ ପାଇଁ ରାଜ୍ୟ ପ୍ରଭାରୀ ଓଡିଶା ଆସିଛନ୍ତି । ଆସନ୍ତାକାଲି କଂଗ୍ରେସର ଏକ ପ୍ରତିନିଧି ଦଳ ପରୀର ଗାଁ ଯଦୁପୁର ଯିବାର କାର୍ଯ୍ୟକ୍ରମ ରହିଛି ।
ପରୀ ମୃତ୍ୟୁର ୪ ମାସ ପରେ ପୋଲିସ ଠାରୁ ସହାୟତା ନପାଇ ଶେଷରେ ଚଳିତ ବିଧାନସଭା ଅଧିବେସନ ଚାଲୁଥିବା ବେଳେ ପରୀର ବାପା ଓ ମା ବିଧାନ ସଭା ଆଗରେ ଆତ୍ମାହୁତି ଦେବାକୁ ପ୍ରୟାସ କରୁଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହାପରେ ବିରୋଧୀ ଦଳମାନେ ବିଧାନସଭା ଭିତରେ ବାହାରେ ପରୀକୁ ନ୍ୟାୟ ଦାବିରେ ହଟ୍ଟଗୋଳ କରିବା ଫଳରେ ମୁଖ୍ୟମନ୍ତ୍ରୀ ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।